ଭଦ୍ରକ: ୧୦ମ ଶ୍ରେଣୀ ଛାତ୍ରୀକୁ ପ୍ରେମ ନିବେଦନ ଓ ବିଫଳ ହେବାରୁ ହତ୍ୟା ଉଦ୍ୟମ କରୁଥିବା ଜଣେ ବିବାହିତ ପୁରୁଷକୁ ଗିରଫ କରିଛି ପୋଲିସ। ବ୍ୟକ୍ତି ଜଣକ ପୂର୍ବରୁ ତିନି ଥର ବିବାହ କରିଥିବା ବେଳେ, ଏଭଳି ଜଘନ୍ୟ କାଣ୍ଡ ଭିଆଇବାକୁ ନେଇ ଅଞ୍ଚଳରେ ବେଶ୍ ଚର୍ଚ୍ଚା ହେଉଛି। ତେବେ ପୋଲିସ ବ୍ୟକ୍ତିଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅନ୍ତର୍ଗତ ଅସୁରାଳି ଫତେପୁର ଅଞ୍ଚଳର ଜଣେ ୧୦ମ ଶ୍ରେଣୀ ଛାତ୍ରୀ ସ୍କୁଲ ଯାଉଥିବା ବେଳେ, ବନ୍ଧମୁଣ୍ଡ ଗାଁର ଦିଲ୍ଲୀପ ଜେନା ଓରଫ ରାଜୁ ତାଙ୍କୁ ଅଟକାଇଥିଲା। ଏହି ସମୟରେ ରାଜୁ ଛାତ୍ରୀ ଜଣକୁ ପ୍ରେମ ନିବେଦନ କରିଥିଲା । ହେଲେ ଏଥିରେ ଅରାଜି ହେବାରୁ ରାଜୁ ସାଙ୍ଗରେ ଆଣିଥିବା ପେଟ୍ରୋଲ କାଢ଼ି ଛାତ୍ରୀଙ୍କ ଉପରେ ଢାଳିଦେଇଥିଲା। ତେବେ ଦିଆସିଲି କାଢ଼ି ନିଆଁ ଲଗାଇବାକୁ ଉଦ୍ୟମ କରିବାବେଳେ ସ୍ଥାନୀୟ ଲୋକେ ଅଭିଯୁକ୍ତଙ୍କୁ କାବୁ କରି ପୋଲିସ ଜିମା ଦେଇଥିଲେ।

Also Read: ୬୨ ବର୍ଷୀୟ ବୃଦ୍ଧର କଳା କାରନାମା: ନାବାଳିକାକୁ ଦୁଷ୍କର୍ମ ପରେ ଗର୍ଭନଷ୍ଟ ଉଦ୍ୟମ, ମେଡିକାଲ ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ

ପରେ ଖବର ପାଇ ଘଟଣାସ୍ଥଳରେ ଧୂଷୁରୀ ପୋଲିସ ପହଞ୍ଚି ଅଭିଯୁକ୍ତକୁ ଥାନାକୁ ଆଣିଛି। ଜଣାପଡ଼ିଛି ଅଭିଯୁକ୍ତ ରାଜୁ ପୂର୍ବରୁ ତିନିଥର ବିବାହ କରିସାରିଛି। ଏକ ତରଫା ପ୍ରେମରୁ ସେ ଏଭଳି କାଣ୍ଡ ଭିଆଇ ଥିବା ସନ୍ଦେହ କରାଯାଉଛି। ଘଟଣାକୁ ନେଇ ଛାତ୍ରୀଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯିବା ପରେ ପୋଲିସ ଅଭିଯୁକ୍ତକୁ ଅଟକ ରଖିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।