ପୁରୀ ୨୨।୦୭ : ଆସନ୍ତା ଶୁକ୍ରବାର ବାହୁଡ଼ା ଯାତ୍ରା। ଆଡ଼ପ ମଣ୍ଡପରୁ ଶ୍ରୀମନ୍ଦିର ଅଭିମୁଖେ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ବାହୁଡିବେ ମହାପ୍ରଭୁ ଶ୍ରୀଜଗନ୍ନାଥ। ଏଥିପାଇଁ ତିନି ରଥର ଦକ୍ଷିଣ ମୋଡ଼ ଆରମ୍ଭ ହୋଇଯାଇଛି।

ମଙ୍ଗଳବାର ତିନି ବାଡର ପୂଜାପଣ୍ଡା ସାମନ୍ତ ତିନି ରଥକୁ ଆଜ୍ଞାମାଳ ପ୍ରଦାନ କରିବା ପରେ ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥକୁ ଦକ୍ଷିଣ ମୋଡ଼ କରାଯାଇ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ବାର ସମ୍ମୁଖରେ ରଖାଯାଇଛି। ପରେ ତାଳଧ୍ଵଜ ରଥର ଦକ୍ଷିଣ ମୋଡ଼ ଆରମ୍ଭ ହେବା ସମୟରେ ପ୍ରବଳ ବର୍ଷା ଯୋଗୁଁ ରଥକୁ ଦକ୍ଷିଣ ମୋଡ଼ କରିବା ସମ୍ଭବପର ହୋଇପାରିନଥିଲା। ପ୍ରବଳ ବର୍ଷା ଯୋଗୁଁ ଶରଧାବାଲି ଅଞ୍ଚଳରେ ବର୍ଷାଜଳ ଜମି ରହିଥିଲା। ଏଣୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରଥ ଦକ୍ଷିଣ ମୋଡ଼ କୁ ସ୍ଥଗିତ ରଖାଯାଇଥିଲା।

Also Read:-Horoscope Today : ଜୁଲାଇ ୨୨ ତାରିଖ, ବୁଧବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ତେବେ ବୁଧବାର ତାଳଧ୍ବଜ ରଥର ଦକ୍ଷିଣୀ ମୋଡ଼ କରାଯାଇ ନାକଚଣା ଦ୍ବାର ସମ୍ମୁଖରେ ରଖାଯିବା ପରେ ନନ୍ଦିଘୋଷ ରଥକୁ ଦକ୍ଷିଣ ମୋଡ କରାଯିବ। ତିନି ରଥର ଦକ୍ଷିଣୀ ମୋଡ଼ ଶେଷ ହେବା ପରେ ଏହାର ଯାଞ୍ଚ ମଧ୍ୟ କରାଯିବ। ତେବେ ଲଗାଣ ବର୍ଷା ଯୋଗୁ ଶରଧାବାଲିରେ ୩ ରଥ ପାଣି ଘେରରେ ରହିଛି। ତିନି ରଥକୁ ବ୍ୟାରିକେଡିଂ ସହ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି।