ଯାଜପୁର: ରାଜ୍ୟର ଅନେକ ଜିଲ୍ଲାରେ ଲାଗି ରହିଥିବା ବର୍ଷା ଓ ବନ୍ୟା ସ୍ଥିତି ଏବେ ସଂଗୀନ । ହଜାର ହଜାର ଗାଁ ଏବେବି ଜଳମଗ୍ନ। କେଉଁଠି ଘରେ ଏବେବି ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି ତ’ ଆଉ କେଉଁଠି ସଂପୂର୍ଣ୍ଣ ଘର ହିଁ ପାଣିରେ ବୁଡ଼ିଛି। ପ୍ରଭାବିତ ଅଞ୍ଚଳରେ ଲୋକଙ୍କ ଖାଇବା, ପିଇବା କଥା ତ’ ନ କହିବା ଭଲ। ହେଲେ ଏସବୁ ପ୍ରତିକୂଳ ପରିସ୍ଥିତିରେ ଲୋକଙ୍କ ପାଇଁ ଦେବଦୂତ ସାଜୁଛନ୍ତି ଅଗ୍ନିଶମ ବାହିନୀ କର୍ମଚାରୀ। ନଦୀର ପ୍ରଖର ସ୍ରୋତ ମୁଖରୁ ଉଦ୍ଧାର କରିବା ହେଉ କି ବନ୍ୟା ବିପନ୍ନଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନେଉଛନ୍ତି।

ଏହି କ୍ରମରେ ପୁଣି ଏକ ପ୍ରଶଂସନୀୟ କାମ କରି ଏକ ଚର୍ଚ୍ଚାରେ ଓଡ଼ିଶା ଅଗ୍ନିଶମ ବାହିନୀ। ବନ୍ୟା ପ୍ରପୀଡ଼ିତ ଅଞ୍ଚଳରେ ଫସି ପ୍ରସବ ବେଦନା ସହୁଥିବା ଜଣେ ପ୍ରସୂତିଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି ଅଗ୍ନିଶମ ବାହିନୀ। ବଡ଼ କଥା ହେଲା ୩ କିଲୋମିଟର ବାଟ ବୋଟ ଚଲାଇ ପ୍ରସୂତିଙ୍କୁ ଡାକ୍ତରଖାନା ନେଇଛନ୍ତି ଅଗ୍ନିଶମ ବାହିନୀ କର୍ମଚାରୀ। ଏଭଳି ଏକ ଭଲ ଖବର ଆସିଛି ଯାଜପୁର ବିଞ୍ଝାରପୁର ହଳଦୀଡ଼ିହା ଗ୍ରାମରୁ। ଗ୍ରାମରେ ବନ୍ୟା ପାଣି ମାଡ଼ିଯାଇଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ତେବେ ମଙ୍ଗଳବାର ଗ୍ରାମର ଜଣେ ପ୍ରସୂତିଙ୍କର ପ୍ରସବ ବେଦନା ଆରମ୍ଭ ହୋଇଯାଥିଲା। ହେଲେ ବନ୍ୟା ଯୋଗୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିବାରୁ ତାଙ୍କୁ ଡାକ୍ତରଖାନା ନେବା ସମ୍ଭବ ନଥିଲା।

Also Read: ହୃଦଘାତରେ ଛଟପଟ ହେଉଥିଲେ ଆଶାକର୍ମୀ, ବନ୍ୟା ପାଇଁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ...

ଏତିକିବେଳେ ଖବର ପାଇ ତୁରନ୍ତ ବିଞ୍ଝାରପୁର ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚିଥିଲା। ଆଉ ଯନ୍ତ୍ରଣାରେ ଛଟପଟ ହେଉଥିବା ମହିଳା ଡାକ୍ତରଖାନା ନେବାକୁ ପ୍ରୟାସ ଆରମ୍ଭ କରିଥିଲା। ଆଉ ସଂପୂର୍ଣ୍ଣ ସତର୍କତାର ସହ ପ୍ରାୟ ୩ କିଲୋମିଟର ବାଟ ବୋଟ ଚଲାଇ ପ୍ରସୂତିଙ୍କୁ ଡାକ୍ତରଖାନାରେ ପହଞ୍ଚାଇଥିଲେ। ଏହି ଘଟଣା ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ, ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ଉଦ୍ୟମକୁ ସମସ୍ତେ ପ୍ରଶଂସା କରୁଛନ୍ତି।