ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାର ଦୁଇ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆସନ୍ତା ଜୁନ୍ ୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୟୂରଭଞ୍ଜ ଜିଲ୍ଲା ଗ୍ରସ୍ତରେ ଆସିବେ । ଦିନ ୧୧.୦୫ ମିନିଟରେ ମୟୂରଭଞ୍ଜର ପାହାଡ଼ପୁରରେ ହେଲିପ୍ୟାଡରେ ଅବତରଣ କରିବେ । ସେଠାରୁ ଦେଶର ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଗାଁ ପରିଦର୍ଶନରେ ଯିବେ । 

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସୂଚୀ

ପୂର୍ବାହ୍ନ ୧୧:୦୫ – ମୟୂରଭଞ୍ଜର ପାହାଡ଼ପୁର ହେଲିପ୍ୟାଡରେ ଅବତରଣ କରିବେ ପ୍ରଧାନମନ୍ତ୍ରୀ

ପୂର୍ବାହ୍ନ ୧୧:୧୫ରୁ ମଧ୍ୟାହ୍ନ ୧୨:୧୫ – ସଡ଼କ ପଥରେ ଯାଇ ପାହାଡ଼ପୁର ସ୍ଥିତ 'ଗୋସାଣୀ ପୀଠ' ପରିଦର୍ଶନ କରିବା ସହ ପାହାଡ଼ପୁରରେ ପ୍ରାୟ ଏକ ଘଣ୍ଟା ସମୟ ବିତାଇବେ ।

ମଧ୍ୟାହ୍ନ ୧୨:୪୫ – ପାହାଡ଼ପୁର ସ୍କୁଲରୁ ବାହାରି ହେଲିକପ୍ଟର ଯୋଗେ ମୟୂରଭଞ୍ଜର 'ଦାଣ୍ଡବୋଷ ହେଲିପ୍ୟାଡ'ରେ ପହଞ୍ଚିବେ ।

ଅପରାହ୍ନ ୧:୦୦ ରୁ ୨:୦୦ – ଦାଣ୍ଡବୋଷ ସ୍ଥିତ ମୁଖ୍ୟ କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚି ଓଡ଼ିଶା ସରକାରଙ୍କ "ଦୁଇ ବର୍ଷ ପୂର୍ତ୍ତି" ସଫଳତା ଉତ୍ସବରେ ସାମିଲ ହେବେ ।

ଅପରାହ୍ନ ୨:୧୫ – ଦାଣ୍ଡବୋଷ ହେଲିପ୍ୟାଡରୁ ହେଲିକପ୍ଟର ଯୋଗେ ପଶ୍ଚିମବଙ୍ଗ ଅଭିମୁଖେ ଯାତ୍ରା କରିବେ ।

ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉତ୍ସବରେ ରାଜ୍ୟବାସୀଙ୍କୁ ପ୍ରକଳ୍ପ ଭେଟି ଦେବେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ର ଚାରୋଟି ପ୍ରକଳ୍ପ ଉଦଘାଟନ କରିବେ । ଦୁଇ ପ୍ରକଳ୍ପର ଶିଳାନ୍ୟାସ ହେବ । ଏହି ଅବସରରେ ସ୍ପୋର୍ଟ କମ୍ପ୍ଲେକ୍ସ, ଆଦିବାସୀ ଗବେଷଣା ଓ ଉନ୍ନୟନ କେନ୍ଦ୍ର, ସ୍ବତନ୍ତ୍ର ପ୍ରଦକ୍ଷିଣ ଗୃହ ଓ ରାଇରଙ୍ଗପୁର ପୋଲିସ ଜିଲ୍ଲା ଉଦଘାଟନ ହେବାର କାର୍ଯ୍ୟକ୍ରମ ରହିଛି । ଏହାଛଡ଼ା ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଫରେଷ୍ଟ ମ୍ୟାନେଜମେଣ୍ଟ, ଅନ୍ତର୍ଜାତୀୟ ମାନର ବ୍ୟାଡ଼ମିଣ୍ଟନ କମ୍ପ୍ଲେକ୍ସର ଶିଳାନ୍ୟାସ ହେବ ।

ରାଜ୍ୟରେ ବିଜେପି ଏକାକୀ ସରକାର କରିବା ପରେ ପ୍ରଧାନମନ୍ତ୍ରୀଙ୍କର ଏହା ହେବ ଅଷ୍ଟମ ଗସ୍ତ । ଓଡିଶାକୁ ସବୁବେଳେ ଫୋକସରେ ରଖିଥିବା ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ବେଶ ଗୁରୁତ୍ବପୂର୍ଣ । ସରକାର ଓ ସଂଗଠନରେ ଥିବା ଅଧୁରା କାମ ଏବଂ ପଂଚାୟତ ନିର୍ବାଚନ ପାଇଁ ରାଜ୍ୟ ନେତୃତ୍ବଙ୍କୁ ମାର୍ଗଦର୍ଶନ ଦେଇପାରନ୍ତି ପ୍ରଧାନମନ୍ତ୍ରୀ ।