ଜାକାର୍ତ୍ତା: ଇଣ୍ଡୋନେସିୟା ପଶ୍ଚିମ ଜାଭା ପ୍ରୋଭିନ୍ସ ବୋଗୋର ରିଜେନ୍ସୀରେ ଥିବା ଏକ ଅବୈଧ ସୁନା ଖଣିରେ ବନ୍ୟା ଆସିବାରୁ ୯ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଏହି ବିପର୍ଯୟରେ ଅନ୍ୟ ୧୭ ଜଣ ଶ୍ରମିକ ଖଣିତଳେ ଫଶି ରହିଥିବା ଆଶଙ୍କା କରାଯାଉଛି। ଉଦ୍ଧାରକାରୀ ଦଳ ବୁଧବାର ପାଖାପାଖି ଥିବା ଖଣି ସୁଡଙ୍ଗରୁ ଶବ ଉଦ୍ଧାର କରିଥିବା ବେଳେ ନିଖୋଜ ଲୋକଙ୍କ ସନ୍ଧାନ ଜାରି ରହିଛି। ସୋମବାର ବିଳମ୍ବିତ ରାତ୍ରିରେ ଭୀଷଣ ବର୍ଷା ଯୋଗୁ ନିକଟରେ ଥିବା ଶିସେଉରେଉହ ନଦୀର ବନ୍ୟା ପାଣି ଖଣି ଗାତରେ ଭରି ଯାଇଥିଲା। ଏହି ସମୟରେ ଶ୍ରମିକମାନେ ଖଣି ତଳେ ସୁନା କଣିକା ସନ୍ଧାନ କରୁଥିଲେ।

ଏହି ଘଟଣା ରାଜଧାନୀ ଜାକାର୍ତ୍ତାରୁ ଦକ୍ଷିଣ ଦିଗରେ ଥିବା ବୋଗୋର ରିଜେନ୍ସୀ ପାର୍ବତ୍ୟାଞ୍ଚଳରେ ଘଟିଛି, ଯେଉଁଠି ସୁନା ଖଣି ଗର୍ତ୍ତ ପାଖାପାଖି ୧୦୦ ମିଟର ଅର୍ଥାତ ୩୩୦ ଫୁଟ ଗଭୀର ବୋଲି କୁହାଯାଉଛି। ମୃତକମାନଙ୍କ ଶବ ଖଣିର ୩୦ରୁ ୭୦ ମିଟର ତଳେ ମିଳିଛି। ଏହି ଖଣିଟି ସରକାରୀ କମ୍ପାନୀ ପିଟି ଅଣ୍ଟାମର ପୋଙ୍ଗୋକର ସୁନା ଖଣି ୟୁନିଟ ନିକଟରେ ରହିଛି। ତେବେ କମ୍ପାନୀ ସ୍ପଷ୍ଟ କରିଛି ଯେ ଏହା ଏକ ଅବୈଧ ସୁନା ଖଣି ଓ ଏହା କମ୍ପାନୀ ସଞ୍ଚାଳନ ଅନ୍ତର୍ଗତ ନୁହେଁ। ଯାହାକୁ ସ୍ଥାନୀୟ ଅଞ୍ଚଳରେ ଲୋକେ ଲୁଚାଚୋରାରେ ଚଳାଇଥିଲେ। ତେବେ କମ୍ପାନୀ ମାନବୀୟ ଆଧାରରେ ଶ୍ରମିକଙ୍କ ସନ୍ଧାନ ଓ ଉଦ୍ଧାର କାର୍ଯ୍ୟରେ ସହାୟତା କରୁଛି।

ଜାକାର୍ତ୍ତା ସର୍ଚ୍ଚ ଏଣ୍ଡ ରେସ୍କ୍ୟୁ ଏଜେନ୍ସୀ ଅନୁସାରେ ଖଣି ସୁଡ଼ଙ୍ଗରୁ ପାଣି କାଢିବା ପାଇଁ ପମ୍ପ ଲଗାଯାଇଛି ଓ ଖଣି ତଳେ ଝରଉଥିବା ବନ୍ୟା ପାଣିକୁ ଅଟକାଇବା ପାଇଁ ଉଦ୍ୟମ କରାଯାଉଛି। ଖଣିର ଗଭୀରତା ଓ ସଂକିର୍ଣ୍ଣ ରାସ୍ତା ସାଙ୍ଗକୁ ଅନ୍ଧାର ଉଦ୍ଧାର କାର୍ଯ୍ୟରେ ବାଧା ସାଜିଛି। ତେବେ ଖଣିରୁ ପାଣି କାଢିବାକୁ ଦୀର୍ଘ ସମୟ ଲାଗିପାରେ ବୋଲି ଅଧିକାରୀ କହିଛନ୍ତି। ଖଣିରେ ବନ୍ୟାପାଣି ପଶିବା ପୂର୍ବରୁ ୧୧ ଜଣ ଶ୍ରମିକ ବାହାରକୁ ଚାଲି ଆସିଥିଲେ। ଖଣିରେ ବନ୍ୟାପାଣି ପଶୁଥିବା ଖବର ପାଇ ସ୍ଥାନୀୟ ଖୋଳାଳି ଓ ଶ୍ରମିକମାନେ ଆରମ୍ଭରେ ପମ୍ପ ଲଗାଇ ପାଣି କାଢିବାକୁ ଉଦ୍ୟମ କରିଥିଲେ। ତେବେ ପରିସ୍ଥିତି ଅଣାୟତ ହେବା ପରେ ପ୍ରଶାସନକୁ ସୂଚନା ଦିଆଯାଇଥିଲା।

ପୋଲିସକୁ ଖଣିରେ ପାଣି ପଶିବାର ୧୬ ଘଣ୍ଟା ପରେ ପ୍ରଥମ ଖବର ମିଳିଥିଲା। ତେବେ ସ୍ଥାନୀୟ ଅଧିକାରୀ, ଦମକଳ ବିଭାଗ କର୍ମଚାରୀ ଓ ଅନ୍ୟ ଏଜେନ୍ସୀଙ୍କ ପ୍ରାରମ୍ଭିକ ଆକଳନ ପରେ ସରକାରୀ ଖନନ କମ୍ପାନୀ ପିଟି ଅଣ୍ଟାମ ବୁଧବାର ବିଳମ୍ବିତ ରାତ୍ରିର ଠିକ୍ ପରେ ଜାକାର୍ତ୍ତା ସର୍ଚ୍ଚ ଏଣ୍ଡ ରେସ୍କ୍ୟୁ ଏଜେନ୍ସୀକୁ ଔପଚାରିକ ରିପୋର୍ଟ ପଠାଇଛି। ଏହା ପରେ ବଡ଼ ଧରଣର ଉଦ୍ଧାର ଅଭିଯାନ ହାତକୁ ନିଆଯାଇଛି। ଏଥିରେ ପ୍ରଥମ ଶବ ବୁଧବାର ମଧ୍ୟାହ୍ନ ପରେ ଖଣିତଳୁ ବାହାର କରାଯାଇଛି। ଏହାର ୧ ଘଣ୍ଟା ପରେ ଆଉ ଦୁଇଟି ଶବ ବାହାର କରାଯାଇଥିଲା। ସନ୍ଧ୍ୟା ସୁଦ୍ଧା ଉଦ୍ଧାରକାରୀଦଳ ଲଗାଲଗି ହୋଇ ରହିଥିବା ୨ଟି ଖଣି ସୁଡଙ୍ଗରୁ ଆଉ ୬ଟି ଏହିପରି ମୋଟ ୯ଟି ଶବ ଉଦ୍ଧାର ହୋଇଛି।