ପୁରୀ ୨୪।୧୧ : ଅପହରଣ ମାମଲାରେ ପୁରୀ ପୋଲିସକୁ ସଫଳତା । ଭୁବନେଶ୍ୱରରୁ ଉଦ୍ଧାର ହେଲେ ଅପହୃତ ନାବାଳିକା । ଏହି ଘଟଣାରେ କେନିଆର ଜଣେ ନାଗରିକଙ୍କୁ ଗିରଫ କରିଛି ପୁରୀ ଟାଉନ୍ ଥାନା ପୋଲିସ । ଅଭିଯୁକ୍ତଙ୍କ ନାଁ ମହମଦ ଫେଜ ମହମଦ ।

ଅଭିଯୋଗ ଅନୁସାରେ, ଅନଲାଇନ୍ ଗେମ୍ ମାଧ୍ୟମରେ ନାବାଳିକାଙ୍କ ସହ ସମ୍ପର୍କ ସ୍ଥାପନ କରି ତାଙ୍କୁ ପ୍ରଲୋଭିତ କରିଥିଲେ ଅଭିଯୁକ୍ତ । ପରେ ତାଙ୍କୁ ଅପହରଣ କରି ପରିବାର ଲୋକଙ୍କୁ ଏକ ଲକ୍ଷ ଟଙ୍କା ଦାବି କରିଥିବା ଅଭିଯୋଗ ହୋଇଛି । ଏନେଇ ପରିବାର ପକ୍ଷରୁ ପୁରୀ ଟାଉନ୍ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ପରେ ଭୁବନେଶ୍ୱରର ଜାଗମରା ଅଞ୍ଚଳରେ ଥିବା ଏକ ଘରୋଇ ହୋଟେଲରୁ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ନାବାଳିକାଙ୍କୁ ଉଦ୍ଧାର କରିଛି ପୋଲିସ ।

Also Read:-ସିଗାରେଟ୍ ଧୂଆଁରେ ଉଡ଼ିଲା ୨୧୦୦ କୋଟି, ରାଜକୋଷକୁ ମିଳିଲା ୩୧୯ କୋଟି

ସେପଟେ, ନାବାଳିକାଙ୍କ ସହ ଦୁଷ୍କର୍ମ ହୋଇଥିବା ନେଇ ମଧ୍ୟ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗର ସତ୍ୟତା ଓ ଘଟଣାର ଅନ୍ୟାନ୍ୟ ଦିଗ ନେଇ ପୁରୀ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।