ଭୁବନେଶ୍ୱର: ସାରା ଦେଶରେ ବାୟୁ ପ୍ରଦୂଷଣରେ ତାଳଚେର ପ୍ରଥମ। ଦିଲ୍ଲୀର ବାୟୁ ପ୍ରଦୂଷଣକୁ ଟପିଯାଇଛି ତାଳଚେର। ଏହାକୁ ଆଖି ଆଗରେ ରଖି ପଦକ୍ଷେପ ନେଇଛନ୍ତି ଅନୁଗୋଳ ଜିଲ୍ଲାପାଳ। ଲାଗୁ ହୋଇଛି ଗ୍ରାପ-୨ କଟକଣା। ୧୨ଟି ସର୍ତ୍ତ ରଖିଛନ୍ତି ଅନୁଗୋଳ ଜିଲ୍ଲାପାଳ। ନିୟମକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା ୧୬୩ ଅନୁଯାୟୀ ତାଳଚେର ପୌରପାଳିକାରେ ବାୟୁ ଗୁଣବତ୍ତା ଖରାପ ଥିବାରୁ GRAP -II ନିର୍ଦ୍ଦେଶାବଳୀକୁ ବିଚାର କରି ତାଳଚେର ପୌରପାଳିକା ଅଞ୍ଚଳରେ କଟକଣା ଲାଗୁ କରାଯାଇଛି। ଏହା ଅଧୀନରେ ପ୍ରତିଦିନ ସନ୍ଧ୍ୟା ୬ ଟାରୁ ସକାଳ ୧୦ଟା ପର୍ଯ୍ୟନ୍ତ ସମସ୍ତ ନିର୍ମାଣ କାର୍ଯ୍ୟକଳାପ ନିଷେଧ। ପୌରପାଳିକା ସୀମା ମଧ୍ୟରେ କରାଯିବାକୁ ଥିବା ଯେକୌଣସି ଭଙ୍ଗା କିମ୍ବା ମାଟି କାମ ନିଷେଧ। ପୌରପାଳିକା, NHAI ଏବଂ MCL ଦିନକୁ ଅତି କମରେ ୩ ଥର ସମସ୍ତ ରାସ୍ତାରେ ପାଣି ସିଞ୍ଚନ କରିବେ।
ତାଳଚେର ସହର ଭିତରକୁ ଭାରୀ ଟ୍ରକ ପ୍ରବେଶ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଖୋଲାରେ ଅଳିଆ ଜାଳିବା, ଢାବା ଇତ୍ୟାଦିରେ କୋଇଲା ଜାଳିବା ଏବଂ ଯେକୌଣସି ପ୍ରକାରର ଖୋଲା ନିଆଁ ଲଗାଇବା ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ସବ-କଲେକ୍ଟର, ତାଳଚେର ଏବଂ RTO ଙ୍କ ନେତୃତ୍ୱରେ ଦିନ ସମୟରେ ସମସ୍ତ କୋଇଲା ଏବଂ ପାଉଁଶ ଟ୍ରକ ଚଳାଚଳ ଉପରେ ପୃଥକ କଟକଣା ଜାରି କରିବେ। NH-୧୪୯ରେ କୌଣସି ଆବରଣ/ତାର୍ପାଲିନ ବିନା ଟ୍ରକ୍ ଚଳାଚଳ କରିବାକୁ ଅନୁମତି ଦିଆଯିବ ନାହିଁ।
Collector & District Magistrate, Angul has imposed GRAP Stage-II restrictions in Talcher Municipality in view of poor air quality.@CMO_Odisha @IPR_Odisha pic.twitter.com/tzQpNg95B1
— Collector and District Magistrate, Angul (@angul_dm) January 3, 2026
ସେହିପରି NHAI ଏବଂ ନିର୍ବାହୀ ଯନ୍ତ୍ରୀ, NH ଡିଭିଜନ, ପାଲଲହରା ସେମାନଙ୍କର ସମସ୍ତ ନିର୍ମାଣ ସ୍ଥାନରେ ପାଣି ସିଞ୍ଚନ କରିବେ। ଏହି ନିର୍ଦ୍ଦେଶ ବର୍ଦ୍ଧିତ ନହେଲେ ୭ ଦିନ ପାଇଁ ବଳବତ୍ତର ରହିବ। ନିୟମକୁ କଡ଼ାକଡ଼ି ପାଳନ କରିବାକୁ ପୋଲିସ, ପୌରପାଳିକା, ସମସ୍ତ କାର୍ଯ୍ୟନିର୍ବାହୀ ସଂସ୍ଥା ଏବଂ RTOକୁ ନିର୍ଦ୍ଦେଶ ଦିଆଯାଇଛି।
