ଚେନ୍ନାଇ: ଇଶାନ କିଶନଙ୍କ ଦମଦାର ମ୍ୟାଚ୍ ବିଜୟୀ ଇନିଂସ। ଆଇପିଏଲ ୨୦୨୬ର ୬୩ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଚେନ୍ନାଇ ସୁପର କିଙ୍ଗ୍ସକୁ ୫ ଓ୍ଵିକେଟରେ ହରାଇଛି। ବିଜୟ ସହ ହାଇଦ୍ରାବାଦ ୧୬ ପଏଣ୍ଟ ସହ ଆରସିବି ପରେ ଦ୍ଵିତୀୟ ଦଳ ଭାବେ ପ୍ଲେ ଅଫରେ ପ୍ରବେଶ କରିଛି। ହାଇଦ୍ରାବାଦ ସହ ଗୁଜରାଟ ଟାଇଟନ୍ସ ମଧ୍ୟ କ୍ଵାଲିଫାଏ କରିଛି। ଅନ୍ୟପଟେ ଚେନ୍ନାଇ ନିଜର ୧୩ତମ ମ୍ୟାଚରୁ ସପ୍ତମ ପରାଜୟ ଭୋଗି ପ୍ଲେ ଅଫରେ ପ୍ରବେଶ କରିବା ମୁସ୍କିଲ ହୋଇ ପଡ଼ିଛି। ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ୭ ଓ୍ଵିକେଟ୍ ହରାଇ ୧୮୦ ରନ କରିଥିଲା। ଜବାବରେ ହାଇଦ୍ରାବାଦ ଇଶାନ କିଶନଙ୍କ ୭୦ ରନ ବଳରେ ମ୍ୟାଚକୁ ୧୯ ଓଭରରେ ୫ ଓ୍ଵିକେଟ୍ ହରାଇ ଜିତି ନେଇଛି।

୧୮୨ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ହାଇଦ୍ରାବାଦ ୧୮ ରନ ସ୍କୋରରେ ପ୍ରଥମ ଓ୍ଵିକେଟ୍ ହରାଇଥିଲା। ଟ୍ରେଭିସ ହେଡ୍(୬ ରନ) ପୁଣି ଥରେ ନିରାଶ କରିଥିଲେ। ଏହା ପରେ ଅଭିଷେକ ଶର୍ମା ଓ ଇଶାନ କିଶନ ୨ୟ ଓ୍ଵିକେଟ୍ ପାଇଁ ୩୮ ରନ ଯୋଡ଼ିଥିଲେ। ଅଭିଷେକ ଶର୍ମା ୨୧ ବଲ୍ ଖେଳିଥିଲେ ହେଁ ଚେନ୍ନାଇ ବୋଲରଙ୍କ ମାପଚୁପ ବୋଲିଂ କାରଣରୁ କେବଳ ୨୬ ରନ କରି ପାରିଥିଲେ। ଏହା ପରେ ଇଶାନ ଓ ହେନରିକ କ୍ଲାସେନ ଇନିଂସ ସମ୍ଭାଳିଥିଲେ। ଉଭୟ ଦମଦାର ବ୍ୟାଟିଂ କରି ୭୫ ରନ ଯୋଡ଼ି ଦଳ ବିଜୟ ପାଇଁ ମୂଳଦୁଆ ପକାଇଥିଲେ।

Also Read: ​​​​​​​ଟି-୨୦ରେ ୨୦୦ ୱିକେଟ୍ ପୂରଣ କଲେ ପ୍ୟାଟ୍ କମିନ୍ସ, ଆଇପିଏଲରେ ହେଲେ ନମ୍ବର ୧

କ୍ଲାସେନ ୨୬ ବଲରୁ ୪୭ ରନର ଆଉ ଏକ ଦ୍ରୁତ ଇନିଂସ ଖେଳି ସଞ୍ଜୁ ସାମସନଙ୍କ ଦ୍ଵାରା ଚମତ୍କାର ଷ୍ଟମ୍ପିଂର ଶିକାର ହୋଇଥିଲେ। ଅନ୍ୟପଟେ ଇଶାନ କିଶନ ଅର୍ଦ୍ଧଶତକ ହାସଲ କରିଥିଲେ। ହେଲେ ଚେନ୍ନାଇ ବୋଲର ଶାଣିତ ବୋଲିଂ କରି ମ୍ୟାଚକୁ ରୋମାଞ୍ଚକର କରିଥିଲେ। ହେଲେ ଇଶାନ କିଶନ ଅନ୍ୟପଟୁ ଦମଦାର ବ୍ୟାଟିଂ କରି ହାଇଦ୍ରାବାଦକୁ ମ୍ୟାଚ୍ ଜିତାଇଛନ୍ତି। ଇଶାନ ୪୭ ବଲରୁ ୭ ଚୌକା ଓ ୩ ଛକା ସହ ୭୦ ରନ କରିଥିଲେ। ଶେଷରେ ସଲୀଲ ଆରୋ ୧୦ ରନ ଓ ସ୍ମରଣ ରବିଚନ୍ଦ୍ରନ ୫ ରନ କରି ଅପରାଜିତ ଥିଲେ।

ପ୍ଲେ-ଅଫ୍ ଗଣିତ: SRH ଓ GT ଇନ୍, CSKର ଚିନ୍ତା ବଢ଼ିଲା

ଏହି ମ୍ୟାଚ୍ ଜିତିବା ପରେ ସନରାଇଜର୍ସ ହାଇଦ୍ରାବାଦ ପ୍ଲେ-ଅଫ୍ ଟିକେଟ୍ ହାସଲ କରିବାରେ ସଫଳ ହୋଇଛି। ହାଇଦ୍ରାବାଦର ବିଜୟ ସହିତ ପଏଣ୍ଟ ଟେବୁଲ ସମୀକରଣ ଆଧାରରେ ଗୁଜରାଟ ଟାଇଟନ୍ସ ମଧ୍ୟ ପ୍ଲେ-ଅଫ୍ ପାଇଁ କ୍ୱାଲିଫାଏ କରିନେଇଛି।

CSK ପାଇଁ ଶେଷ ମ୍ୟାଚ୍ ‘କର ବା ମର’

ଏହି ପରାଜୟ ପରେ ଅଧିନାୟକ ଋତୁରାଜ ଗାୟକୱାଡ଼ଙ୍କ ଚେନ୍ନାଇ ସୁପର କିଙ୍ଗସ୍‌ର ଚିନ୍ତା ଏବେ ଦ୍ୱିଗୁଣିତ ହୋଇଯାଇଛି। ଦଳର ବର୍ତ୍ତମାନ ୧୩ଟି ମ୍ୟାଚ୍‌ରୁ ୧୨ ପଏଣ୍ଟ ରହିଛି। ପ୍ଲେ-ଅଫ୍ ଦୌଡ଼ରେ ଜୀବିତ ରହିବାକୁ ହେଲେ ଚେନ୍ନାଇକୁ ଆସନ୍ତା ମେ’ ୨୧ ତାରିଖରେ ଅହମଦାବାଦରେ ଗୁଜରାଟ ଟାଇଟନ୍ସ ବିପକ୍ଷରେ ଖେଳାଯିବାକୁ ଥିବା ତାର ଶେଷ ଲିଗ୍ ମ୍ୟାଚ୍ ଯେକୌଣସି ପରିସ୍ଥିତିରେ ବଡ଼ ବ୍ୟବଧାନରେ ଜିତିବାକୁ ହେବ। ଏହାସହ ଅନ୍ୟ ଦଳର ରନ୍ ରେଟ୍ ଏବଂ ହାର୍-ଜିତ୍ ଉପରେ ମଧ୍ୟ ନିର୍ଭର କରିବାକୁ ପଡ଼ିବ।