ଭୁବନେଶ୍ୱର ୦୧।୦୩ : ମହାନଦୀ ଟ୍ରିବ୍ୟୁନାଲଙ୍କ ଗସ୍ତକୁ ବିରୋଧ । ମହାନଦୀ ବଞ୍ଚାଓ ଆନ୍ଦୋଳନ ବିରୋଧ ପ୍ରଦର୍ଶନ କରିବା ସହିତ ଟ୍ରିବ୍ୟୁନାଲଙ୍କ କାର୍ଯ୍ୟଶୈଳି ଉପରେ ପ୍ରଶ୍ନ ଉଠାଇଛି । ରାଜ୍ୟ ଅତିଥି ଭବନରେ ନ ରହି କାହିଁକି ପଞ୍ଚ ତାରକା ହୋଟେଲରେ ରହିଛନ୍ତି ବୋଲି ପ୍ରଶ୍ନ କରିଛି ସଂଗଠନ । ଆନ୍ଦୋଳନକାରୀଙ୍କ ଅଭିଯୋଗ ଅନୁସାରେ, ଟ୍ରିବ୍ୟୁନାଲ ଗଠନ ହେବାର ବର୍ଷ ବର୍ଷ ବିତିଯାଇଥିଲେ ମଧ୍ୟ ଓଡ଼ିଶା କୌଣସି ସୁଫଳ ପାଇନାହିଁ। ଅନ୍ୟପଟେ ଛତିଶଗଡ଼ ସରକାର, ଉପର ମୁଣ୍ଡରେ ଏକପାଖିଆ ଭାବେ ବ୍ୟାରେଜ୍ ନିର୍ମାଣ କରି ଜଳ ପ୍ରବାହକୁ ରୋକି ଦେଇଛନ୍ତି। ଫଳରେ ଗ୍ରୀଷ୍ମ ଋତୁ ଆରମ୍ଭ ନହେଉଣୁ ଓଡ଼ିଶାରେ ମହାନଦୀ ଶୁଖିଲା ପଡ଼ିଲାଣି । ସରକାରୀ ଅର୍ଥକୁ ଆତ୍ମସାତ୍ କରୁଥିବା ଅଭିଯୋଗ କରିଛି ସଂଗଠନ ।

ମହାନଦୀ ଟ୍ରିବୁନାଲ ଫେବୃଆରୀ ୨୬ରୁ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ୫ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ଗତକାଲି ସମ୍ବଲପୁରରୁ ଫେରି ମେଫେୟାର ହୋଟେଲରେ ରହିଁଛନ୍ତି ସମସ୍ତ ସଦସ୍ୟ । ଯାହାକୁ ନେଇ ଜୋର ଧରିଛି ଅସନ୍ତୋଷ । ଝାରସୁଗୁଡା, ସମ୍ବଲପୁର, ସୋନପୁର କଟକ, ପାରାଦୀପ, ଆଠମଲ୍ଲିକ ଭୁବନେଶ୍ୱର ଆଦି ପ୍ରାୟ ଦଶରୁ ଉର୍ଦ୍ଦ୍ବ ସ୍ଥାନରେ ପ୍ରତିବାଦ କରାଯାଉଛି। ଏହି ପ୍ରତିବାଦରେ ସଂଗଠନର ଶତାଧିକ କର୍ମକର୍ତ୍ତା ଅଂଶଗ୍ରହଣ କରିଛନ୍ତି ।