ପୁରୀ: ସରକାର ଓ ଅଧିକାରୀ ବଦଳିଲେ ବଦଳୁଛି ନିଷ୍ପତ୍ତି । ଶ୍ରୀଗୁଣ୍ଡିଚା ମନ୍ଦିର ଦର୍ଶନୀ ନିଃଶୁକ୍ଲ କରିବାକୁ ନିଆଯାଇଥିବା ନିଷ୍ପତ୍ତିକୁ ହଠାତ୍ ବଦଳାଇ ଶୁକ୍ଳ ଆଦାୟ କରିବାକୁ ନିଷ୍ପରି ନିଆଯାଇଛି । ଯାହାକୁ ନେଇ ଭକ୍ତ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ଶ୍ରୀଗୁଣ୍ଡିଚା ମନ୍ଦିର ପ୍ରବେଶ ନିଃଶୁଳ୍କ କରିବାକୁ ୨୦୨୦ ମସିହାରେ ହୋଇଥିବା ନିଷ୍ପତ୍ତିକୁ ୨୦୨୬ରେ ବଦଳାଇ ଦେଇଛି ଶ୍ରୀମନ୍ଦିର ପ୍ରଶାସନ ।

୨୦୨୦ ମସିହା ଫେବ୍ରୁଆରୀ ୧୮ରେ ତତ୍କାଳୀନ ମୁଖ୍ୟ ପ୍ରଶାସକ ଡ.କିଷନ କୁମାରଙ୍କ ସଭାପତିତ୍ୱରେ ଶ୍ରୀମନ୍ଦିର ପ୍ରଶାସନର ଅର୍ଥ ସବକମିଟି ବୈଠକ ବସିଥିଲା । ଯେଉଁଥିରେ ଜିଲ୍ଲାପାଳ, ଏସ୍ପିଙ୍କ ସମେତ ଅନ୍ୟ ଅଧିକାରୀବୃନ୍ଦ ଏବଂ ପରିଚାଳନା କମିଟି ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ଶ୍ରୀମନ୍ଦିର ଭିତର ୭ଟି ମାହାଲ ଯଥା କୋଇଲିବୈକୁଣ୍ଠ ଦର୍ଶନୀ, ରୋହଣୀକୁଣ୍ଡ ଦର୍ଶନୀ, ନୀଳାଚଳ ଉପବନ ଦର୍ଶନୀ, ରୋଷ ଦର୍ଶନୀ, ଲୁଣପତ୍ର, ବଲ୍ଲଭ ଭୋଗ ଓ ମହାଲକ୍ଷ୍ମୀ ଭଣ୍ଡାର ମାହାଲ ସମେତ ଶ୍ରୀମନ୍ଦିର ବାହାରେ ଥିବା ଶ୍ରୀଗୁଣ୍ଡିଚା ମନ୍ଦିର ଦର୍ଶନୀ ଓ ନରେନ୍ଦ୍ର ସଂକଳ୍ପ ମାହାଲ ଏହିପରି ୯ଟି ମାହାଲକୁ ନିଲାମ ନକରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

ଯେଉଁ ଦର୍ଶନୀ ମାହାଲଗୁଡ଼ିକରେ ଟିକସ ବ୍ୟବସ୍ଥା କରାଯାଇଥିଲା, ସେଗୁଡ଼ିକୁ ଯାତ୍ରୀ ତଥା ଦର୍ଶନାର୍ଥୀ ବିନା ଟିକେଟରେ ଦର୍ଶନ ପାଇପାରିବେ ବୋଲି ନିଷ୍ପରି ନିଆଯାଇଥିଲା । ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ଭାଷାରେ ମାହାଲଗୁଡ଼ିକର ପ୍ରବେଶ ସ୍ଥାନରେ ଏବାବଦରେ ଫଳକ ଲଗାଯିବାକୁ ମଧ୍ୟ ନିଷ୍ପରି ହୋଇଥିଲା । ଯାତ୍ରୀ ତଥା ଦର୍ଶନାର୍ଥୀମାନଙ୍କଠାରୁ କୌଣସି ବ୍ୟକ୍ତି ଯେପରି ଟିକସ ଆଦାୟ ନକନ୍ତି ସେଥିପ୍ରତି ପ୍ରଶାସନ ପକ୍ଷରୁ କର୍ମଚାରୀ ନିଯୁକ୍ତି ଦିଆଯିବାକୁ ନିଷ୍ପତ୍ତି ହୋଇଥିଲା ।

ହେଲେ ସରକାର ଓ ଅଧିକାରୀ ବଦଳିବା ପରେ ଗୋଟିଏ ପରେ ଗୋଟିଏ ଦର୍ଶନୀ ବ୍ୟବସ୍ଥାରେ ଶ୍ରଦ୍ଧାଳୁଙ୍କଠାରୁ ଟିକସ ଆଦାୟ ଲାଗୁ କରାଯାଇଛି । ନରେନ୍ଦ୍ର ସଂକଳ୍ପ ମାହାଲ, କୋଇଲିବୈକୁଣ୍ଠ ଦର୍ଶନୀ, ନୀଳାଚଳ ଉପବନ ଦର୍ଶନୀ, ରୋଷଘର ଦର୍ଶନୀ ନିମନ୍ତେ ଶ୍ରଦ୍ଧାଳୁଙ୍କଠାରୁ ଶ୍ରୀମନ୍ଦିର ପ୍ରଶାସନ ଅର୍ଥ ଆଦାୟ କରୁଛି । ଏବେ ଶ୍ରୀଗୁଣ୍ଡିଚା ମନ୍ଦିର ଦର୍ଶନୀ ନିମନ୍ତେ ଅର୍ଥ ଆଦାୟ କରିବାକୁ ପଦକ୍ଷେପ ନେଉଛି । ଯାହାକୁ ଭକ୍ତମନେ ନାପସନ୍ଦ କରୁଛନ୍ତି ।

ସେପଟେ ଶ୍ରୀଗୁଣ୍ଡିଚା ମନ୍ଦିର ପରିଦର୍ଶନ ନିଃଶୁକ୍ତ କରାଯାଉ ବୋଲି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ହୋଇଛି । ଦାବି ହୋଇଛି ଯେ ପ୍ରତି ଶ୍ରଦ୍ଧାଳୁଙ୍କଠାରୁ ୧୦ ଟଙ୍କା ଆଦାୟ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନେଇଥିବା ନିଷ୍ପତ୍ତିକୁ ତୁରନ୍ତ ପରିବର୍ତ୍ତନ କରାଯାଉ । ଏନେଇ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଇଛନ୍ତି ଆଇନଜୀବୀ ଦିଲ୍ଲୀପ ବରାଳ । ସେ ଅଭିଯୋଗ କରିଛନ୍ତି, ସମସ୍ତ ଶ୍ରଦ୍ଧାଳୁଙ୍କ ପକ୍ଷେ ୧୦ ଟଙ୍କା ଶୁଳ୍କ ଦେବା ସମ୍ଭବ ନୁହେଁ । କାରଣ ଅନେକ ଆର୍ଥିକ ଅନଗ୍ରସର ବର୍ଗର ଶ୍ରଦ୍ଧାଳୁ ମଧ୍ୟ ପରିଦର୍ଶନ ନିମନ୍ତେ ଆସିବେ । ଲୋକଙ୍କ ଅକ୍ଷମତାକୁ ଦୃଷ୍ଟିରେ ରଖି ସରକାର ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ପରିବାରଙ୍କୁ ରାସନ କାର୍ଡରେ ମାଗଣା ଚାଉଳ, ଗହମ ପ୍ରଭୃତି ଦେଉଛନ୍ତି । ସହରାଞ୍ଚଳରେ ଥିବା ଆହାର କେନ୍ଦ୍ରରେ ୫ ଟଙ୍କାରେ ପେଟପୂରା ଖାଦ୍ୟ ଯୋଗାଇ ଦେଉଛନ୍ତି । ସୁଭଦ୍ରା ଯୋଜନରେ ମହିଳାଙ୍କୁ ଅର୍ଥିକ ସହାୟତା, ବିଭିନ୍ନ ବର୍ଗର ଲୋକଙ୍କୁ ସମାଜିକ ସୁରକ୍ଷା ଭତ୍ତା, ସ୍ୱାବଲମ୍ବୀ ହେବାକୁ ସହାୟତା ରାଶି, ମାଗଣା ଚିକିତ୍ସା ସେବା ଓ ଔଷଧ ପ୍ରଭୃତି ଯୋଗାଇ ଦେଉଛନ୍ତି । ଆର୍ଥିକ ଅନଗ୍ରସର ପରିବାର ଲୋକେ ଶ୍ରୀଗୁଣ୍ଡିଚା ମନ୍ଦିର ପରିଦର୍ଶନ କରିବାକୁ ଚାହିଁଲେ ଅଯଥା ଖର୍ଚ୍ଚାନ୍ତ ହେବେ । ଅନ୍ୟପଟେ ଅଚଳାଚଳ ସମ୍ପରିର ମାଲିକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରକ୍ତଙ୍କ ଠାରୁ ଜନ୍ମବେଦି ପରିଦର୍ଶନ ନିମନ୍ତେ ଟିକସ ଆଦାୟ କରାଯିବା ଧର୍ମ ବିରୋଧୀ ।

ପ୍ରଶାସନର ଅକ୍ଷମତାରୁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମରେ ଥିବା ଅଚଳାଚଳ ସମ୍ପତ୍ତିରୁ ରାଜସ୍ୱ ଆଦାୟ ହୋଇପାରୁନାହିଁ । ମହାପ୍ରଭୁଙ୍କ ୨୨ ହଜାର ଏକର ସମ୍ପତ୍ତି ଏପର୍ଯ୍ୟନ୍ତ ଠାବ ହୋଇପାରିନାହିଁ । ୩୮ ହଜାର ଏକର ସମ୍ପତ୍ତି ଠାବ ହୋଇଥିଲେ ହେଁ ଏହା ମଧ୍ୟରୁ ୭୦%ରୁ ଅଧିକ ଜମିରୁ ରାଜସ୍ୱ ବା ରାଜଭାଗ ଆଦାୟ କରିପାରୁନି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ । ସମସ୍ତ ଜମିକୁ ଚିହ୍ନଟ କରିବା ଓ ଏଥିରୁ ରାଜଭାଗ ଆଦାୟକୁ ସୁନିଶ୍ଚିତ କରଯାଉନି । ତେଣେ ମହାପ୍ରଭୁଙ୍କୁ ଭୂମିଶୂନ୍ୟ କରିବାକୁ ତାଙ୍କ ଜମି ବିକ୍ରିବଟା ଯୋଜନା ହୋଇଛି । ଶ୍ରୀଗୁଣ୍ଡିଚା ମନ୍ଦିରରେ ପରିଦର୍ଶନ ନିମନ୍ତେ ଶ୍ରଦ୍ଧାଳୁଙ୍କ ଜୋତା, ମୋବାଇଲ ପ୍ରଭୃତି ରଖିବା ମାଗଣା ହୋଇଥିବା ବେଳେ ପ୍ରବେଶ ନିମନ୍ତେ ଶୁକ୍ଳ ଆଦାୟ ଆଦୌ ଯୁକ୍ତିସଂଗତ ନୁହେଁ । ତେଣୁ ଶ୍ରଦ୍ଧାଳୁଙ୍କ ଶ୍ରୀଗୁଣ୍ଡିଚା ମନ୍ଦିର ପରିଦର୍ଶନକୁ ସମ୍ପୂର୍ଣ ନିଃଶୁକ୍ଳ କରିବା ପାଇଁ ଶ୍ରୀ ବରାଳ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ନିବେଦନ କରିଛନ୍ତି ।