ପୁଣେ: ମହାରାଷ୍ଟ୍ରର ପୁଣେ ଗ୍ରାମାଞ୍ଚଳ ଅନ୍ତର୍ଗତ ଉରୁଲି କଞ୍ଚନ ଅଞ୍ଚଳରୁ ଏକ ବର୍ବରୋଚିତ ଘଟଣା ସାମ୍ନାକୁ ଆସିଛି। ଚରିତ୍ରକୁ ସନ୍ଦେହ କରି ସ୍ବାମୀ ନିଜର ୨୫ ବର୍ଷର ପତ୍ନୀଙ୍କ ଗୁପ୍ତାଙ୍ଗ ଉପରେ ଏସିଡ ଢାଳି ଗମ୍ଭୀର ଭାବେ ଜଳାଇ ଦେଇଛି। ବର୍ବରତାର ସୀମା ପାର କରି ସ୍ୱାମୀ ଜଣକ ପୋଲିସ ଭୟରେ ପତ୍ନୀଙ୍କୁ ପ୍ରାୟ ମାସେ କାଳ ଘର ଭିତରେ ବନ୍ଦୀ କରି ରଖିବା ସହ କୌଣସି ଚିକିତ୍ସା ମଧ୍ୟ କରାଇବାକୁ ଦେଇନଥିଲା।

Also Read: IPL 2026: ଇଶାନଙ୍କ ଦମଦାର ବ୍ୟାଟିଂ, CSKକୁ ହରାଇ ପ୍ଲେ ଅଫରେ SRH, GT ବି କଲା କ୍ଵାଲିଫାଏ

ଚରିତ୍ରକୁ ସନ୍ଦେହ କରି ଏଭଳି କାଣ୍ଡ ଭିଆଇଲା ସ୍ୱାମୀ

ଉରୁଲି କଞ୍ଚନ ପୋଲିସର ସୂଚନା ଅନୁଯାୟୀ, ଏହି ଅମାନୁଷିକ ଘଟଣା ଗତ ୨୦ ଅପ୍ରେଲ ୨୦୨୬ ରେ ଘଟିଥିଲା। ଅଭିଯୁକ୍ତ ସ୍ୱାମୀ ନିଜ ପତ୍ନୀଙ୍କ ଚରିତ୍ର ଉପରେ ସନ୍ଦେହ କରୁଥିଲା। ୨୦ ଅପ୍ରେଲ ଦିନ ସେ କାମରୁ ଫେରିବା ପରେ ଏହି କଥାକୁ ନେଇ ପତ୍ନୀଙ୍କ ସହ ପ୍ରବଳ ଗାଳିଗୁଲଜ ଓ ମାଡ଼ପିଟ୍ କରିଥିଲା। ଏହି ସମୟରେ ସେ ଉତକ୍ଷିପ୍ତ ହୋଇ ଘରେ ଥିବା ଚଟାଣ ସଫା ଏସିଡ୍ ଆଣି ପତ୍ନୀଙ୍କ ଗୁପ୍ତାଙ୍ଗରେ ଢାଳି ଦେଇଥିଲା।

ମାସେ କାଳ ଚିକିତ୍ସା ନଦେଇ ଘରେ କଲା ବନ୍ଦୀ

ଏସିଡ୍ ପଡ଼ିବା ମାତ୍ରେ ମହିଳା ଜଣକ ଯନ୍ତ୍ରଣାରେ ଚିତ୍କାର କରି ଡାକ୍ତରଖାନା ନେବାକୁ ନେହୁରା ହୋଇଥିଲେ। ମାତ୍ର ନିଷ୍ଠୁର ସ୍ୱାମୀର ମନ ତିଳେ ମାତ୍ର ତରଳି ନଥିଲା। ସେ ତାଙ୍କୁ ସେହି ଘରେ ବନ୍ଦ କରି ଅଫିସ ଚାଲି ଯାଇଥିଲେ । ଏହାକୁ ନେଇ ଧମକ ମଧ୍ୟ ଦେଇଥିଲେ ଯଦି ସେ ଏ କଥା କାହାକୁ କିଛି କହିବେ, ତେବେ ତାଙ୍କୁ ଜୀବନରୁ ମାରିଦେବେ ।

Also Read:Petrol Diesel Price Hike: ସପ୍ତାହରେ ଦ୍ୱିତୀୟ ଥର ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ ଓଡ଼ିଶା ସମେତ ପ୍ରମୁଖ ସହରର ରେଟ୍

ସୋଲାପୁର ଫେରାର ହୋଇ ବଞ୍ଚାଇଲେ ଜୀବନ, ୧୫ ମେ’ରେ FIR

ପ୍ରାୟ ୨୫ ଦିନ କାଳ ଅସହ୍ୟ କଷ୍ଟ ଓ ଭୟର ମଧ୍ୟରେ ରହିବା ପରେ, ମହିଳା ଜଣକ ଗତ ମେ’ ଦ୍ୱିତୀୟ ସପ୍ତାହରେ କୌଶଳକ୍ରମେ ସ୍ୱାମୀକୁ ଚକମା ଦେଇ ସୋଲାପୁର ଜିଲ୍ଲାରେ ଥିବା ନିଜ ବାପଘରକୁ ପଳାଇ ଯାଇଥିଲେ। ସେଠାରେ ପହଞ୍ଚି ନିଜ ପରିବାର ଆଗରେ ସମସ୍ତ କଥା କହିବା ପରେ, ପରିବାର ଲୋକଙ୍କ ସାହସରେ ସେ ପୁଣି ଉରୁଲି କଞ୍ଚନ ଫେରି ଗତ ୧୫ ମେ’ ୨୦୨୬ ରେ ସିଧାସଳଖ ଥାନାରେ ଅଭିଯୋଗ କରିଥିଲେ।

ଉରୁଲି କଞ୍ଚନ ପୋଲିସ ଷ୍ଟେସନର ସିନିୟର ଇନ୍ସପେକ୍ଟର ସଚିନ ୱାଙ୍ଗାଣ୍ଡେ କହିଛନ୍ତି ଯେ, ମହିଳାଙ୍କ ଅଭିଯୋଗ ଆଧାରରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମାମଲା ରୁଜୁ କରିବା ସହ ସ୍ୱାମୀକୁ ଗିରଫ କରିଛି। ଗୁରୁତର ଥିବା ପୀଡ଼ିତା ମହିଳାଙ୍କୁ ତୁରନ୍ତ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ଅଭିଯୁକ୍ତକୁ କଠୋରରୁ କଠୋର ଦଣ୍ଡ ଦେବା ପାଇଁ ପୋଲିସ ତଦନ୍ତ ଚଳାଇଛି।