ଚଣ୍ଡିଖୋଲ: ଗାଁକୁ ରାସ୍ତା ନଥିଲା, ଗ୍ରାମବାସୀମାନେ ନିଜ ଖର୍ଚ୍ଚରେ ରାସ୍ତା ପାଇଁ ମୋରମ ପକାଇଲେ । ହେଲେ ନିର୍ଦ୍ଦିଷ୍ଟ ବ୍ୟକ୍ତି ଜମି ଉପରେ ମୋରମ ପକାଇବାକୁ ବିରୋଧ କରି ଥାନାରେ ମାମଲା କଲେ। ଏପଟେ ଗ୍ରାମବାସୀ ଘଟଣାକୁ ନେଇ ଥାନାର ଦ୍ବାରସ୍ଥ ହେବା ବେଳକୁ ପୋଲିସ ଅଭିଯୋଗ ଗ୍ରହଣ କରିନଥିଲା। ସେହିଭଳି ଗାଁର ଜଣେ ମହିଳାଙ୍କ କଥା ନଶୁଣିବାରୁ ସେ ଆତ୍ମହତ୍ୟା କରିଲେ। ଏହି ଦୁଇ ଅଭିଯୋଗ ସହ ପୋଲିସର ନିଷ୍କ୍ରିୟତା ବିରୁଦ୍ଧରେ ବାଲିଚନ୍ଦ୍ରପୁର ଥାନା ସମ୍ମୁଖରେ ଭୀମ ଆର୍ମି ସଂଗଠନ ପକ୍ଷରୁ ପ୍ରତିବାଦ।

ଶୁକ୍ରବାର, ବହୁ ସଂଖ୍ୟାରେ ମହିଳା ଓ ପୁରୁଷ ଏକାଠି ହୋଇ ଏହି ପ୍ରତିବାଦ କରିଛନ୍ତି। ବାଲିଚନ୍ଦ୍ରପୁର ବଜାରରୁ ଏକ ରାଲି ଶୋଭାଯାତ୍ରାରେ ଶତାଧିକ ଲୋକେ ଯାଇ ବାଲିଚନ୍ଦ୍ରପୁର ଥାନା ସମ୍ମୁଖରେ ପୋଲିସ ବିରୁଦ୍ଧରେ ନାରା ବାଜି କରିବା ସହ ପ୍ରତିବାଦ କରିଛନ୍ତି। ଏନେଇ ଭୀମ ଆର୍ମି ରାଜ୍ୟ ସମ୍ପାଦକ ଭୈରବ ପ୍ରସାଦ ବେହେରା କହିଛନ୍ତି, ବିଭିନ୍ନ ଘଟଣାରେ ପୋଲିସର ପାତର ଅନ୍ତର ନୀତି ପ୍ରତିବାଦରେ ଲୋକେ ଏହି ପ୍ରତିବାଦ କରିଛନ୍ତି। ଦଳିତଙ୍କ ଉପରେ ଅତ୍ୟାଚାର ବଢ଼ିଛି। ପୋଲିସ ବହୁ ମାତ୍ରାରେ ଦାୟୀ। ତେଣୁ ନ୍ୟାୟ ପାଇଁ ଧାରଣା ଦିଆଯାଉଛି। ଆଗାମୀ ଦିନରେ ପୋଲିସ କାର୍ଯ୍ୟାନୁଷ୍ଠାନ ନ ନିଏ ତେବେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ। ଏହା ସହ ଯଦି ସମସ୍ୟାର ସମାଧାନ ନହୁଏ ତେବେ ଆଗକୁ ରାଜରାସ୍ତା ଅବରୋଧ କରିବା ନେଇ ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ।