ନୂଆଦିଲ୍ଲୀ: ମହାକାଶରେ ଯୁଦ୍ଧାସ୍ତ୍ର ମୁତୟନ କରିଥିବା ଆମେରିକା ସ୍ବୀକାର କରିଛି । ଏହାକୁ ନେଇ ଚୀନ୍‌ ଅସନ୍ତୋଷ ପ୍ରକାଶ କରିବା ସହ ମହାକାଶକୁ ରଣକ୍ଷେତ୍ର ନକରିବାକୁ ଚେତବାନୀ ଦେଇଛି । ମହାକାଶର ସାମରିକୀକରଣକୁ ସମ୍ପୂର୍ଣ୍ଣ ବିରୋଧ କରିବା ସହ ଏହା ଏକ ନୂଆ ପ୍ରତିଯୋଗୀତା ବା 'ଆର୍ମ୍ସ ରେସ୍' ବୋଲି ବେଜିଂ ଚେତାବନୀ ଦେଇଛି।

ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଆମେରିକାର ଏହି ପଦକ୍ଷେପକୁ ନେଇ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି। ଚୀନ୍ କହିଛି ଯେ, ମହାକାଶ ହେଉଛି ସାରା ବିଶ୍ୱର ଏକ ସାଧାରଣ ସମ୍ପତ୍ତି । ଏହାକୁ ସାମରିକ ଆଡ୍ଡାରେ ପରିଣତ କରିବା ଏବଂ ମାରଣାସ୍ତ୍ର ମୁତୟନ କରିବା ଦ୍ୱାରା ମହାକାଶର ଶାନ୍ତି ଓ ସୁରକ୍ଷା ଗମ୍ଭୀର ଭାବେ ବାଧାପ୍ରାପ୍ତ ହେବ।

ଆମେରିକା ନିଜେ ମହାକାଶରେ ପ୍ରଥମେ ଯୁଦ୍ଧାସ୍ତ୍ର ମୁତୟନ କରୁଛି ଏବଂ ଅନ୍ୟ ଦେଶଗୁଡ଼ିକୁ ବିପଦ ଦର୍ଶାଇ ନିଜର ସାମରିକ ଶକ୍ତି ବୃଦ୍ଧି କରୁଛି। ଏହା ବିଶ୍ୱ ସ୍ଥିରତା ପାଇଁ ଅତ୍ୟନ୍ତ କ୍ଷତିକାରକ ବୋଲି ଚୀନ୍ ଦାବି କରିଛି।

କ’ଣ କହିଥିଲା ଆମେରିକା ?
ଆମେରିକା ମହାକାଶ ସେନା ସାର୍ବଜନୀନ ଭାବରେ ସ୍ବୀକାର କରିଥିଲା ଯେ, ସେମାନେ ମହାକାଶ କକ୍ଷପଥରେ ନିଜର ଆକ୍ରମଣାତ୍ମକ ଏବଂ ପ୍ରତିରକ୍ଷାତ୍ମକ ଯୁଦ୍ଧାସ୍ତ୍ର ମୁତୟନ କରିଛନ୍ତି। ଆମେରିକା ଅନୁଯାୟୀ, ଚୀନ୍ ଏବଂ ରୁଷ ଭଳି ପ୍ରତିଦ୍ୱନ୍ଦ୍ୱୀ ଦେଶଗୁଡ଼ିକ ନିରନ୍ତର ସେମାନଙ୍କର ଆଣ୍ଟି-ସାଟେଲାଇଟ୍ ଏବଂ କ୍ଷେପଣାସ୍ତ୍ର କ୍ଷମତା ବୃଦ୍ଧି କରୁଛନ୍ତି। ନିଜର ସାଟେଲାଇଟ୍, ଯୋଗାଯୋଗ ବ୍ୟବସ୍ଥା ଏବଂ ସେନାକୁ ସୁରକ୍ଷିତ ରଖିବା ପାଇଁ ଏହି 'ଅନ୍-ଅର୍ବିଟ୍ ୱେପନ୍' ମୁତୟନ କରିବା ଅତ୍ୟନ୍ତ ଆବଶ୍ୟକ ଥିଲା ବୋଲି ଆମେରିକା ଦାବି କରିଥିଲା।

୧୯୬୭ ମସିହାର ମହାକାଶ ଚୁକ୍ତି ଅନୁଯାୟୀ, ମହାକାଶରେ ଆଣବିକ କିମ୍ବା ଗଣସଂହାରକାରୀ ଅସ୍ତ୍ର ମୁତୟନ କରିବା ଉପରେ କଟକଣା ରହିଛି। ତେବେ ପାରମ୍ପରିକ ଅସ୍ତ୍ର, ଲେଜର ବ୍ୟବସ୍ଥା ଏବଂ ସାଇବର-ସାମରିକ ବୈଷୟିକ ଜ୍ଞାନକୌଶଳ ସମ୍ପର୍କରେ ଏଥିରେ ସ୍ପଷ୍ଟ ନିୟମ ନାହିଁ। ଏହାର ସୁଯୋଗ ନେଇ ଆମେରିକା, ଚୀନ୍ ଏବଂ ରୁଷ ପରଷ୍ପରକୁ ପଛରେ ପକାଇବା ପାଇଁ ମହାକାଶରେ ଶକ୍ତି ପ୍ରଦର୍ଶନ କରୁଛନ୍ତି। ଯଦି ମହାକାଶରେ ଯୁଦ୍ଧ କିମ୍ବା ବିସ୍ଫୋରଣ ଘଟେ, ତେବେ ସୃଷ୍ଟି ହେବାକୁ ଥିବା 'ମହାକାଶ ଆବର୍ଜନା' ସାରା ବିଶ୍ୱର ଜିପିଏସ୍, ବ୍ୟାଙ୍କିଂ ଏବଂ ଅନ୍ୟ ଯୋଗାଯୋଗ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଠପ୍ କରିଦେବାର ଆଶଙ୍କା ରହିଛି।