ପୁରୀ: ଶ୍ରୀଜଗନ୍ନାଥ ସଂସ୍କୃତିକୁ ନେଇ ଇସ୍କନର ଏତାଦୃଶ୍ୟକୁ ନେଇ ରାଜ୍ୟରେ ଅସନ୍ତୋଷର ବହ୍ନି କୁହୁଳିବାରେ ଲାଗିଛି। ଗଜପତି ମହାରାଜ ଦିବ୍ୟସିଂହଙ୍କଠୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ଇସ୍କନ ପ୍ରତି ଅସନ୍ତୋଷ ବଢିବାରେ ଲାଗିଛି। ଏହା ମଧ୍ୟରେ ଇସ୍କନ ପ୍ରେସ ରିଲିଜକୁ ନେଇ ଗଜପତି ଦିବ୍ୟସିଂହ ଦେବ କଡ଼ା ଜବାବ ଦେଇଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଲିଖିତ ଭାବେ ଆସନ୍ତାକାଲି ଏହାର କଡ଼ା ଜବାବ ଦିଆଯିବ ବୋଲି ମହାରାଜ ଦିବ୍ୟସିଂହ ଦେବ କହିଛନ୍ତି।

ଦିବ୍ୟସିଂହ ଦେବ କହିଛନ୍ତି, ଇସ୍କନ ମୁମ୍ବାଇ ସ୍ଥିତ ଜୁହୁ ଶାଖା ପକ୍ଷରୁ ଦିଆଯାଇଥିବା ପ୍ରେସ ରିଲିଜରେ ରହିଥିବା ତଥ୍ୟ ସଂପୂର୍ଣ୍ଣ ମିଥ୍ୟା ଓ ଅପ୍ରାସଙ୍ଗିକ। ଶ୍ରୀନଅରରେ ପୁରୀର ବିଦ୍ୱାନ ଓ ଇସ୍କନ ବିଦ୍ୱାନଙ୍କ ମଧ୍ୟରେ ଆଲୋଚନା ଓ ତର୍କ ହୋଇଥିଲା।ତେବେ ପୁରୀ ବିଦ୍ୱାନ ତର୍କରେ ହାରି ଯାଇଥିଲେ ବୋଲି ଇସ୍କନ ସଂପୂର୍ଣ୍ଣ ମନଗଢ଼ା କାହାଣୀ କହୁଛି। ୧୯୯୧ ମସିହାରେ ଇସ୍କନର ନିମନ୍ତ୍ରଣ କ୍ରମେ ସେ ଜର୍ମାନୀର ବର୍ଲିନ୍ ସହରକୁ ଯାଇଥିଲେ। ସେତେବେଳେ ସେଠାରେ ରଥଯାତ୍ରା ଆୟୋଜିତ ହେଉଥିଲା।ତେବେ ଗଜପତି ସେଠାକାର ରଥଯାତ୍ରାକୁ ପ୍ରଶଂସା କରିନଥିଲେ କି ସେଠାରେ ରଥଯାତ୍ରା ଆୟୋଜନ ପାଇଁ ସ୍ୱୀକୃତି ଦେଇନଥିଲେ।

Also Read: ଗଜପତିଙ୍କୁ ମହାପ୍ରଭୁଙ୍କ ସୁସ୍ଥତାର ବାର୍ତ୍ତା ଦେଲେ ସେବାୟତ, ତ୍ରୟୋଦଶୀ ତିଥିରେ ରାଜପ୍ରସାଦ ବିଜେ ନୀତି

ପ୍ରେସ ରିଲିଜରେ ଗଜପତିଙ୍କ ନାଁ ଯୋଡ଼ିବା ନେଇ ଆଜି ଶ୍ରୀନଅର ଠାରେ ଆୟୋଜିତ ରାଜପ୍ରସାଦ ବିଜେ ସମୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଗଜପତି ଏହି ସୂଚନା ଦେଇଛନ୍ତି। ୧୯୯୧ ମସିହା ପୂର୍ବରୁ ଇସ୍କନ ଅଦିନିଆ ରଥଯାତ୍ରା ଆୟୋଜନ କରିଆସୁଥିଲା। ସେ ଜାଣିବା ପରେ ବ୍ୟକ୍ତିଗତ ଭାବେ ଏହା ବନ୍ଦ କରିବା ପାଇଁ ପ୍ରଥମେ ମୌଖିକ ଓ ପରେ ଚିଠି ମାଧ୍ୟମରେ ବାରମ୍ବାର ଜଣାଇଥିଲେ। ଶ୍ରୀମନ୍ଦିର ପରିଚାଳନା କମିଟି ମଧ୍ୟ ଲିଖିତ ଭାବେ ଅନେକଥର ଇସ୍କନ ଜିଭିସିକୁ ଏ ସମ୍ପର୍କରେ ଅବଗତ କରାଇଥିଲା। ଏହା ସତ୍ତ୍ୱେ ଇସ୍କନ ବିଶ୍ୱର ବିଭିନ୍ନ ସ୍ଥାନରେ ଅତିଥିରେ ଓ ଅଦିନିଆ ସ୍ନାନଯାତ୍ରା ଓ ରଥଯାତ୍ରା ଆୟୋଜନ କରିଆସୁଛି।

ବର୍ତ୍ତମାନ ପ୍ରବାସୀ ଭାରତୀୟଙ୍କ ସହ ଭାରତ ଓ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ବିରୋଧ ପରେ ଇସ୍କନ ପ୍ରେସ ରିଲିଜ୍ ମାଧ୍ୟମରେ ଏଭଳି ମିଥ୍ୟା ଓ ବିଭ୍ରାନ୍ତିକର ତଥ୍ୟ ଦେଇଛି। ସେମାନଙ୍କ ପାଖରେ ଆଉ କିଛି ବାଟ ନାହିଁ ବୋଲି କଡା ଶବ୍ଦରେ କହିଛନ୍ତି ଗଜପତି। ଅନ୍ୟପଟେ ପୁରୀ ସହ ରାଜ୍ୟର ଅନେକ ସ୍ଥାନରେ ଇସ୍କନକୁ ବିରୋଧ କରାଯାଉଥିବା ଦେଖିବାକୁ ମିଳିଛି।