ଭୁବନେଶ୍ୱର,/୦୯ : ଆସୁଛି ଝଡ଼ ବର୍ଷା (ରେନ୍ ଷ୍ଟର୍ମ)। ପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ଢାଳିବ ଓଡ଼ିଶାରେ। ଉପକୂଳ ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ଜୋରଦାର ବର୍ଷା ହୋଇପାରେ। ଏମିତି ଆକଳନ ଦେଖାଇଲାଣି ସମ୍ଭାବ୍ୟ ଲଘୁ ଚାପ,ଯାହାକି ଘନୀଭୂତ ହୋଇ ଅଧିକ ଶକ୍ତିଶାଳୀ ହେବା ସମ୍ଭାବନା ରହିଛି। ପାଣିପାଗ ବିଭାଗ ଗତ ୧୦ ତାରିଖରେ ଦୁଇ ସପ୍ତାହ ପାଇଁ ପ୍ରାକ୍ ଆକଳନ କରିଥିଲା। ଏଥିରେ ପୂର୍ବାନୁମାନ ଥିଲା,୨୦ ତାରିଖବେଳକୁ ଅତି ପ୍ରବଳ ବର୍ଷା ଆଶଙ୍କା,ଉପକୂଳରେ ଅଜାଡ଼ିବ ।

ଥାଇଲାଣ୍ଡ ପାଖ ଉତ୍ତର ଆଣ୍ଡାମାନ ସାଗର ନିକଟରେ ଏକ ଘଣ୍ଠିବଳୟ ସୃଷ୍ଟି ହୋଇପାରେ। ଏହା ୨୨ ତାରିଖବେଳକୁ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ଉପକୂଳ ନିକଟବର୍ତ୍ତୀ ଅଞ୍ଚଳରେ ଲଘୁଚାପ ରୂପ ନେଇପାରେ। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ଵବିଦ୍ୟାଳୟ ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ ଆକଳନ ହେଲା,୧୮ ତାରିଖବେଳକୁ ଆଣ୍ଡାମାନ ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହା ୨୦ ତାରିଖବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପର ରୂପ ନେବ। ପ୍ରଥମେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ମିଆଁମାର ଉପକୂଳ ଆଡ଼କୁ ମୁହାଁଇବ। ୨୨ ତାରିଖବେଳକୁ ଏହା ଅବପାତ ରୂପ ନେଇଯିବ। ପରେ ଉତ୍ତର-ପଶ୍ଚିମ ଦିଗରେ ଓଡ଼ିଶାକୁ ମୁହାଁଇବ। ୨୪ ତାରିଖ ବେଳକୁ ଗଭୀର ଅବପାତ ଅବସ୍ଥାରେ ଓଡ଼ିଶା ଉପକୂଳ ଛୁଇଁପାରେ। ସମ୍ଭବତଃ ପୁରୀରୁ ଜଗତସିଂହପୁର ମଧ୍ୟରେ ସ୍ଥଳଭାଗକୁ ପ୍ରବେଶ କରିପାରେ। ସେପ୍ଟେମ୍ବରରେ ବାତ୍ୟା ସମ୍ଭାବନା କମ୍ ଥାଏ । ତଥାପି ବାତ୍ୟା ସମ୍ଭାବନାକୁ ବି ସମ୍ପୂର୍ଣ୍ଣ ଏଡ଼ାଇ ହେବନି। ଯଦି ବାତ୍ୟା ହୁଏ,ଏହା ଅଧିକ ଘନୀଭୂତ ହେବନି। ଅଳ୍ପ ସମୟ ପାଇଁ ସମୁଦ୍ର ଭିତରେ ବାତ୍ୟା ରୂପ ନେଇପାରେ।

ଡକ୍ଟର ସାହୁ କହିଛନ୍ତି,ସମ୍ଭାବ୍ୟ ଲଘୁଚାପ ଏକ ରେନ୍ ଷ୍ଟର୍ମ ରୂପ ନେଇପାରେ। ଅର୍ଥାତ୍ ପ୍ରବଳରୁ ଅତି ପ୍ରବଳ ବର୍ଷା କରାଇପାରେ ଓଡ଼ିଶାରେ। ସମଗ୍ର ଉପକୂଳ ଓଡ଼ିଶା,ପାର୍ଶ୍ଵବର୍ତ୍ତୀ କଟକ,ଖୋର୍ଦ୍ଧା,ନୟାଗଡ଼,ଅନୁଗୁଳ,ଯାଜପୁର ସମେତ କେତେକ ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ। ୨୨ ତାରିଖରୁ ରାଜ୍ୟରେ ପାଗ ବଦଳିପାରେ। ୨୩ ଅପରାହ୍ନରୁ ବର୍ଷା ଆରମ୍ଭ ହେବା ସହ ୨୬ ଯାଏଁ ବର୍ଷା ସମ୍ଭାବନା ରହିଛି।

ଜିଏଫଏସ୍ ଏବଂ ଇସିଏମଡବଲୁଏଫ୍ ଭଳି ଆନ୍ତର୍ଜାତିକ ମଡେଲ୍ ଅନୁସାରେ ସମ୍ଭାବ୍ୟ ସିଷ୍ଟମ ଅଧିକ ଘନୀଭୂତ ହୋଇ ୨୪ ତାରିଖବେଳକୁ ଓଡ଼ିଶା ଆସିପାରେ। ଜିଏଫଏସ୍ ଅନୁସାରେ ଏହା ଶକ୍ତିଶାଳୀ ବାତ୍ୟା ରୂପ ନେଇ ଓଡ଼ିଶାରେ ମାଡ଼ ହୋଇପାରେ। ଇସିଏମଡବଲୁଏଫ୍ ପ୍ରାକ୍ ଆକଳନ ହେଲା,ସମ୍ଭାବ୍ୟ ଲଘୁଚାପ ଅଧିକ ଘନୀଭୂତ ହୋଇ ଓଡ଼ିଶାରେ ପ୍ରବେଶ କରିପାରେ। କୃଷି ପାଣିପାଗ ବିଶାରଦ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି,ବଙ୍ଗୋପସାଗରରେ ୨୦-୨୨ ତାରିଖବେଳକୁ ଏକ ସିଷ୍ଟମ ବା ଲଘୁଚାପ ହୋଇପାରେ। ଏହା ଅବପାତ ରୂପ ନେବା ସମ୍ଭାବନା ରହିଛି। କିନ୍ତୁ,ଏବେଠାରୁ ବାତ୍ୟାର ସମ୍ଭାବନାକୁ ବାଦ୍ ଦିଆଯାଇପାରିବ ନାହିଁ। ଏହାର ତୀବ୍ରତା,ଗତିପଥ ଓ ସ୍ଥଳଭାଗ ଛୁଇଁବା ସ୍ଥାନ ଏବେ ମଧ୍ୟ ଅନିଶ୍ଚିତ ରହିଛି।

ଉଭୟ ଇସିଏମଡବଲୁଏଫ୍ ଓ ଜିଏଫଏସ୍ ମଡେଲ୍ ବଙ୍ଗୋପସାଗରରେ ଏକ ନୂଆ ସିଷ୍ଟମ ସୃଷ୍ଟି ହେବାର ସଙ୍କେତ ଦେଖାଉଛି। ଏହାର ସମ୍ଭାବ୍ୟ ପ୍ରଭାବ ନେଇ ଆସନ୍ତା ୨୩ରୁ ୨୭ ତାରିଖ ଭିତରେ ଉତ୍ତର ଆନ୍ଧ୍ର - ଓଡ଼ିଶା -ପଶ୍ଚିମବଙ୍ଗ ଉପକୂଳ ଉପରେ ନଜର ରଖିବାକୁ ହେବ। ଏବେଠାରୁ ନିର୍ଦ୍ଦିଷ୍ଟ ଭାବେ କିଛି କହି ହେବନି । ଏବେ ଭୟଭୀତ ହେବାର କାରଣ ନାହିଁ। ସାଧାରଣ ଲୋକେ ଓ କୃଷକମାନେ ସତର୍କ ରହିବା ଉଚିତ। ଏବେଠାରୁ ଅଯଥା ଆତଙ୍କିତ ହୋଇ ଆଗୁଆ ଜିନିଷ କିଣି ମହଜୁଦ କରିବା କିମ୍ବା ଆଗୁଆ ଧାନ କାଟିବା ଭଳି ବଡ଼ ନିଷ୍ପଭି ନେବାର ଆବଶ୍ୟକତା ନାହିଁ ।

Also Read :- ମହାକାଶରେ ଆମେରିକାର ଯୁଦ୍ଧାସ୍ତ୍ର ମୁତୟନକୁ ନେଇ ଚୀନ୍‌ ଖପ୍ପା, ଚେତାବନୀ ଦେଲା ଡ୍ରାଗନ୍‌

ବର୍ତ୍ତମାନ ପାଣିପାଗ ବିଭାଗ ଆକଳନ କରିଛି,ଉତ୍ତର ପଶ୍ଚିମ ବଙ୍ଗୋପସାଗର,ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପରେ ଏକ ଘୂର୍ଣ୍ଣିବଳୟ ରହିଛି। ବର୍ତ୍ତମାନ ରାଜ୍ୟରେ ବଡ଼ ବର୍ଷା ସମ୍ଭାବନା ନାହିଁ । ତଥାପି ନିୟମିତ ଘଡ଼ଘଡ଼ି ସହ କିଛି ସ୍ଥାନରେ ବର୍ଷା ରହିପାରେ। ବୁଧବାର ରାଜ୍ୟର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଥିବାବେଳେ ବାଲେଶ୍ଵର,କେନ୍ଦୁଝର,ଯାଜପୁର,ମୟୂରଭଞ୍ଜର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ। ଅନ୍ୟପକ୍ଷରେ ରାଜ୍ୟର ବିଭିନ୍ନ ସ୍ଥାନରେ ଦିନ ତାପମାତ୍ରା ବଢ଼ିବା ସହ ଗରମ,ଗୁଳୁଗୁଳି ଅନୁଭୂତ ହେଉଛି ।