ନୂଆଦିଲ୍ଲୀ: ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଥିବା ବନ୍ଧୁତା କେବଳ ବ୍ୟାପାର କିମ୍ବା ରଣନୈତିକ ସମ୍ପର୍କ ମଧ୍ୟରେ ସୀମିତ ନୁହେଁ, ବରଂ ଏହା ଦୁଇ ଦେଶର ସମାନ ଚିନ୍ତାଧାରା ଓ ଭବିଷ୍ୟତର ସୂତ୍ରରେ ବନ୍ଧା। ଫ୍ରାନ୍ସର ନୀସ ସହରରେ ଆୟୋଜିତ 'ଭାରତ ଇନୋଭେଟ୍ସ' କାର୍ଯ୍ୟକ୍ରମର ଯୁଗ୍ମ ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି। ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସହ ମିଶି ପ୍ରଧାନମନ୍ତ୍ରୀ ଏହି ଭବ୍ୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି, ଯେଉଁଠାରେ ଭାରତ, ଫ୍ରାନ୍ସ ସମେତ ବିଶ୍ୱର ଅନେକ ପ୍ରମୁଖ ଷ୍ଟାର୍ଟଅପ୍ ଏବଂ ଭେଞ୍ଚର କ୍ୟାପିଟାଲ ଫଣ୍ଡ୍ର ପ୍ରତିନିଧିମାନେ ଏକାଠି ହୋଇଛନ୍ତି।

ଭାରତ-ଫ୍ରାନ୍ସ ସମ୍ପର୍କର ଏକ ନୂଆ ଅଧ୍ୟାୟ

ଏହି ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସାଧାରଣତଃ ଦୁଇଟି ଦେଶ ମଧ୍ୟରେ ବାଣିଜ୍ୟିକ କାରବାର ବା ରଣନୀତିକୁ ନେଇ ବୁଝାମଣା ରହିଥାଏ। କିନ୍ତୁ ଭାରତ ଏବଂ ଫ୍ରାନ୍ସର ସମ୍ପର୍କ ଏହାଠାରୁ ବହୁ ଆଗରେ। ଏହି ସମ୍ପର୍କ ପଛରେ ପାରଷ୍ପରିକ ଦୃଢ଼ ବିଶ୍ୱାସ, ସମାନ ସାମାଜିକ ମୂଲ୍ୟବୋଧ ଏବଂ ଭବିଷ୍ୟତର ମିଳିତ ସ୍ୱପ୍ନ ରହିଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଗତ ବର୍ଷଗୁଡ଼ିକରେ ଆମେ ଦୁଇ ଦେଶ ମିଶି ଅନେକ ନୂଆ ପଦକ୍ଷେପ ନେଇଛୁ ଏବଂ ବିଶ୍ୱସ୍ତରୀୟ ସମସ୍ୟାଗୁଡ଼ିକର ସମାଧାନ ବାହାର କରିବାକୁ ଚେଷ୍ଟା କରିଛୁ। ଆମେ ସର୍ବଦା କାନ୍ଧକୁ କାନ୍ଧ ମିଳାଇ ଚାଲିଛୁ ଏବଂ ଆଜି 'ଭାରତ ଇନୋଭେଟ୍ସ'ର ଶୁଭାରମ୍ଭ ମଧ୍ୟ ଫ୍ରାନ୍ସ ସହିତ ମିଳିତ ଭାବେ ହେଉଥିବାରୁ ମୁଁ ବହୁତ ଆନନ୍ଦିତ।’ ଏହି ଅବସରରେ ସେ ତାଙ୍କର ବନ୍ଧୁ ତଥା ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଫ୍ରାନ୍ସ ରାଷ୍ଟ୍ରପତିଙ୍କ ନିକଟ ଅତୀତର ଭାରତ ଗସ୍ତକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ଶତାବ୍ଦୀର ଆହ୍ୱାନଗୁଡ଼ିକର ମୁକାବିଲା ପାଇଁ ଭାରତ ଓ ଫ୍ରାନ୍ସକୁ ଏକାଠି ଆଗକୁ ବଢ଼ିବାକୁ ହେବ ବୋଲି ମାକ୍ରନ କହିଥିଲେ। ଆଜିର ଏହି କାର୍ଯ୍ୟକ୍ରମ ସେହି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। 'ଭାରତ ଇନୋଭେଟ୍ସ' କେବଳ ଏକ ମଞ୍ଚ ନୁହେଁ, ବରଂ ଏହା ଭାରତର ଅସୀମ ପ୍ରତିଭା (Talent) ଏବଂ ୟୁରୋପର ପୁଞ୍ଜି (European Capital) ମଧ୍ୟରେ ଏକ ସେତୁ ସଦୃଶ କାର୍ଯ୍ୟ କରୁଛି। ଏହା ମାଧ୍ୟମରେ ଭାରତର ଯୁବ ମନ ଓ ଚିନ୍ତାଧାରାକୁ ୟୁରୋପର ବିଶେଷଜ୍ଞମାନଙ୍କ ସହ ସିଧାସଳଖ ଯୋଡ଼ି ହେବାର ସୁଯୋଗ ମିଳୁଛି।

ଭାରତରେ 'ଷ୍ଟାର୍ଟଅପ୍ ବିପ୍ଳବ'

ଭାରତ ଆଜି ଏକ ବୃହତ୍ତ ପରିବର୍ତ୍ତନର ସାକ୍ଷୀ ପାଲଟିଛି ବୋଲି ପ୍ରଧାନମନ୍ତ୍ରୀ ଜୋର ଦେଇ କହିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ, ଆଜି ସାରା ଭାରତରେ ଏକ ଅଭୂତପୂର୍ବ 'ଷ୍ଟାର୍ଟଅପ୍ ବିପ୍ଳବ' (Startup Revolution) ଚାଲିଛି। ଦେଶର ଯୁବପିଢ଼ି ସମ୍ପୂର୍ଣ୍ଣ ନୂଆ ମାନସିକତା ଏବଂ ସକାରାତ୍ମକ ଚିନ୍ତାଧାରା ସହ ଆଗକୁ ବଢ଼ୁଛନ୍ତି। ସେମାନଙ୍କର ଲକ୍ଷ୍ୟ କେବଳ ବ୍ୟବସାୟ ନୁହେଁ, ବରଂ ସମଗ୍ର ମାନବ ସମାଜର କଲ୍ୟାଣ ପାଇଁ ଜଟିଳ ସମସ୍ୟାର ସରଳ ସମାଧାନ ଖୋଜିବା।ପ୍ରଧାନମନ୍ତ୍ରୀ ନିଜ ଅଭିଭାଷଣର ଶେଷରେ କହିଛନ୍ତି ଯେ, ଭାରତର ଯୁବ ଶକ୍ତି ଦ୍ୱାରା ପ୍ରସ୍ତୁତ ଏହି ବିଶ୍ୱସ୍ତରୀୟ ସମାଧାନ ଏବଂ ନବସୃଜନକୁ ସାରା ଦୁନିଆ ଆଗରେ ପ୍ରଦର୍ଶିତ କରିବା ପାଇଁ 'ଭାରତ ଇନୋଭେଟ୍ସ' ଏକ ସର୍ବଶ୍ରେଷ୍ଠ ଓ ଶକ୍ତିଶାଳୀ ମାଧ୍ୟମ ସାଜିବ।