ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧି ଜୁନ ୮ ତାରିଖରେ ଅନୁଷ୍ଠିତ ‘ଇଣ୍ଡିଆ’ ବ୍ଲକ ମିଟିଂରେ ଦେଇଥିବା ଭାଷଣ ଶୁକ୍ରବାର ଜାରି କରିଛନ୍ତି।ଏଥିରେ ସେ ମେଣ୍ଟ ସହଯୋଗୀଙ୍କୁ ଅନ୍ତର୍ଦ୍ୱନ୍ଦ୍ୱ କୁ ଭୁଲି ବିଜେପି ବିରୋଧରେ ଏକଜୁଟ ହେବାକୁ ଆହ୍ୱାନ ଦେଇଛନ୍ତି। ସେ ଏହି ଧାରଣାକୁ ମଧ୍ୟ ଖଣ୍ଡନ କରିଛନ୍ତି ଯେଉଁଥିରେ ବିରୋଧୀ ଦଳ କେବେ ଏକଜୁଟ ହୋଇ ପାରିବେନି କି ମିଳିମିଳି କାମ କରିପାରିବେନି।

ରାହୁଲଙ୍କ ୟୁଟ୍ୟୁବରେ ଜାରି ଭାଷଣ ଏପରି ସମୟରେ ଆସିଛି ଯେତେବେଳେ ସହଯୋଗୀ ତୃଣ ମୂଳ କଂଗ୍ରେସ (ଟିଏମସି) ପଶ୍ଚିମବଙ୍ଗ ବିଧାନସଭା ଓ ସଂସଦରେ କେତେକ ହାଇପ୍ରୋଫାଇଲ ଇସ୍ତଫା ଓ ବିଦ୍ରୋହ ଯୋଗୁ ଅସ୍ତିତ୍ୱ ସଂକଟର ସମ୍ମୁଖୀନ ହୋଇଛି। ସେହିପରି ତାମିଲନାଡୁରେ ଡିଏମକେ ଓ କଂଗ୍ରେସ ସମ୍ପର୍କ ବିଜୟଙ୍କ ନେତୃତ୍ୱାଧୀନ ଟିଭିକେକୁ ସମର୍ଥନ ଦେବା ପରେ ସଂକଟରେ ଫଶି ଯାଇଛି। ବିରୋଧୀ ମେଣ୍ଟରେ ବଢୁଥିବା ଉତ୍ତେଜନା ମଧ୍ୟରେ ରାହୁଲ ସହଯୋଗୀଙ୍କୁ ଅଧିକ ଏକତା ଲାଗି ଆହ୍ୱାନ କରି କହିଛନ୍ତି ଯେ ବିରୋଧୀ ଏକଜୁଟତା ବ୍ୟାପକ ଉଦ୍ଦେଶ୍ୟ ନିମନ୍ତେ କୌଣସି ପ୍ରକାର ସମାଲୋଚନାକୁ ସ୍ୱୀକାର କରିବାକୁ କଂଗ୍ରେସ ପ୍ରସ୍ତୁତ।

ରାହୁଲ ଗାନ୍ଧି କହିଛନ୍ତି ଯେ ଭାରତୀୟ ଜାତୀୟ କଂଗ୍ରେସର ଆରମ୍ଭ ଏକ ପ୍ରତିରୋଧ ଆନ୍ଦୋଳନ ରୂପେ ହୋଇଥିଲା, ଯାହା ଏହି ବିଚାରଧାରା ପୋଷଣ କରୁଥିଲା ଯେ ସବୁ ଭାରତୀୟ ସମାନ। ରାହୁଲ ବିଜେପି ଉପରେ ଦେଶର ସବୁ ସଂସ୍ଥା ଓ ଏପରିକି ନିର୍ବାଚନ ପ୍ରକ୍ରିୟା ନିୟନ୍ତ୍ରିତ କରିବାର ଅଭିଯୋଗ ଆଣିଛନ୍ତି। ଏଣୁ ଅନ୍ୟ ଦଳଙ୍କୁ ସମାନ ଅବସର ମିଳି ପାରୁନଥିବା ସେ ଅଭିଯୋଗ କରିଛନ୍ତି।

ରାହୁଲ ଗାନ୍ଧି କହିଛନ୍ତି ଯେ ଟିଏମସିରେ ମୋର ଅନେକ ବନ୍ଧୁ ଅଛନ୍ତି। ସେମାନେ ପୁରା ଆଶ୍ୱସ୍ତ ଥିଲେ ଯେ ପଶ୍ଚିମବଙ୍ଗ ନିର୍ବାଚନରେ ସେମାନଙ୍କୁ ବିପୁଳ ବିଜୟ ମିଳିବ। ହେଲେ ଏଥିରେ ମୁଁ ସହମତ ନଥିଲି। ମୁଁ ଦେଖୁଥିଲି କଣ ହେଉଛି। ମୁଁ ଗୁଜରାଟରେ ଦେଖିଛି, ଉତ୍ତର ପ୍ରଦେଶରେ ବି ଦେଖିଛି , ହରିୟାଣା ଓ ମହାରାଷ୍ଟ୍ରରେ ମଧ୍ୟ ଦେଖିଛି। ଏହା ପରେ ବି ଏ ବାବଦେ ଆପଣଙ୍କ ମଧ୍ୟରୁ ଅନେକ ଏବେ ବି ଆଶ୍ୱସ୍ତ ନୁହନ୍ତି। ରାହୁଲ କହିଛନ୍ତି ଯେ ବିଜେପି ବିରୋଧରେ ଲଢିବାର ଏକମାତ୍ର ଉପାୟ ତାକୁ ପ୍ରତିରୋଧ କରିବା। ଏଥି ପାଇଁ ଆମକୁ ଆମର ବିଚାର ବଦଳାଇବାକୁ ପଡିବ। ଏବେ ଏହି ବିଚାର ରଖିବାକୁ ପଡିବ ଯେ ଆମେ ପରସ୍ପର ସହ ଲଢିବାନି, ଆମେ ପ୍ରେସ୍ କୁ ଆମ ଉପରେ ଆକ୍ରମଣ କରିବାକୁ ସୁଯୋଗ ଦେବାନି, ଆମେ ପ୍ରତିରୋଧ କରିବା।

ଲୋକସଭାରେ ବିରୋଧୀ ଦଳ ନେତା ଏହା ବି ଦାବି କରିଛନ୍ତି ଯେ ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ଓ ନିଟ୍-ୟୁଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଭଳି ପ୍ରସଙ୍ଗରେ ଜନତାଙ୍କ ଆକ୍ରୋଷ ବଢୁଛି। ଏଣୁ ବିରୋଧୀ ଦଳଙ୍କ ନିଜ ବିରୋଧ ସଙ୍ଗଠିତ କରିବାର ଅବସର ପାଇବେ। ସେ କେନ୍ଦ୍ର ସରକାରଙ୍କ ଉପରେ ଗଣତନ୍ତ୍ରକୁ ନଷ୍ଟ କରିବାର ଅଭିଯୋଗ ମଧ୍ୟ କରିଛନ୍ତି। ସେ କହିଛନ୍ତି ଯେ ମୋ ଦୃଷ୍ଟିକୋଣରୁ ମୁଁ ଯେ କୌଣସି ପକ୍ଷରୁ ଆସୁଥିବା ଯେ କୌଣସି ପ୍ରକାରର ସମାଲୋଚନାକୁ ସହିବା ଲାଗି ସମ୍ପୂର୍ଣ୍ଣ ପ୍ରସ୍ତୁତ। କାରଣ ଏହା ମୋ ପାଇଁ ଏବେ ଏହା ଧାର୍ମିକ କର୍ତ୍ତବ୍ୟ। ଏହା ଏବେ ରାଜନୀତି ନୁହେଁ , ଏହି ସମୂହକୁ ଏକଜୁଟ କରିବା ଓ ସଫଳ କରିବା ପାଇଁ ମୋତେ ଯାହା ବି ଅପମାନ ସହିବାକୁ ପଡୁ ନା କାହିଁକି ମୁଁ ସହିବାକୁ ପ୍ରସ୍ତୁତ ବୋଲି ରାହୁଲ ଗାନ୍ଧି କହିଛନ୍ତି।