ନୂଆଦିଲ୍ଲୀ: ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ବୁଧବାର ଲୋକସଭାରେ ଭାଷଣ ରଖିବା କାଳରେ ଭୀଷଣ ହଟ୍ଟଗୋଳ ହୋଇଛି। ଏଣୁ ରାହୁଲ ତାଙ୍କ ଭାଷଣ ପୁରା କରି ପାରି ନାହାନ୍ତି। ଏବେ ସେ ସନ୍ଧ୍ୟା ୬ଟା ବେଳେ ଏକ ସାମ୍ବାଦିକ ସମ୍ମିଳନୀ କରିବେ ବୋଲି କହିଛନ୍ତି। ଏ ନେି ସେ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଏକ ପୋଷ୍ଟ ମଧ୍ୟ କରିଛନ୍ତି। ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ ସାମ୍ବାଦିକ ସମ୍ମିଳନୀରେ ସେ ସେହି ସବୁ କଥା କହିବେ ଯାହା ତାଙ୍କୁ ଆଜି ଲୋକସଭାରେ କୁହାଇ ଦିଆଯାଇ ନାହିଁ।

ଲୋକସଭାରେ ଭାଷଣ ଶେଷ କରି ନ ପାରିବାରୁ ରାହୁଲଙ୍କ ଅସନ୍ତୋଷ ତାଙ୍କ ଏକ୍ସ ପୋଷ୍ଟରୁ ସ୍ପଷ୍ଟ ବାରି ହୋଇ ପଡୁଛି। ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ ଆଜି ସଂସଦରେ ମୋ ଭାଷଣ କାଳରେ ଦିଲ୍ଲୀରେ ଛାତ୍ରଙ୍କ ଉପରେ ହୋଇଥିବା ବର୍ବରତା ପ୍ରସଙ୍ଗ ଉଠାଇଥିଲି ଓ ଏଥି ପାଇଁ ଦାୟି ଲୋକଙ୍କ ନାଁ ନେଇଥିଲି। ତେବେ ବିଜେପି ମୋତେ ଗୃହରେ କଥା କୁହାଇ ଦେଇ ନାହିଁ। ଏଣୁ ଆଜି ସନ୍ଧ୍ୟା ୬ଟା ବେଳେ ଏକ ସାମ୍ବାଦିକ ସମ୍ମିଳନୀ କରିବି ଓ ସଂସଦରେ ମୋତେ ଯେଉଁ ସବୁ କଥା କୁହାଇ ଦିଆଯାଇନି ତାହା ଏଥିରେ ରଖିବି। ପୋଷ୍ଟ ଶେଷରେ ରାହୁଲ ଲେଖିଛନ୍ତି ଯେ ଆପଣ ମାଇକ୍ ବନ୍ଦ କରି ଦେଇ ପାରନ୍ତି, ହେଲେ ଛାତ୍ରଙ୍କ ସ୍ୱରକୁ ଦବାଇ ଦେଇ ପାରିବେନି।