ବାଣପୁର ୧।୭: ବାଣପୁରରେ ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ପିଟିପିଟି ମାରିଦେବା ଘଟଣାରେ କାର୍ଯ୍ୟାନୁଷ୍ଠାନ । ଏହି ହତ୍ୟାକାଣ୍ଡ ଘଟଣାରେ ୩ ଜଣଙ୍କୁ ଗିରଫ କଲା ବାଣପୁର ପୋଲିସ l ଗତ ୨୮ ତାରିଖରେ ଖୋର୍ଦ୍ଧା ଜିଲ୍ଲାର ବାଣପୁର ଅନ୍ତର୍ଗତ ଖଣତ ଗାଁରେ ଘଟିଥିଲା ଏହି ଅଭାବନୀୟ ଘଟଣା । ଯାହାକି ସାରା ରାଜ୍ୟରେ ଚହଳ ପକାଇଥିଲା । ଏହା ଥିଲା ଭିଡ଼ ହିଂସାର ନମୁନା । ଏଥିପାଇଁ ବାଣପୁର ପୋଲିସ ମଧ୍ୟ କେତେକାଂଶରେ ଦାୟୀ ହୋଇଥିଲା ।

ଗତ ୨୯ ତାରିଖରେ ତୋଫାନ ନାୟକଙ୍କର ମୃତ୍ୟୁ ହୋଇଥିଲା । ମୃତ ତୋଫାନଙ୍କ ପତ୍ନୀଙ୍କ ଅଭିଯୋଗ କ୍ରମେ ବାଣପୁର ଥାନାରେ ମାମଲା ରୁଜୁ ହୋଇଥିଲା । ଘଟଣାରେ ବାଣପୁର ପୋଲିସ ପ୍ରଥମେ ୨ ଜଣଙ୍କୁ ଗିରଫ କରିଥିବା ବେଳେ ବୁଧବାର ଆଉ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ପବିତ୍ର କୁମାର ରାଉତ, ଶରତ କୁମାର ସ୍ୱାଇଁ ଏବଂ କୃଷ୍ଣଚନ୍ଦ୍ର ପ୍ରଧାନ ।