ବ୍ରହ୍ମପୁର: ସଂଗଠିତ ଜମି ଠକେଇ ମାମଲାରେ ଗୋଳନ୍ଥରା ପୋଲିସ ଶୁକ୍ରବାର ଦୁଇ ଜମି ଦଲାଲଙ୍କୁ ଗିରଫ କରିଛି। ଏହି ଦୁଇ ଦଲାଲ ଜଣେ ସ୍ଥାନୀୟ ବାସିନ୍ଦାକୁ ଜମି କିଣାରେ ଫସାଇ ଲକ୍ଷାଧିକ ଠକି ନେଇଥିଲେ। ହେଲେ ଏବେ ପୋଲିସର ଘଟଣାର ତଦନ୍ତ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭଯୁକ୍ତ ବଡ଼ବଜାରର ସୋମେନ୍ଦ୍ର କୁମାର ସାହୁ (୬୩) ଏବଂ ରାଇଝୋଲାର ଶିବଶଙ୍କର ଚୌଧୁରୀ (୪୬)ଙ୍କୁ ଗିରଫ କରିଛି ପୁଲିସ।

ସୂଚନା ଅନୁସାରେ, ହିମାଂଶୁ ଶେଖର ପାତ୍ରୋ ନାମକ ଜଣେ ବ୍ୟକ୍ତିଙ୍କୁ ଏହି ଦୁଇ ଦଲାଲ ୨୦୨୨ରେ ଏକ ସ୍ପଷ୍ଟ ଅଧିକାର ନାମରେ କୃଷି ଜମି କିଣିବାକୁ ପ୍ରରୋଚିତ କରିଥିଲେ। ଆଉ ତାଙ୍କ ଠାରୁ ପ୍ରାୟ ୭୫ ଲକ୍ଷ ଟଙ୍କା ଜମି ବାବଦକୁ ନେଇଥିଲେ। ପଞ୍ଜିକୃତ ବିକ୍ରୟ ଚୁକ୍ତିନାମା ୨୦୨୨ ଏବଂ ୨୦୨୩ରେ କାର୍ଯ୍ୟକାରୀ ହୋଇଥିଲା।ତେବେ ପରବର୍ତ୍ତୀ ସମୟରେ ଡିସେମ୍ବର ୨୦୨୩ରେ ସୀମା ନିର୍ଦ୍ଧାରଣ ସମୟରେ ସମାନ ଜମି ୧୯୭୦ରୁ ୧୯୭୨ ମଧ୍ୟରେ ଅନ୍ୟ ପକ୍ଷଙ୍କୁ ବିକ୍ରି ହୋଇସାରିଥିବା ଜଣାପଡ଼ିଥିଲା।

ଆଉ ଅଭିଯୁକ୍ତମାନେ ଜାଲିଆତି ବିକ୍ରୟକୁ ସହଜ କରିବା ପାଇଁ ଉଦ୍ଦେଶ୍ୟମୂଳକ ଭାବରେ ଏହି ପୂର୍ବ କାରବାରଗୁଡ଼ିକୁ ଲୁଚାଇ ରଖିଥିଲେ। ଠକେଇ ଉଦ୍ଦେଶ୍ୟରେ ଜାଲିଆତି କରାଯାଇଥିଲା ଏବଂ ଜାଲ୍ ଡକ୍ୟୁମେଣ୍ଟକୁ ଅସଲି ଭାବରେ ବ୍ୟବହାର କରାଯାଇଥିଲା।

ଏମିତିରେ ଅଭିଯୋଗକ୍ରମେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟରେ ହାଜର କରାଯାଇଛି। ଅନ୍ୟ କୌଣସି ସହଯୋଗୀ କିମ୍ବା ସମାନ ପୀଡିତଙ୍କୁ ଚିହ୍ନଟ କରିବା ପାଇଁ ଅଧିକ ତଦନ୍ତ ଚାଲିଥିବା ପୋଲିସ ସୂଚନା ଦେଇଛି।