କଟକ ୦୨।୦୪ : ୬ ମାସ ପରେ ପୋଲିସକୁ ମିଳିଲା ସଫଳତା । ଋଷିକେଶରୁ ଗିରଫ ହେଲା ଚୌଦ୍ୱାର ସର୍କଲ ଜେଲ ଫେରାର ଥିବା କଏଦୀ । ବିହାରର ରାଜା ସାହାଣୀକୁ ଗିରଫ କରିଛି କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ । ଏକ ମାସ ତଳେ ଆଉ ଜଣେ ଫେରାର ଥିବା କଏଦୀ ମଧୁକାନ୍ତ ରଣାକୁ ଗିରଫ କରିଥିଲା ପୋଲିସ ।

କେମିତି ଫେରାର ହେଲେ..

ଯାଜପୁର ପାଣିକୋଇଲି ବଜାରରେ ଘଟିଥିଲା ଏକ ଡକାୟତି ଏବଂ ହତ୍ୟା ମାମଲା । ଯେଉଁଥିରେ ପୋଲିସ ତଦନ୍ତ କରି ଦୁଇ ଆନ୍ତଃରାଜ୍ୟ ଅପରାଧୀଙ୍କୁ ଗିରଫ କରିଥିଲା । ଗିରଫ ଦୁଇ ଅପରାଧୀ ହେଲେ ମଧୁକାନ୍ତ ରଣା ଏବଂ ରାଜା ସାହାଣୀ । ଗିରଫ ପରେ ଉଭୟ ଅପରାଧୀଙ୍କୁ ଚୌଦ୍ୱାର ସର୍କଲ ଜେଲ୍କୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ଅକ୍ଟୋବର ୨ ତାରିଖରେ କଟକର ପ୍ରସିଦ୍ଧ ଦୁର୍ଗାପୂଜା ଭସାଣି ବେଳେ ଦୁଇ ଅଭିଯୁକ୍ତ ଜେଲ୍ରୁ ଚମ୍ପଟ ମାରିଥିଲେ । ପୁରା ସହରର ଭସାଣି ଉତ୍ସବରେ ମସ୍ଗୁଲ୍ ଥିବା ବେଳେ ଏହି କଏଦୀ ଦୁଇ ଜଣ ଜେଲର ପାଚେରୀ ଡେଇଁ ଫେରାର ମାରିବାରେ ସକ୍ଷମ ହୋଇଥିଲେ । ତେବେ ଏତେ ବଡ଼ ଜେଲରୁ କିପରି ଦୁଇ ଜଣ ଅପରାଧୀ ଚମ୍ପଟ ମାରିଲେ, ସେତେବେଳେ ଏହାକୁ ନେଇ ଅନେକ ପ୍ରଶ୍ନ ଏବଂ ପୋଲିସ ବିଭାଗକୁ ସମାଲୋଚନା କରାଯାଇଥିଲା ।

Also Read:-ଚୌଦ୍ୱାର ଜେଲ୍‌ରୁ ୨ କଏଦୀ ଚମ୍ପଟ ଘଟଣା, ଏତଲା ଦେଲେ ଜେଲ୍ ସୁପରିନ୍‌ଟେଣ୍ଡେଣ୍ଟ

ପୋଲିସ ପ୍ରଶାସନ ଘଟଣାକୁ ଗୁରୁତ୍ୱ ସହ ନେଇ ଦୁଇ ଫେରାର ଅପରାଧୀଙ୍କୁ ଧରିବା ପାଇଁ ଆରମ୍ଭ କରିଥିଲା ଅପରେସନ । ଉଭୟଙ୍କୁ ଧରିବା ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ମଧ୍ୟ ହୋଇଥିଲା । ସେଥିପାଇଁ କମିଶନରେଟ୍ ପୋଲିସର ୨୬ ଜଣ କର୍ମଚାରୀ ୬ଟି ଟିମରେ ଭାଗ କରି ରାଜ୍ୟ ବାହାରକୁ ଯାଇଥିଲା । ରାଜ୍ୟ ମଧ୍ୟରେ ମଧ୍ୟ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିଲା । ସେହିପରି ବାହାରକୁ ଯାଇଥିବା ଟିମ୍ ମଧ୍ୟ ବିଭିନ୍ନ ରାଜ୍ୟ ବୁଲି ସମ୍ବେଦନଶୀଳ ସ୍ଥାନ ଗୁଡ଼ିକରେ ଚଢାଉ ମଧ୍ୟ କରୁଥିଲା ।

ବୃନ୍ଦାବନରେ ଲୁଚିଥିଲା କଏଦୀ

ଦୀର୍ଘ ଦିନ ଧରି ଚଢାଉ ଏବଂ ସର୍ଚ୍ଚ ଅପରେସନ ପରେ ଫେବୃଆରୀ ମାସରେ ପୋଲିସକୁ ମିଳିଥିଲା ପ୍ରଥମ ସଫଳତା । ଫେବୃଆରୀ ମାସରେ ବୃନ୍ଦାବନରୁ ଫେରାର କଏଦୀ ମଧୁକାନ୍ତ ରଣାକୁ ଗିରଫ କରିଥିଲା ପୋଲିସ । ସେ ଚୌଦ୍ୱାର ଜେଲରୁ ଫେରାର ହେବା ପରେ ସେଠାରେ ନିଜର ନାଁ ବଦଳାଇବା ବାସୁ ପାଣ୍ଡେ ରଖିଥିଲା । ଏହାସହ ନିଶଦାଢି ବଢାଇ ଏକ ଆଶ୍ରମରେ ରହିଥିଲା । ପୋଲିସ ମଧୁକାନ୍ତର ଫୋନ୍‌ ଟ୍ରାକ କରି ବୃନ୍ଦାବନରେ ପହଞ୍ଚିଥିଲା । ଶେଷରେ ମଧୁକାନ୍ତକୁ ଗିରଫ କରି ଓଡ଼ିଶା ଆଣିଥିଲା ।

ସେପଟେ ମଧୁକାନ୍ତକୁ ଗିରଫ ପରେ ଅନ୍ୟ ସାଥୀ ଲୁଚି ଥିବା ସ୍ଥାନକୁ ମଧ୍ୟ ଖୋଜିବା ଜାରି ରଖିଥିଲା ପୋଲିସ । ମଧୁକାନ୍ତକୁ ବିଭିନ୍ନ ସମୟରେ ଜେରା କରାଯାଇଥିଲା । କିନ୍ତୁ ମଧୁକାନ୍ତ କୌଣସି ସଠିକ୍‌ ତଥ୍ୟ ଦେଇନଥିଲା । ଶେଷରେ ମଧୁକାନ୍ତ ବ୍ୟବହାର କରୁଥିବା ଫୋନ୍‌ର କଲ୍‌ ଡିଟେଲ୍ସକୁ ନେଇ ଅନୁଧ୍ୟାନ କରିଲା ପୋଲିସ । ସେଥିରୁ ଗୋଟିଏ ନମ୍ବରକୁ ବାରମ୍ବାର ଫୋନ୍‌ ଆସୁଥିଲା ଏବଂ କଥା ବି ହେଉଥିଲା । ଶେଷରେ ମଧୁକାନ୍ତ ନମ୍ବରକୁ ଆସିଥିବା କଲ୍‌କୁ ନେଇ ଯାଞ୍ଚ କରିଲା । ଶେଷରେ ଏହି ଯାଞ୍ଚରେ ପୋଲିସକୁ ମିଳିଲା ସକ୍‌ସେସ୍‌ । ଚୌଦ୍ୱାର ଜେଲ୍‌ରୁ ଫେରାର ଥିବା ଅନ୍ୟ କଏଦୀର ଲୋକେସନକୁ ଟ୍ରାକ୍‌ କରିଥିଲା ପୋଲିସ । ଅନ୍ୟ ଫେରାର କଏଦୀ ରାଜା ସାହାଣୀ ରିଷିକେଶରେ ଲୁଚି ରହିଥିବା ଜାଣିଥିଲା ପୋଲିସ । ଏହାପରେ ଏକ ଟିମ୍‌ ସହାୟତାରେ ରିଷିକେଶର ଉକ୍ତ ଲୋକେସନରେ ଚଢାଉ କରି ରାଜା ସାହାଣୀକୁ ଗିରଫ କରିଛି କମିଶନରେଟ୍‌ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ ।

Wacth Video:-