ସାଂସ୍କୃତିକ ଏବଂ ସାମାଜିକ କାର୍ଯ୍ୟରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ରାଧିକା ଅମ୍ବାନୀ ନିକଟରେ ଛାତ୍ରଛାତ୍ରୀଙ୍କ ସହ ଏକ ଆଲୋଚନା ସମୟରେ ନିଜର ବାସ୍ତବବାଦୀ ଚିନ୍ତାଧାରା ବ୍ୟକ୍ତ କରିଛନ୍ତି। IIMUN (ଇଣ୍ଡିଆନ୍ ଇଣ୍ଟରନ୍ୟାସନାଲ୍ ମୁଭମେଣ୍ଟ ଟୁ ୟୁନାଇଟ୍ ନେସନ୍ସ) ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ ସଫଳତା, ବିଫଳତା, ନିରନ୍ତର ଶିକ୍ଷା ଏବଂ ସମାଜ ପ୍ରତି ନିଜର ଦାୟିତ୍ୱବୋଧ ଉପରେ ଅନେକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି।

୧. ସଫଳତାର ନୂଆ ପରିଭାଷା(Success Story)

କ୍ଷମତା, ଖ୍ୟାତି ଏବଂ ଅର୍ଥକୁ ସାଧାରଣତଃ ସଫଳତାର ମାପକାଠି ବୋଲି ଧରାଯାଏ, କିନ୍ତୁ ରାଧିକାଙ୍କ ମତରେ ସଫଳତା କେବଳ ଏତିକିରେ ସୀମିତ ନୁହେଁ। ନିଜର ଅନୁଭୂତି ବର୍ଣ୍ଣନା କରି ସେ କହିଛନ୍ତି:

"ମୁଁ ପ୍ରତିଦିନ ସକାଳେ ନିଜକୁ ଗୋଟିଏ ପ୍ରଶ୍ନ ପଚାରେ: ଆଜି ମୁଁ ଚାକିରି ସୃଷ୍ଟି କରିପାରିଛି କି ନାହିଁ? ତାହା ହିଁ ମୋର ମୁଖ୍ୟ ଲକ୍ଷ୍ୟ।"

ସଫଳତା କେବଳ ନିଜ ପାଇଁ ସମ୍ପତ୍ତି ଠୁଳ କରିବା ନୁହେଁ, ବରଂ ସମାଜ ପାଇଁ କିଛି ଯୋଗଦାନ କରିବା (Contribution) ବୋଲି ସେ ଯୁବପିଢ଼ିଙ୍କୁ ବୁଝାଇଛନ୍ତି।

୨. ବିଫଳତାର ଭୟକୁ କିପରି କରିବେ ଦୂର?

ନିଜ 20s କଥା ମନେପକାଇ ରାଧିକା କହିଛନ୍ତି ଯେ, ସେତେବେଳେ ତାଙ୍କ ମନରେ ମଧ୍ୟ ବିଫଳ ହେବାର ଏକ ବଡ଼ ଭୟ ଥିଲା।

ଯେତେବେଳେ ଲୋକେ ଆପଣଙ୍କୁ କୁହନ୍ତି ଯେ ଆପଣ ଭବିଷ୍ୟତରେ ବହୁତ ବଡ଼ କାମ କରିବେ, ସେତେବେଳେ ବିଫଳତାର ଭୟ ଏତେ ବଢ଼ିଯାଏ ଯେ ମଣିଷ କୌଣସି ପଦକ୍ଷେପ ନେବାକୁ ପଛଘୁଞ୍ଚା ଦିଏ।

ଏଥିରୁ ମୁକୁଳିବା ପାଇଁ କେବଳ ଆତ୍ମବିଶ୍ୱାସ ଯଥେଷ୍ଟ ନୁହେଁ। ଏଥିପାଇଁ କାର୍ଯ୍ୟ କରିବା, ଛୋଟ ଛୋଟ ନିଷ୍ପତ୍ତି ନେବା ଏବଂ ସେହି ଛୋଟ ବିଜୟ ମାଧ୍ୟମରେ ନିଜ ଉପରେ ବିଶ୍ୱାସ ଜାଗ୍ରତ କରିବା ଅଧିକ ଜରୁରୀ।

୩. ନାରୀବାଦ(Feminism) ଏବଂ ଆର୍ଥିକ ସ୍ୱାଧୀନତା (Financial Independence)

ସମାନତା ଏବଂ ନାରୀବାଦ ପ୍ରସଙ୍ଗରେ ରାଧିକାଙ୍କ ବିଚାର ଅତ୍ୟନ୍ତ ସ୍ପଷ୍ଟ ଥିଲା। ସେ କହିଛନ୍ତି:

ପ୍ରକୃତ ସମାନତା ଆଣିବାକୁ ହେଲେ କେବଳ ମହିଳାଙ୍କୁ ସଶକ୍ତ କଲେ ହେବନାହିଁ, ବରଂ ମହିଳାଙ୍କ ସହ ପୁରୁଷମାନଙ୍କୁ ମଧ୍ୟ ସମାନ ଭାବେ ଶିକ୍ଷିତ କରିବାକୁ ପଡ଼ିବ।

ନିଜ ବୈବାହିକ ଜୀବନର ଉଦାହରଣ ଦେଇ ସେ କହିଛନ୍ତି, "ଆଜି ଆମେ ଦୁହେଁ ଭିନ୍ନ ହୋଇପାରୁ, କିନ୍ତୁ ଆମେ ସମାନ। କେଉଁ ଦିଗରେ ଅନନ୍ତ ଆଗରେ ରହନ୍ତି ତ ଆଉ କେଉଁଠି ମୁଁ ନେତୃତ୍ୱ ନିଏ।"

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆର୍ଥିକ ସ୍ୱାଧୀନତା। ସେ ମହିଳାମାନଙ୍କୁ ସତର୍କ କରାଇ ଦେଇଛନ୍ତି ଯେ, "ନିଜ ଜୀବନରେ କେବେ ବି ଏମିତି କୌଣସି ସମ୍ପର୍କ କିମ୍ବା ପରିସ୍ଥିତି ସହ ବାନ୍ଧି ହୋଇ ରୁହନ୍ତୁ ନାହିଁ, ଯେଉଁଠାରୁ ବାହାରିବା ପାଇଁ ଆପଣଙ୍କ ପାଖରେ କୌଣସି ବିକଳ୍ପ ନଥିବ। ତାହା ଏକ ଅତ୍ୟନ୍ତ ବିପଜ୍ଜନକ ସ୍ଥିତି।"

୪. ଭିନ୍ନ ମତକୁ ସମ୍ମାନ ଏବଂ ସହନଶୀଳତା

ବର୍ତ୍ତମାନର ସୋସିଆଲ ମିଡିଆ ଯୁଗର ଅବସ୍ଥାକୁ ନେଇ ରାଧିକା ପରାମର୍ଶ ଦେଇଛନ୍ତି ଯେ, ଅନ୍ୟ କାହା ଦ୍ୱାରା ପ୍ରଭାବିତ ନହୋଇ ଅଧିକରୁ ଅଧିକ ଭିନ୍ନ ଭିନ୍ନ ମତ ପଢ଼ନ୍ତୁ। ଲୋକଙ୍କ ମଧ୍ୟରେ ଥିବା ଭିନ୍ନତାକୁ ସ୍ୱୀକାର କରିବା ସହ ସହନଶୀଳ (Tolerant) ହେବାକୁ ଶିଖନ୍ତୁ। ଆପଣ ବିଶ୍ୱସ୍ତରୀୟ ଚିନ୍ତାଧାରା ରଖିବା ସହ ନିଜ ମୂଳ ଚେର ବା ସଂସ୍କୃତି ସହ ମଧ୍ୟ ଯୋଡ଼ି ହୋଇ ରହିବା ଆବଶ୍ୟକ।