ନୂଆଦିଲ୍ଲୀ: ଭାରତରେ ଚୀନ୍ ନିର୍ମିତ ସିସିଟିଭି କ୍ୟାମେରା ବ୍ୟବହାର ଉପରେ ପ୍ରତିବନ୍ଧକ ଲାଗିଛି । ଏପ୍ରିଲ ୧ରୁ ଚୀନ କମ୍ପାନୀର ସିସିଟିଭି ବିକ୍ରି ଏବଂ ବ୍ୟବହାର ଉପରେ ରୋକ ଲଗାଇ ଦେଇଛନ୍ତି ଭାରତ ସରକାର । ପ୍ରତିବନ୍ଧକ ସତ୍ବେ ସରକାରୀ କୋଠାରେ ଏବେ ବି ଲାଗିଛି ଚୀନ୍ ସିସିଟିଭି କ୍ୟାମେରା । ଏହାକୁ ନେଇ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।

ରାହୁଲ ଗାନ୍ଧୀ କହିଛନ୍ତି, ବିଦେଶୀ ଏଆଇ ସଂସ୍ଥାଗୁଡ଼ିକ ସମ୍ବେଦନଶୀଳ ଡାଟା ପ୍ରୋସେସ୍ କରୁଛନ୍ତି, କିନ୍ତୁ ଏନେଇ ସରକାରଙ୍କ ପାଖରେ କୌଣସି ଉତ୍ତର ନାହିଁ । ମୁଁ ସଂସଦରେ ଏନେଇ ଆଇଟି ମନ୍ତ୍ରଣାଳୟକୁ ପ୍ରଶ୍ନ କରିଥିଲେ, ସେମାନେ ବହୁତ କିଛି କହିଲେ । କିନ୍ତୁ ଯାହା ପଚାରିଥିଲି, ତାର ଜବାବ ଦେଲେ ନାହିଁ ।

ରାହୁଲ କହିଛନ୍ତି, ସେ ସରକାରଙ୍କୁ ସିସିଟିଭି କ୍ୟାମେରା କେଉଁ ଦେଶରୁ ଆସୁଛି ବୋଲି ପ୍ରଶ୍ନ କରିଥିଲେ । ସେ ଆହୁରି ପ୍ରଶ୍ନ କରିଥିଲେ ଯେ, ଏହାକୁ ନେଇ ସୁରକ୍ଷା ପ୍ରତି ବିପଦ ଅଛି କି ନାହିଁ, ତାହା ଯାଞ୍ଚ ହୋଇଛି କି ? କେଉଁ ଦେଶର ଏଆଇ ସଂସ୍ଥା ଡାଟା ପ୍ରୋସେସ୍ କରୁଛି ? କେଉଁସବୁ ପ୍ରତିବନ୍ଧିତ ଆପ୍ ଏବେ ବି ଭାରତରେ ଚାଲୁଛି ? କିନ୍ତୁ ମନ୍ତ୍ରଣାଳୟ ପାଖରେ ଏନେଇ କୌଣସି ଜବାବ ନାହିଁ ବୋଲି ରାହୁଲ ଅଭିଯୋଗ କରିଛନ୍ତି ।

Also Read: ଭାରତର ଜାହାଜକୁ ଛାଡ଼ି ଦେଉଛି ଇରାନ, ଆସିଲାଣି ୮ ଜାହାଜ; ନୂଆଦିଲ୍ଲୀକୁ ସ୍ପେଶାଲ୍ ମେସେଜ୍ ଦେଲା ତେହେରାନ

ଗମ୍ଭୀର ଅଭିଯୋଗ ଆଣିଲେ ରାହୁଲ

ସୋସିଆଲ ମିଡିଆରେ ସରକାରଙ୍କ ପ୍ରତିକ୍ରିୟା ପତ୍ର ସେୟାର କରି ରାହୁଲ ଗାନ୍ଧୀ ଲେଖିଛନ୍ତି, ‘୫ ବର୍ଷ ପୂର୍ବରୁ ସରକାର ବ୍ୟବହାର କରୁଥିବା ୧୦ ଲକ୍ଷ ଚୀନ୍ କ୍ୟାମେରାର ଡାଟା ଚୋରି ହେବାର ଭୟ ରହିଛି ବୋଲି ଜଣାପଡ଼ିଥିଲା । କିନ୍ତୁ ଏବେ ଆମମାନଙ୍କ ଉପରେ ନଜର ରଖୁଥିବା କ୍ୟାମେରାଗୁଡ଼ିକ ସୁରକ୍ଷିତ କି ନାହିଁ, ସେନେଇ ସରକାର କିଛି କହୁନାହାଁନ୍ତି । ଜାଣିଶୁଣି ଭାରତକୁ ଅନ୍ଧକାରରେ ରଖିବାକୁ ଷଡ଼ଯନ୍ତ୍ର କରାଯାଉଛି । ସରକାର ନିଜର ଅପରାଗତା ଲୁଚାଇବାକୁ ଏବଂ ବିଦେଶୀ କମ୍ପାନୀ ଆମ ଉପରେ ନଜର ରଖୁଥିବାର ସତ୍ୟତାକୁ ଘୋଡ଼ାଇବାକୁ ଚେଷ୍ଟା କରୁଛନ୍ତି । ପ୍ରତ୍ୟେକ ନାଗରିକଙ୍କ ସୁରକ୍ଷାକୁ ବିପଦରେ ପକାଇବାକୁ ଚେଷ୍ଟା କରାଯାଉଛି ।’

​​​​​​​

ଦିଲ୍ଲୀରୁ ହଟୁଛି ଚୀନ୍ କ୍ୟାମେରା !

ରାଜଧାନୀ ଦିଲ୍ଲୀର ସର୍ଭେଲାନ୍ସ ନେଟଓ୍ବାର୍କରେ ଅଧାରୁ ଅଧିକ ଚୀନ୍ ସିସିଟିଭି କ୍ୟାମେରା ଲାଗିଛି । ଏବେ ଜାତୀୟ ସୁରକ୍ଷା ଦୃଷ୍ଟିରୁ ଦିଲ୍ଲୀ ସରକାର ଏହି ସବୁ କ୍ୟାମେରାଗୁଡ଼ିକୁ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରବେଶ ବର୍ମା କହିଛନ୍ତି ଯେ, ଚୀନ୍ କମ୍ପାନୀ ହିକଭିଜନର କ୍ୟାମେରାଗୁଡ଼ିକ ପରିବର୍ତ୍ତନ କରି ଅନ୍ୟ କମ୍ପାନୀର କ୍ୟାମେରା ଲଗାଯିବ । ଦିଲ୍ଲୀରେ ୨ ଲକ୍ଷ ୭୦ ହଜାର ସିସିଟିଭି କ୍ୟାମେରା ଲାଗିଛି । ସେଥିମଧ୍ୟରୁ ୧ ଲକ୍ଷ ୪୦ ହଜାର କ୍ୟାମେରା ଚୀନ୍ କମ୍ପାନୀର । ତେଣୁ ଏସବୁ ସିସିଟିଭି କ୍ୟାମେରାକୁ ପରିବର୍ତ୍ତନ କରାଯିବ । ହେଲେ ସରକାରୀ କୋଠାରୁ ଚୀନ୍ ନିର୍ମିତ କ୍ୟାମେରା କେବେ ହଟିବ, ତାକୁ ନେଇ ଉଠିଛି ପ୍ରଶ୍ନବାଚୀ ।