କଟକ ୨୩।୧୨: ପ୍ରତିଷ୍ଠିତ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ହ୍ୟୁମାନଙ୍କ ମା’ ଶେଫାଳୀ ସୁନା କଟକ ମର୍କତ ନଗର ଥାନାରେ ଏତଲା ଦେବା ପରେ ମାମଲା ରୁଜୁ କଲା ପୋଲିସ । ହ୍ୟୁମାନଙ୍କ ମା’ ଶେଫାଳି ସୁନାଙ୍କ ଅଭିଯୋଗ ଆଧାରରେ କେସ୍ ରୁଜୁ କରିଛି ପୋଲିସ । ଅଭିଯୋଗରେ ଯେଉଁମାନଙ୍କ ନାଁ ଉଲ୍ଲେଖ ରହିଛି ସମସ୍ତଙ୍କୁ ଡକାଯିବ ଓ ପଚରାଉଚରା କରାଯିବ । ଆଇନର ପ୍ରକ୍ରିୟା ଅନୁଯାୟୀ ଆମେ ତଦନ୍ତ କରିବୁ ବୋଲି କହିଛନ୍ତି କଟକ ଏଡିସିପି ଅମରେନ୍ଦ୍ର ପଣ୍ଡା । ସୁରୁଖୁରୁରେ ତଦନ୍ତ କରାଯିବ ବୋଲି ମଧ୍ୟ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ହ୍ୟୁମାନ ସାଗରଙ୍କ ମୃତ୍ୟୁ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବିରେ କଟକ ମର୍କତ ନଗର ଥାନାର ଦ୍ବାରସ୍ଥ ହୋଇଥିଲେ ହ୍ୟୁମାନଙ୍କ ମା’ ଶେଫାଳୀ ସୁନା । ହ୍ୟୁମାନଙ୍କ ଉପରେ ଅତ୍ୟାଚାର କରାଯାଉଥିଲା, ଚାପ ମଧ୍ୟ ପ୍ରୟୋଗ କରାଯାଉଥିଲା । ଚିକିତ୍ସାରେ ଅବହେଳା ବି କରାଯାଇଥିଲା, ଏମିତି ଏକାଧିକ ସଙ୍ଗୀନ ଅଭିଯୋଗ ନେଇ କଟକ ମର୍କତ ନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ ହ୍ୟୁମାନ ସାଗରଙ୍କ ମା’ ।

କେବଳ ସେତିକି ନୁହଁ, ବଡ଼ ଧରଣର ଆର୍ଥିକ ହେରଫେର ରହିଥିବା ନେଇ ମର୍କତ ନଗର ଥାନାରେ ହ୍ୟୁମାନଙ୍କ ମା’ ଅଭିଯୋଗ କରିଥିଲେ । ଯେଉଁମାନେ ହ୍ୟୁମାନଙ୍କ ଅତ୍ୟନ୍ତ ନିକଟତର ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ମଧ୍ୟ ଦାବି କରିଥିଲେ । ହ୍ୟୁମାନଙ୍କ ମା’ଙ୍କ ଦାବି ଅନୁସାରେ ହ୍ୟୁମାନଙ୍କ ପତ୍ନୀ ଶ୍ରେୟା ମିଶ୍ର ଓ ତାଙ୍କ ପରିବାର, ଚିକିତ୍ସା କରୁଥିବା ଡ଼ାକ୍ତର, ବାନ୍ଧବୀ ଅର୍ପିତା ଚୌଧୁରୀ, ମ୍ୟାନେଜର ଦିନେଶ ବେହେରା, ମହମ୍ମଦ ଆବିଦ୍ ଓରଫ ବବଲୁଙ୍କ ସହ ଏକାଧିକ ଲୋକଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି କହିଥିଲେ । ହ୍ୟୁମାନ ରହୁଥିବା ଘରର ସିସିଟିଭି ଫୁଟେଜ, ଘରକୁ ଯାତାୟାତ କରୁଥିବା ଲୋକଙ୍କ ରେଜିଷ୍ଟରରେ ଉଲ୍ଲେଖ ନାମ, ହ୍ୟୁମାନଙ୍କ ମୋବାଇଲରୁ ଉଡାଯାଇଥିବା ତଥ୍ୟର ରିକୋଭରୀ ସହ ସିଡିଆର ଯାଞ୍ଚ କରିବାକୁ ସେ ଏତଲା କପିରେ ଉଲ୍ଲେଖ କରିଥିଲେ । ଏହାସହ ସ୍ବଚ୍ଛ ଓ ନିରପେକ୍ଷ ତଦନ୍ତ ପାଇଁ ଦାବି କରିଥିଲେ ।