ବାଲିପାଟଣା: ସମାଜକୁ ଲଜ୍ଜିତ କଲା ଭଳି ଏକ ଅମାନୁଷିକ ଘଟଣା ସାମ୍ନାକୁ ଆସିଛି। ଜଣେ ୧୨ ବର୍ଷର ନାବାଳିକାକୁ ଡରାଇ-ଧମକାଇ ଜଣେ ୬୨ ବର୍ଷର ବୃଦ୍ଧ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ, ପାପର ପ୍ରମାଣ ଲୁଚାଇବାକୁ ଯାଇ ନାବାଳିକାଙ୍କ ଜୀବନ ସହ ଖେଳ ଖେଳିଛି ଅଭିଯୁକ୍ତ। ଏହି ସାଂଘାତିକ ମାମଲାରେ ପୋଲିସ ଅଭିଯୁକ୍ତ ବୃଦ୍ଧକୁ ଅଟକ ରଖିଥିବା ବେଳେ ଡାକ୍ତରୀ ପରୀକ୍ଷାରୁ ଆସିଥିବା ରିପୋର୍ଟ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି।

ପରିବାର ଲୋକଙ୍କ ଅନୁପସ୍ଥିତିର ସୁଯୋଗ ନେଇ ସ୍ଥାନୀୟ ଅଞ୍ଚଳର ୬୨ ବର୍ଷୀୟ ଶ୍ରୀଧର ଓଝା ନାବାଳିକାଙ୍କୁ ଜୀବନରୁ ମାରିଦେବାର ଧମକ ଦେଇ କ୍ରମାଗତ ଭାବେ ଦୁଷ୍କର୍ମ କରିଆସୁଥିଲା। ଏହି କାରଣରୁ ନାବାଳିକା ଜଣକ ଗର୍ଭବତୀ ହୋଇଥିଲେ। ତେବେ ପାପ ଧରାପଡ଼ିବା ଭୟରେ ଅଭିଯୁକ୍ତ ଶ୍ରୀଧର ନାବାଳିକାଙ୍କୁ ଜୋର ଜବରଦସ୍ତ ଗର୍ଭ ନଷ୍ଟ କରିବା ପାଇଁ ଔଷଧ ଖୁଆଇ ଦେଇଥିଲା।

ଔଷଧ ଖାଇବା ପରେ ନାବାଳିକାଙ୍କ ଶରୀରରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା। ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ପ୍ରଥମେ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତରୀ ପରୀକ୍ଷା ପରେ ସମଗ୍ର ସଇତାନୀ କାରନାମା ଉପରୁ ପରଦା ହଟିଥିଲା। ଏହା ସହିତ ସବୁଠୁ ଚିନ୍ତାଜନକ ଏବଂ ଦୁଃଖଦ ଖବର ଏହା ଯେ, ଡାକ୍ତରୀ ପରୀକ୍ଷାରୁ ପୀଡ଼ିତା ନାବାଳିକା ଜଣକ ଏଡ୍ସ (HIV) ରୋଗରେ ପୀଡ଼ିତ ଥିବା ଜଣାପଡ଼ିଛି।

also read- ଭଦ୍ରକରେ ବାଘ ବୁଲୁଛି ନା ଫିଶିଂ କ୍ୟାଟ୍‌? ଭାଇରାଲ ଭିଡିଓକୁ ନେଇ ଚର୍ଚ୍ଚା

ପରିବାର ଲୋକଙ୍କ ଲିଖିତ ଅଭିଯୋଗ ଆଧାରରେ ବାଲିପାଟଣା ଥାନା ପୋଲିସ ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତ ଶ୍ରୀଧର ଓଝାକୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି ଏବଂ ଆଗକୁ ପୋକ୍ସୋ (POCSO) ଆକ୍ଟ ସହ ଅନ୍ୟ ସଙ୍ଗିନ ଦଫାରେ କୋର୍ଟ ଚାଲାଣ କରିବାକୁ ପ୍ରସ୍ତୁତି ଚଳାଇଛି।