ମୁମ୍ଵାଇ ୦୯।୦୯; କନସର୍ଟରେ ଗୀତର ତାଳରେ ଝୁମୁଥିଲେ ପ୍ରଶଂସକ… କିନ୍ତୁ କନସର୍ଟ ସରିବା ପରେ ରାସ୍ତାରେ ହଠାତ୍ ଗର୍ଜିଲା ବନ୍ଧୁକ। ଟାର୍ଗେଟରେ ଥିଲେ ପଞ୍ଜାବୀ ଗାୟକ ଓ ଅଭିନେତା ଆମି ଭିର୍କଙ୍କ କାରକେଡ। ଘଟଣା ଗତ ଶନିବାର, ସେପ୍ଟେମ୍ବର ୫ର। କାନାଡାର ବ୍ରିଟିଶ କଲମ୍ବିଆର ଆବଟସଫୋର୍ଡରେ କନସର୍ଟ ସାରି ଫେରୁଥିବା ବେଳେ ମ୍ୟାକକାଲମ୍ ରୋଡ୍ ଅଞ୍ଚଳରେ ଏକ ଗାଡ଼ି ଉପରକୁ ଅନେକ ରାଉଣ୍ଡ ଗୁଳି ଚାଲିଥିଲା। ପୋଲିସ ଏହାକୁ ଟାର୍ଗେଟେଡ୍ ଶୁଟିଂ ବୋଲି କହି ତଦନ୍ତ ଚଳାଇଛି।

ରିପୋର୍ଟ ଅନୁସାରେ, ଏକ ଗାଢ଼ ରଙ୍ଗର SUVରେ ଆସିଥିବା ଦୁର୍ବୃତ୍ତମାନେ ଗାଡ଼ିଟିକୁ ଟାର୍ଗେଟ କରିଥିଲେ। ଅନ୍ୟ କିଛି ରିପୋର୍ଟରେ ଆମି ଭିର୍କ ଯାତ୍ରା କରୁଥିବା ଗାଡ଼ି ଉପରେ ପ୍ରାୟ ୭ ରାଉଣ୍ଡ ଗୁଳି ଚାଲିଥିବା ଦାବି କରାଯାଇଛି। ତେବେ ଘଟଣାରେ କେହି ଆହତ ହେବାର ଖବର ନାହିଁ।

ଗାଡ଼ିଟି ରୋଲ୍ସ-ରଏସ୍ କ୍ୟୁଲିନାନ୍ ଏବଂ ଏହା ବୁଲେଟ ପ୍ରୁଫ୍ ଥିବା ନେଇ ମଧ୍ୟ ରିପୋର୍ଟ ଆସିଛି। ଗାଡ଼ି ଭିତରେ ଆମି ଭିର୍କଙ୍କ ସମେତ ୪ ଜଣ ଥିଲେ। ଏହି ଘଟଣାରେ ଅଳ୍ପକେ ବର୍ତ୍ତି ଯାଇଥିଲେ ଆମି ଭିର୍କ ଓ ତାଙ୍କ ସହ ଥିବା ଅନ୍ୟମାନେ। ଆମି ଭିର୍କଙ୍କ ଉପରେ ଆକ୍ରମଣ ପରେ ପୁଣି ଚର୍ଚ୍ଚାରେ କାନାଡାରେ ପଞ୍ଜାବୀ କଳାକାରଙ୍କ ସୁରକ୍ଷା। ଏହା ପୂର୍ବରୁ ଗାୟକ ଏପି ଢିଲୋନଙ୍କ ଘର ଉପରେ ଗୁଳିମାଡ଼ ଏବଂ କମେଡିଆନ୍ କପିଲ ଶର୍ମାଙ୍କ କାଫେ ଉପରେ ଆକ୍ରମଣ ଭଳି ଘଟଣା ମଧ୍ୟ ସାମ୍ନାକୁ ଆସିଛି।

ଆଉ ଏପଟେ, ଆମି ଭିର୍କ ପୂର୍ବରୁ ମଧ୍ୟ କଳାକାରଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକାଶ କରିଥିଲେ। ପରିବାରକୁ ଲାଇମଲାଇଟ୍ ଠାରୁ ଦୂରରେ ରଖିବା ପଛରେ ମଧ୍ୟ ସୁରକ୍ଷାକୁ ଏକ ବଡ଼ କାରଣ ବୋଲି କହିଥିଲେ ସେ। ତେବେ ପ୍ରଶ୍ନ ଉଠୁଛି ଆମି ଭିର୍କଙ୍କ କାଫିଲାକୁ ହିଁ କାହିଁକି ଟାର୍ଗେଟ କରାଗଲା? ଆକ୍ରମଣ ପଛରେ କିଏ? ଏହା ପୂର୍ବ କଣ ଯୋଜନା ଥିଲା କି? ଏସବୁର ଉତ୍ତର ଖୋଜୁଛି କାନାଡା ପୋଲିସ। ତଦନ୍ତ ଆଗକୁ ବଢ଼ିବା ସହ ଘଟଣାର ଅନେକ ଅନାଲୋଚିତ ଦିଗ ସାମ୍ନାକୁ ଆସିବା ନେଇ ଏବେ ନଜର।