ଭୁବନେଶ୍ୱର,୨୫/୦୪: ନୂଆ ଶିକ୍ଷାବର୍ଷ ଆରମ୍ଭର ୨୦ ଦିନ ଟପିଲାଣି । ହେଲେ ଏଯାଏ ସ୍କୁଲରେ ପହଞ୍ଚିଲାନି ପାଠ୍ୟପୁସ୍ତକ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କହିଲା, ଖରା ଛୁଟି ପୂର୍ବରୁ ସମସ୍ତ ବହି ସ୍କୁଲରେ ପହଞ୍ଚିବ । ଏବେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଗୁଆ ସ୍କୁଲ ଛୁଟି ଘୋଷଣା କଲେ ରାଜ୍ୟ ସରକାର । ସ୍କୁଲ ଜୁନ୍ ୧୭ ତାରିଖ ଯାଏ ବନ୍ଦ ରହିବ । ତେବେ ବିନା ବହିରେ ଗ୍ରୀଷ୍ମକାଳୀନ ଶିକ୍ଷା କାର୍ଯ୍ୟକ୍ରମ କିପରି ସଫଳ ହେବ?

ଖରା ଛୁଟିରେ ବିନା ବହିରେ ପିଲାମାନେ କିପରି ଘରେ ରହି ପଢ଼ିବେ ତାକୁ ନେଇ ଏବେ ଅଭିଭାବକଙ୍କ ଚିନ୍ତା । ସରକାରୀ ନିୟମ ଅନୁଯାୟୀ, ଶିକ୍ଷାବର୍ଷ ଆରମ୍ଭରୁ ସ୍କୁଲସ୍ତରରେ ବହି ପହଞ୍ଚିବା ଆବଶ୍ୟକ । ଚଳିତବର୍ଷ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକର ପରିବର୍ତ୍ତନ ହୋଇଛି । ଢ଼େର ଆଗରୁ ବହି ଛପା କାର୍ଯ୍ୟ ମଧ୍ୟ ହୋଇଛି ।

ଏପରିକି ନୂଆ ପାଠ୍ୟପୁସ୍ତକ ଅନୁଯାୟୀ ଶିକ୍ଷକଙ୍କୁ ୫ ଦିନିଆ ପ୍ରଶିକ୍ଷଣ ଦିଆଯାଇଛି । ହେଲେ ଆବଶ୍ୟକ ଥିବା ମୋଟ ୨ କୋଟି ୭୪ ଲକ୍ଷ ବହିର ଛପା କାର୍ଯ୍ୟ ଶେଷ ହୋଇନି । ଫଳରେ ସ୍କୁଲକୁ ତରବରିଆ ଭାବେ ଖଣ୍ଡେ ଅଧେ ବହି ପଠାଯାଇଛି । ଏପରିକି ଏହି ବହି ବଣ୍ଟାକୁ ନେଇ ସ୍କୁଲ, କ୍ଲଷ୍ଟରସ୍ତରରେ ଗଣ୍ଡଗୋଳିଆ ପରିସ୍ଥିତି ଉପୁଜିଛି ।

ରାଜ୍ୟର ସମସ୍ତ ସ୍କୁଲକୁ ବହି ଏଯାଏ ପହଞ୍ଚିନି । ଯେଉଁ ସବୁ ସ୍କୁଲକୁ ବହି ପଠାଯାଇଛି, କେଉଁଠି ପ୍ରଥମ ଶ୍ରେଣୀରୁ ତୃତୀୟ ଶ୍ରେଣୀର ବହି ଆସିଛି ତ ଆଉ କେଉଁଠି କେବଳ ଅଷ୍ଟମ ଶ୍ରେଣୀର ବହି ଆସିଛି । ଯେଉଁ ଶ୍ରେଣୀର ବହି ଆସିଛି, ତାର ସମ୍ପୂର୍ଣ୍ଣ ସମସ୍ତ ବହି ଆସିନି । ଯଦି ପଞ୍ଚମ ଶ୍ରେଣୀର ୪ଟି ବହି ଆସିଛି, ଅଷ୍ଟମ ଶ୍ରେଣୀର ୩ ଖଣ୍ଡ ଲେଖାଏଁ ବହି ଆସିଛି । ତାହା ପୁଣି ଯଦି ୫୦ ପିଲା ପଢ଼ୁଛନ୍ତି ସେଠାକୁ ମାତ୍ର ୩୦ଟି ଲେଖାଏଁ ବହି ଆସିଛି ।

Also read...ପାଠ ପଢୁଥିଲେ କୁନି ପିଲା, ହଠାତ୍ ଆସିଲା ବିଷାକ୍ତ ସାପ: ହିରୋ ପରି ଲଢିଲା ପୋଷା ଜନ୍ତୁ

ଏହି କ୍ଷେତ୍ରରେ କାହାକୁ କ’ଣ ବହି ଦେବେ ତାକୁ ନେଇ ଶିକ୍ଷକ ଚିନ୍ତାରେ ରହୁଛନ୍ତି। ଜଣେ ଶିକ୍ଷକଙ୍କ କହିବା କଥା, ଗତକାଲି ଏହି ବହି ବଣ୍ଟାକୁ ନେଇ କଟକରେ ସିଆର୍ସିସିମାନଙ୍କ ମଧ୍ୟରେ ଏକ ଗଣ୍ଡଗୋଳର ପରିସ୍ଥିତି ଦେଖିବାକୁ ମିଳିଥିଲା ।ଅନ୍ୟପଟେ ଗଣଶିକ୍ଷା ବିଭାଗର କ୍ୟାଲେଣ୍ଡର ଅନୁଯାୟୀ, ମେ’ ୬ରୁ ଜୁନ୍ ୧୭ ତାରିଖ ଯାଏ ଗ୍ରୀଷ୍ମକାଳୀନ ଅବକାଶ ହେବା କଥା । କିନ୍ତୁ ମୁଖ୍ୟମନ୍ତ୍ରୀ ୯ ଦିନ ଆଗରୁ ସ୍କୁଲ ଆଗୁଆ ଛୁଟି ଘୋଷଣା କରିଛନ୍ତି । ଘରୋଇ ଓଡ଼ିଆ ମାଧ୍ୟମ ସ୍କୁଲର ଛାତ୍ରଛାତ୍ରୀଙ୍କ ପାଇଁ ଆଦୌ ବହି ପହଞ୍ଚିନି ।

ସରକାରୀ ନିୟମ ଅନୁଯାୟୀ ସେମାନେ ରାଜ୍ୟ ସରକାରଙ୍କ ପ୍ରସ୍ତୁତ ବହି ହିଁ ପଢ଼ିବେ । ଯାଏ କୌଣସି ଗୋଟିଏ ଘରୋଇ ସ୍କୁଲକୁ ବହି ଦିଆଯାଇନି ଯାହାକୁ ନେଇ କର୍ତ୍ତୃପକ୍ଷ ଚିନ୍ତ ବ୍ୟକ୍ତ କରିଛନ୍ତି । ଜୁନ୍ ୧୭ ତାରିଖ ପରେ ସ୍କୁଲ ଖୋଲିଲେ ହିଁ ବହି ପିଲାମାନେ ପାଇବେ । ଏହି ଅବକାଶ ସମୟରେ ପିଲା ଘରେ କିପରି ପଢ଼ିବେ ତାକୁ ନେଇ ଚିନ୍ତାରେ ଅଭିଭାବକ ।