ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଲାଗିଛି ବଡ଼ ଝଟକା।ତାଙ୍କ ବିରୋଧରେ ଚାଲିଥିବା ଅପରାଧିକ ମାନହାନୀ ମୋକଦ୍ଦମା ରଦ୍ଦ କରିବାକୁ ମନା କରିଛନ୍ତି ବମ୍ବେ ଉଚ୍ଚ ନ୍ୟାୟାଳୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଦେଇଥିବା ବିବାଦୀୟ ଟିପ୍ପଣୀ ‘ଚୌକିଦାର ଚୋର ହୈ’, ‘ଚୋରୋଁ କା ସରଦାର’ ଏବଂ ‘କମାଣ୍ଡ ଇନ୍ ଚିଫ୍’କୁ ନେଇ ରାହୁଲ ଗାନ୍ଧୀଙ୍କ ମୁସ୍କିଲ ବଢିବାରେ ଲାଗିଛି। ତାଙ୍କ ବିରୋଧରେ ଦାୟର ଯାଚିକା ଏବଂ ମାମଲା ରଦ୍ଦ ପାଇଁ ନ୍ୟାୟାଳୟର ଦ୍ଵାରସ୍ଥ ହୋଇଥିଲେ ରାହୁଲ। ହାଇକୋର୍ଟ ମଙ୍ଗଳବାର ରାହୁଲଙ୍କ ପକ୍ଷରୁ ଦାୟର ଯାଚିକାର ଶୁଣାଣି କରି ଉପରୋକ୍ତ ନିଷ୍ପତ୍ତି ଦେଇଛନ୍ତି।

ଏହି ମାମଲାରେ ମାଜିଷ୍ଟ୍ରେଟ୍ କୋର୍ଟଙ୍କ ପକ୍ଷରୁ ଜାରି ସମନକୁ ବମ୍ବେ ହାଇକୋର୍ଟରେ ଚ୍ୟାଲୋଞ୍ଜ କରିଥିଲେ ରାହୁଲ ଗାନ୍ଧୀ। ତାଙ୍କ ଓକିଲଙ୍କ ଯୁକ୍ତି ଯେ, ଏହି ଅଭିଯୋଗ ଶୁଣାଣି ଯୋଗ୍ୟ ନୁହେଁ, କାରଣ ରାହୁଲ ନିଜର କଥିତ ବୟାନରେ କୌଣସି ରାଜନୈତିକ ଦଳର ନାଁ ନେଇ ନ ଥିଲେ। ଏଥିରେ ସେ କୌଣସି ବିଶେଷ ବର୍ଗକୁ ଟାର୍ଗେଟ୍ କରି ନ ଥିଲେ।

Also Read: ତାମିଲନାଡୁ ବିଧାନସଭାରେ ହଙ୍ଗାମା, ମାର୍ଶଲ ଡକାଇ DMK ବିଧାୟକଙ୍କୁ କରାଗଲା ବାହାର

କ'ଣ କହିଲେ ହାଇକୋର୍ଟ

ଲାଇଭ ଲର ରିପୋର୍ଟ ମୁତାବକ, ଜଷ୍ଟିସ ନିତିନ ବୋରକରଙ୍କ ଜଣିକିଆ ପୀଠ ରାହୁଲ ଗାନ୍ଧୀଙ୍କ ଦଲିଲ୍ ଖାରଜ କରି କହିଛନ୍ତି, ବିଜେପି ଏକ ପଞ୍ଜିକୃତ ଜାତୀୟ ଦଳ। ନିଶ୍ଚିତ ରୂପେ ଏହା ଏକ ଦଳ ପ୍ରତି ଅପମାନ। ଆବେଦନକାରୀ ନିଜକୁ ବିଜେପିର ଜଣେ ସକ୍ରିୟ ସଦସ୍ୟ ବୋଲି ଦର୍ଶାଇଛନ୍ତି। ସେ ଦୁଇ ଦଶନ୍ଧି ଧରି ବିଜେପିରେ କାମ କରି ଆସୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ପ୍ରତି ରାହୁଲ ଗାନ୍ଧୀ ଯେଉଁ ଶବ୍ଦ ପ୍ରୟୋଗ କରିଛନ୍ତି, ତାହା ନିଶ୍ଚିତ ରୂପେ ଅପମାନଜନକ ଏବଂ ଏହା ପାର୍ଟିର କର୍ମୀ ସହ ପାର୍ଟିର ଛବି ଉପରେ ନକରାତ୍ମକ ପ୍ରଭାବ ପକାଇବ ବୋଲି ଆବେଦନକାରୀ ନିଜ ଯାଚିକାରେ ଦର୍ଶାଇଥିଲେ

କ’ଣ ଥିଲା ପୂରା ମାମଲା ?

୨୦୧୮ ମସିହାରେ ରାଫେଲ୍ ବିମାନ ଚୁକ୍ତିକୁ ନେଇ କଂଗ୍ରେସର ଏକ ରାଲି ସମୟରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆକ୍ଷେପ କରି 'ଗଲି ଗଲି ମେଁ ଶୋର୍ ହୈ, ହିନ୍ଦୁସ୍ତାନ କା ଚୌକିଦାର ଚୋର୍ ହୈ' ଏବଂ 'କମାଣ୍ଡର-ଇନ୍-ଚିଫ୍' ବୋଲି ବକ୍ତବ୍ୟ ଦେଇଥିଲେ। ଏହି ବିବାଦୀୟ ମନ୍ତବ୍ୟକୁ ନେଇ ଭାରତୀୟ ଜନତା ପାର୍ଟି (ବିଜେପି) ମହାରାଷ୍ଟ୍ର ପ୍ରଦେଶ କାର୍ଯ୍ୟକାରିଣୀ ସଦସ୍ୟ ମହେଶ ଶ୍ରୀଶ୍ରୀମାଲ୍ ୨୦୧୮ ସେପ୍ଟେମ୍ବରରେ ଏକ ଅପରାଧିକ ମାନହାନି ମାମଲା ରୁଜୁ କରିଥିଲେ।

Also Read: ମହାଷ୍ଟମୀରେ ମଦ ବ୍ୟାନ୍, ପଣ୍ଡାଲଗୁଡ଼ିକୁ ୧ ଲକ୍ଷ ଟଙ୍କା ଓ ମାଗଣା ବିଜୁଳି, ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ମାଜିଷ୍ଟ୍ରେଟ୍ କୋର୍ଟଙ୍କ ସମନ

ଅଭିଯୋଗ ଆଧାରରେ ୨୦୧୯ ମସିହାରେ ମୁମ୍ବାଇର ମେଟ୍ରୋପୋଲିଟାନ୍ ମାଜିଷ୍ଟ୍ରେଟ୍ କୋର୍ଟ ରାହୁଲ ଗାନ୍ଧୀଙ୍କ ବିରୋଧରେ ଭାରତୀୟ ଦଣ୍ଡସଂହିତା (IPC) ର ଧାରା ୫୦୦ (ମାନହାନି) ଅଧୀନରେ ସମନ ଜାରି କରିଥିଲେ। ଏହାକୁ ଚ୍ୟାଲେଞ୍ଜ କରି ରାହୁଲ ଗାନ୍ଧୀ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଏବଂ ନିଜ ବିରୋଧରେ ହୋଇଥିବା ଏହି ମାମଲା ଓ ସମନ୍ସକୁ ରଦ୍ଦ କରିବାକୁ ଦାବି କରିଥିଲେ।