ନୂଆଦିଲ୍ଲୀ: ଭାରତରେ ପ୍ରିମିୟମ୍ ଟ୍ରାଭେଲର ଧାରା ଏବେ ଦ୍ରୁତ ଗତିରେ ବଦଳୁଛି। ପୂର୍ବରୁ ଆରାମଦାୟକ ହୋଟେଲ୍, ଆଡମ୍ବରପୂର୍ଣ୍ଣ ସୁବିଧା ଓ ଦାମୀ ଯାତ୍ରାକୁ ପ୍ରିମିୟମ୍ ଟ୍ରାଭେଲର ପରିଚୟ ଭାବେ ଦେଖାଯାଉଥିଲା। କିନ୍ତୁ ଏବେ ଯାତ୍ରୀଙ୍କ ପସନ୍ଦରେ ଆସୁଛି ବଡ଼ ପରିବର୍ତ୍ତନ। ବର୍ତ୍ତମାନ ଅଧିକ ଖର୍ଚ୍ଚ କରି ମଧ୍ୟ ଯାତ୍ରୀମାନେ କେବଳ ଆଡମ୍ବର ନୁହେଁ, ବରଂ ଅନୁଭୂତି, ବ୍ୟକ୍ତିଗତ ସେବା ଓ ସୁବିଧାକୁ ଗୁରୁତ୍ୱ ଦେଉଛନ୍ତି। ବିଶେଷକରି ଉଚ୍ଚ ଆୟବର୍ଗର ଯାତ୍ରୀଙ୍କ ମଧ୍ୟରେ ଏହି ପରିବର୍ତ୍ତନ ଅଧିକ ଦେଖାଯାଉଛି । ପ୍ରିମିୟମ୍ ଯାତ୍ରା ଏବେ କେବଳ ‘କେଉଁଠି ଯିବେ’ ଉପରେ ନୁହେଁ, ‘କିପରି ଅନୁଭବ କରିବେ’ ଉପରେ ଅଧିକ ନିର୍ଭର କରୁଛି ।

୧. ଅନୁଭୂତିକୁ ମିଳୁଛି ଅଧିକ ଗୁରୁତ୍ୱ :

ଯାତ୍ରୀମାନେ ଏବେ ସାଧାରଣ ଦର୍ଶନୀୟ ସ୍ଥାନ ବୁଲିବା ବଦଳରେ ଅନନ୍ୟ ଓ ସ୍ମରଣୀୟ ଅନୁଭୂତି ଖୋଜୁଛନ୍ତି। ସ୍ଥାନୀୟ ସଂସ୍କୃତିକୁ ନିକଟରୁ ଜାଣିବା, ବିଶେଷ ଖାଦ୍ୟ ଅନୁଭବ, ପ୍ରକୃତି ସହ ସମୟ ବିତାଇବା କିମ୍ବା ବ୍ୟକ୍ତିଗତ ଭାବେ ଡିଜାଇନ୍ ହୋଇଥିବା ଟ୍ରିପ୍ ଏବେ ପ୍ରିମିୟମ୍ ଯାତ୍ରାର ଅଂଶ ହେଉଛି।

୨. ବ୍ୟକ୍ତିଗତ ସେବା ଓ ସୁବିଧା:

ପ୍ରିମିୟମ୍ ଯାତ୍ରୀଙ୍କ ପାଇଁ ଏବେ ସମୟ ଓ ସୁବିଧା ଦୁଇଟି ମୁଖ୍ୟ ବିଷୟ। ନିଜ ପସନ୍ଦ ଅନୁଯାୟୀ ଟ୍ରାଭେଲ୍ ପ୍ଲାନ୍, ଫ୍ଲେକ୍ସିବଲ୍ ବୁକିଂ, ପ୍ରାଇଭେଟ୍ ଟ୍ରାନ୍ସଫର୍ ଓ ବ୍ୟକ୍ତିଗତ ସହାୟତା ଭଳି ସେବା ପ୍ରତି ଚାହିଦା ବଢ଼ୁଛି। ଅର୍ଥାତ୍, ଯାତ୍ରୀ ଏବେ କେବଳ ଦାମୀ ସେବା ନୁହେଁ, ନିଜ ଆବଶ୍ୟକତା ଅନୁଯାୟୀ ସେବା ଚାହୁଁଛନ୍ତି।

୩. ସ୍ୱାସ୍ଥ୍ୟ, ୱେଲନେସ୍ ଓ ସସ୍ଥାୟୀ ଯାତ୍ରା:

ପ୍ରିମିୟମ୍ ଟ୍ରାଭେଲ୍ରେ ୱେଲନେସ୍ର ଗୁରୁତ୍ୱ ମଧ୍ୟ ବଢ଼ିଛି। ସ୍ପା, ଯୋଗ, ମେଡିଟେସନ୍, ହେଲ୍ଥ୍ ରିଟ୍ରିଟ୍ ଭଳି ଅନୁଭୂତି ପ୍ରତି ଯାତ୍ରୀଙ୍କ ଆଗ୍ରହ ବୃଦ୍ଧି ପାଉଛି। ସେହିପରି ପରିବେଶ ଉପରେ କମ୍ ପ୍ରଭାବ ପକାଉଥିବା ହୋଟେଲ୍, ଲୋକାଲ୍ ଅନୁଭୂତି ଓ ଦାୟିତ୍ୱଶୀଳ ପର୍ଯ୍ୟଟନ ମଧ୍ୟ ପ୍ରିମିୟମ୍ ଯାତ୍ରୀଙ୍କ ଚୟନରେ ସ୍ଥାନ ପାଉଛି। ଟ୍ରାଭେଲ୍ ଇଣ୍ଡଷ୍ଟ୍ରିରେ ଏହି ପରିବର୍ତ୍ତନ ଦର୍ଶାଉଛି ଯେ ପ୍ରିମିୟମ୍ ଯାତ୍ରାର ଅର୍ଥ ଏବେ କେବଳ ଅଧିକ ଟଙ୍କା ଖର୍ଚ୍ଚ କରିବା ନୁହେଁ। ଯାତ୍ରୀମାନେ ନିଜ ଟଙ୍କା ବଦଳରେ ଅଧିକ ମୂଲ୍ୟବାନ ଓ ବ୍ୟକ୍ତିଗତ ଅନୁଭୂତି ଆଶା କରୁଛନ୍ତି। ଫଳରେ ଭାରତର ପ୍ରିମିୟମ୍ ଟ୍ରାଭେଲ୍ ବଜାର ମଧ୍ୟ ‘ଲକ୍ଜୁରୀ’ରୁ ‘ପର୍ସନାଲାଇଜ୍ଡ ଏକ୍ସପିରିଏନ୍ସ’ ଦିଗ ଆଗକୁ ମୁହାଉଁଛି ।