ପୁରୀ: ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପୁଣି ଉଠିଲା ବଡ଼ ପ୍ରଶ୍ନ । ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଶ୍ରୀମନ୍ଦିରର ଡ୍ରୋନ୍ ଭିଡିଓ ଭାଇରାଲ୍ ହେବା ପରେ ଏହାକୁ ନେଇ ସବୁଠି ଚର୍ଚ୍ଚା ଜୋର୍ ଧରିଛି । ଉତ୍ତରାଖଣ୍ଡର ଆୟୁଷ ସିହ୍ନା ନାମକ ଏକ ଇନଷ୍ଟାଗ୍ରାମ ଆଇଡିରେ ଏହି ଭିଡିଓ ପୋଷ୍ଟ ହୋଇଛି । ନୀଳଚକ୍ର ଠାରୁ ଆରମ୍ଭ କରି ମନ୍ଦିର ପରିସରର ପୁରା ଚିତ୍ର ଡ୍ରୋନରେ କଏଦ୍ ହୋଇଛି । ଏହି ଦୃଶ୍ୟ ଦେଖିବା ପରେ ଭକ୍ତମାନଙ୍କ ମଧ୍ୟରେ ଶ୍ରୀମନ୍ଦିରର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି ।

ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇବା ସମ୍ପୂର୍ଣ୍ଣ ନିଷେଧ ରହିଛି । ଏହା ସତ୍ତ୍ୱେ କେମିତି ଡ୍ରୋନ୍ ଉଡ଼ିଲା, ତାକୁ ନେଇ ଏବେ ସବୁଠୁ ବଡ଼ ପ୍ରଶ୍ନ । ନିୟମ ଅନୁଯାୟୀ ଶ୍ରୀମନ୍ଦିରକୁ ନୋ ଫ୍ଲାଇଙ୍ଗ ଜୋନ୍ ଘୋଷଣା କରାଯାଇଛି । ଏଠାରେ ବିନା ଅନୁମତିରେ ଡ୍ରୋନ୍ ଉଡ଼ାଇବା ଅପରାଧ । ଶ୍ରୀମନ୍ଦିର ପ୍ରଶାସନ, ପୁରୀ ପୋଲିସ୍ ଓ ଡିଜିସିଏ ପକ୍ଷରୁ ବାରମ୍ବାର ସତର୍କ କରାଯାଇଛି । ତଥାପି ନିୟମକୁ ବେଖାତିର କରି କିଛି ଲୋକ କେବଳ ଭାଇରାଲ୍ ହେବା ପାଇଁ ଏଭଳି କାଣ୍ଡ କରୁଛନ୍ତି ।

Also Read: ଶ୍ରୀମନ୍ଦିର ବାହାରେ ମହାପ୍ରସାଦ ବେପାର, ଅସାଧୁ ବ୍ୟକ୍ତିଙ୍କ ଉପରେ କେବେ ପଡ଼ିବ ପ୍ରଶାସନର ଛାଟ ?

ତେବେ ଏହା ପ୍ରଥମ ଥର ନୁହେଁ । ଏହା ପୂର୍ବରୁ ମଧ୍ୟ ବାରମ୍ବାର ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇବା ଘଟଣା ସାମ୍ନାକୁ ଆସିଛି । କେତେବେଳେ ପର୍ଯ୍ୟଟକ, କେତେବେଳେ ୟୁଟ୍ୟୁବର୍, କେତେବେଳେ ଇନଷ୍ଟାଗ୍ରାମ ଇନଫ୍ଲୁଏନ୍ସର୍ । ପ୍ରତ୍ୟେକ ଥର ଘଟଣା ଘଟେ, ଚର୍ଚ୍ଚା ହୁଏ, ତାପରେ ସବୁ ଚୁପ୍ । କାରଣ କଡ଼ା ଆଇନ ନାହିଁ । ମାମୁଲି ତାଗିଦ୍ କିମ୍ବା ସାମାନ୍ୟ ଜରିମାନା କରି ଛାଡ଼ି ଦିଆଯାଉଛି । ଏଥିପାଇଁ ଏଭଳି ବେଆଇନ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ମନରେ ଡର ନାହିଁ । ଶ୍ରୀମନ୍ଦିର କୋଟି କୋଟି ଭକ୍ତଙ୍କ ଆସ୍ଥାର କେନ୍ଦ୍ର । ଏହା ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳ । ଏଥିସହ ଡ୍ରୋନ୍ ଖସି ପଡ଼ିଲେ ଭକ୍ତଙ୍କ ଜୀବନ ପ୍ରତି ବି ବିପଦ ରହିଛି । ତେଣୁ ଏହାକୁ ହାଲୁକା ଭାବେ ନେବା ଉଚିତ୍ ନୁହେଁ । ତୁରନ୍ତ ଏ ଦିଗରେ ପ୍ରଶାସନ କଡ଼ା ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି ।