ବ୍ରହ୍ମପୁର: ବ୍ୟକ୍ତିଗତ ଗାଡ଼ିରେ ପୋଲିସ ବିକନ୍ ଲାଇଟ୍ ଓ ସାଇରନ୍ର ବେଆଇନ ବ୍ୟବହାର। ଏଭଳି ଅଭିଯୋଗରେ ଗାଡ଼ି ଜବତ କରିଛି ବୈଦ୍ୟନାଥପୁର ପୋଲିସ। ଏହି ଘଟଣାରେ ଗାଡ଼ି ଚାଳକଙ୍କ ସମେତ ତିନି ଜଣଙ୍କ ବିରୋଧରେ ମାମଲା ରୁଜୁ କରି ଆଇନଗତ ପଦକ୍ଷେପ ନେଇଛି ପୋଲିସ। ଘଟଣାର ଅଧିକ ତଦନ୍ତ ଜାରି ରହିଛି।

ସୂଚନା ଅନୁସାରେ, ଗତ ୨୮ ତାରିଖରେ ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ବ୍ରହ୍ମପୁରର ଲାଞ୍ଜିପାଲି ବାଇପାସ୍ ନିକଟରେ ଏକ ଧଳା ରଙ୍ଗର ହୁଣ୍ଡାଇ ଭର୍ନା କାର୍କୁ ଅଟକାଇଥିଲା। OD-02-AR-2471 ନମ୍ବର ବିଶିଷ୍ଟ ଏହି ଗାଡ଼ିକୁ ଯାଞ୍ଚ କରିବା ବେଳେ ଭିତରେ ପୋଲିସର ପ୍ରତୀକାତ୍ମକ ବିକନ୍ ଲାଇଟ୍ ଓ ସାଇରନ୍ ଲାଗିଥିବା ଦେଖିବାକୁ ମିଳିଥିଲା।

Also Read: ୧୩ କୋଟିର ସୁନା ଓ ହୀରା ଲୁଟ୍ ! ସୋ’ରୁମ୍ରେ ବନ୍ଧୁକ ମୁନରେ ଡକାୟତି, ୪ କାବୁ, ୨ ଚମ୍ପଟ

ଏନେଇ ପୋଲିସ ପଚରାଉଚରା କରିବାରୁ ଗାଡ଼ିରେ ଥିବା ତିନି ଜଣ ଏହାର ଅନଧିକୃତ ବ୍ୟବହାର କରୁଥିବା ସ୍ୱୀକାର କରିଥିବା ଜଣାପଡ଼ିଛି। ଟ୍ରାଫିକ୍ ଚାଲାଣରୁ ବର୍ତ୍ତିବା, ମାଗଣାରେ ଯାତ୍ରା କରିବା ସହ ଅଞ୍ଚଳରେ ପ୍ରଭାବ ଜାହିର କରିବା ଉଦ୍ଦେଶ୍ୟରେ ଏଭଳି ଲାଇଟ୍ ଓ ସାଇରନ୍ ବ୍ୟବହାର କରୁଥିବା ସେମାନେ କହିଥିବା ପୋଲିସ ସୂଚନା ଦେଇଛି। ଯାଞ୍ଚ ସମୟରେ ସେମାନେ ଗାଡ଼ିର ବୈଧ କାଗଜପତ୍ର ମଧ୍ୟ ଦେଖାଇ ପାରିନଥିଲେ।

ଏହାପରେ ପୋଲିସ ଗାଡ଼ିଟିକୁ ଜବତ କରିବା ସହ ତିନି ଜଣଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେଇଛି। ନୋଟିସ୍ ଜାରି କରିବା ପରେ ସେମାନଙ୍କୁ ଛାଡ଼ି ଦିଆଯାଇଛି। ଜବତ ଗାଡ଼ିଟି ଅନ୍ୟ ଏକ ଜିଲ୍ଲାର ବ୍ୟକ୍ତିଙ୍କ ନାଁରେ ପଞ୍ଜୀକୃତ ଥିବା ଜଣାପଡ଼ିଛି। ଆବଶ୍ୟକ ଯାଞ୍ଚ ପରେ ଗାଡ଼ି ରିଲିଜ୍ କରିବା ନେଇ ପଦକ୍ଷେପ ନିଆଯିବ ବୋଲି ବ୍ରହ୍ମପୁର ଏସ୍ପି କହିଛନ୍ତି।

ଏହି ଘଟଣା ପରେ ସହରରେ ଆଉ ଏକ ସ୍କର୍ପିଓ ଗାଡ଼ି ମଧ୍ୟ ଏଭଳି ଲାଇଟ୍ ଓ ସାଇରନ୍ ଲଗାଇ ବୁଲୁଥିବା ନେଇ ପୋଲିସକୁ ସୂଚନା ମିଳିଛି। ଉକ୍ତ ଗାଡ଼ି ଉପରେ ମଧ୍ୟ ପୋଲିସ ନଜର ରଖିଥିବା କହିଛନ୍ତି ବ୍ରହ୍ମପୁର ଏସ୍ପି ଅଭିନଭ ସୋନକର।