ମୁମ୍ବାଇ : ଟିଭି ଦୁନିଆରେ ଅନେକ ନୂଆ ଚେହେରା ଆସିଛନ୍ତି, ଅନେକ ପୁରୁଣା ଚେହେରା ଧୀରେ ଧୀରେ ପରଦାରୁ ଦୂରେଇଛନ୍ତି। କିନ୍ତୁ କିଛି ଚରିତ୍ର ସବୁବେଳେ ଦର୍ଶକଙ୍କ ସ୍ମୃତିରେ ରହିଯାଏ। ‘କୁମକୁମ୍’ର ସୁମିତ୍ ସେହିଭଳି ଏକ ଚରିତ୍ର, ଯାହା ହୁସେନ୍ କୁୱାଜରୱାଲାଙ୍କୁ ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ଦେଇଛି। ଦିନେ ପ୍ରତି ଘରେ ଘରେ ପରିଚିତ ଥିଲା ତାଙ୍କ ଚେହେରା। ଟେଲିଭିଜନ ସିରିଏଲ ‘କୁମକୁମ୍’ରେ ସୁମିତ୍ ୱାଧୱା ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ମନ ଜିତିଥିବା ଅଭିନେତା ହୁସେନ୍ କୁୱାଜରୱାଲା ଏବେ କିନ୍ତୁ କୁଆଡେ ଗାୟବ ହୋଇଯାଇଛନ୍ତି । ସେ କେବଳ ଅଭିନୟ ଦୁନିଆରେ ନୁହେଁ, ଡ୍ୟାନ୍ସ ରିଆଲିଟି ଶୋ’ ‘ନଚ୍ ବଲିଏ-୨’ରେ ମଧ୍ୟ ନିଜ ପତ୍ନୀ ଟିନାଙ୍କ ସହ ଭାଗ ନେଇ ବିଜୟୀ ହୋଇଥିଲେ। ହେଲେ ବର୍ତ୍ତମାନ ସେ ଆଉ କୌଣସି ରିଆଲିଟି ଶୋ'ରେ ନଜର ଆସୁନାହାନ୍ତି | ସମୟ ବଦଳିବା ସହ ଟେଲିଭିଜନ୍ରେ ତାଙ୍କ ଉପସ୍ଥିତି ଆଗ ଅପେକ୍ଷା କମ୍ ଦେଖିବାକୁ ମିଳୁଛି। ତେବେ ବର୍ତ୍ତମାନ କେଉଁଠି ଅଛନ୍ତି ଏହି ଲୋକପ୍ରିୟ ଅଭିନେତା ? ଆସନ୍ତୁ ଜାଣିବା ତାଙ୍କ କ୍ୟାରିୟର୍ ଓ ବର୍ତ୍ତମାନର ଜୀବନଶୈଳୀ ବିଷୟରେ ।

ସିରିୟଲ ‘କୁମକୁମ୍’ ଦେଇଥିଲା ପରିଚୟ :

୨୦୦୨ରୁ ୨୦୦୯ ପର୍ଯ୍ୟନ୍ତ ପ୍ରସାରିତ ଲୋକପ୍ରିୟ ହିନ୍ଦୀ ସିରିୟଲ ‘କୁମକୁମ ଏକ ପ୍ୟାରା ସା ବନ୍ଧନ’ରେ ହୁସେନ୍ କୁୱାଜରୱାଲା 'ସୁମିତ୍ ୱାଧୱା' ଭୂମିକାରେ ଅଭିନୟ କରିଥିଲେ। ଅଭିନେତ୍ରୀ ଜୁହି ପରମାରଙ୍କ ସହ ତାଙ୍କ ଯୋଡ଼ିକୁ ଦର୍ଶକ ବେଶ୍ ପସନ୍ଦ କରିଥିଲେ। ଏହି ସିରିୟଲ ତାଙ୍କୁ ଟେଲିଭିଜନ୍ ଜଗତରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲା। ଯାହା ପାଇଁ ସେ ଘରେ ଘରେ ଥିଲେ ପରିଚିତ | ତା'ପରେ ସେ ରିଆଲିଟି ସୋ' ‘ନଚ୍ ବଲିଏ-୨’ରେ ଭାଗ ନେଇ ହୋଇଥିଲେ ବିଜେତା | ୨୦୦୬ରେ ସେ ନିଜ ପତ୍ନୀ ଟିନାଙ୍କ ସହ ‘ନଚ୍ ବଲିଏ-୨’ରେ ଭାଗ ନେଇଥିଲେ। ଏହି ଶୋ’ରେ ଦୁହେଁ ନିଜର ନୃତ୍ୟ ଓ ଉତ୍ତମ ପ୍ରଦର୍ଶନ ଜରିଆରେ ଦର୍ଶକଙ୍କ ହୃଦୟ ଜିତିବା ସହ ବିଜୟୀ ହୋଇଥିଲେ। ଅଭିନୟ ସହ ନୃତ୍ୟରେ ମଧ୍ୟ ନିଜର ପ୍ରତିଭା ଦେଖାଇ ଅନେକ ଲୋକଙ୍କ ମନରେ ରାଜ କରିଥିଲେ ହୁସେନ୍।

ଏବେ କ’ଣ କରୁଛନ୍ତି ହୁସେନ୍ ?

ଟେଲିଭିଜନ୍ରେ ଲଗାତାର ନଜର ଆସୁଥିବା ଅଭିନେତା ହୁସେନ୍ ଏବେ ପୂରାପୂରି ଦୁରେଇ ନଯାଇ ମଧ୍ୟ ମନୋରଞ୍ଜନ ଜଗତ ସହ ନିଜର ସମ୍ପର୍କ ଜାରି ରଖିଛନ୍ତି। ସେ ବିଭିନ୍ନ ଟିଭି କାର୍ଯ୍ୟକ୍ରମ ଓ ରିଆଲିଟି ଶୋ’ରେ ହୋଷ୍ଟ୍ ଭାବେ ମଧ୍ୟ କାମ କରିଛନ୍ତି। ତାଙ୍କର ସ୍ୱାଭାବିକ ଉପସ୍ଥାପନା ଶୈଳୀ ଓ ହାସ୍ୟରସ ତାଙ୍କୁ ଦର୍ଶକଙ୍କ ମଧ୍ୟରେ ଲୋକପ୍ରିୟ କରିଛି। ହୁସେନ୍ ନିଜ ବ୍ୟକ୍ତିଗତ ଜୀବନକୁ ତୁଳନାତ୍ମକ ଭାବେ ଗୋପନୀୟ ରଖିବାକୁ ପସନ୍ଦ କରନ୍ତି। ତେଣୁ ସେ ନିୟମିତ ଭାବେ ପରଦାରେ ଦେଖା ନଗଲେ ମଧ୍ୟ ଅନ୍ୟ କାର୍ଯ୍ୟକ୍ରମ ଜରିଆରେ ଦର୍ଶକଙ୍କ ସହ ଆଜି ବି ସମ୍ପର୍କରେ ଅଛନ୍ତି ।