ତାସକେଣ୍ଟ: ବିମାନ ବନ୍ଦରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ୱାଗତ କଲେ ଉଜବେକିସ୍ତାନର ରାଷ୍ଟ୍ରପତି ଶାଭକାତ ମିର୍ଜିୟୋଏଭ୍। କେବଳ ଯେ ସ୍ୱାଗତ କଲେ ତାହା ନୁହେଁ, ବଂର ଦୁଇ ନେତା ଗୋଟିଏ ଗାଡ଼ିରେ ଗଲେ। ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲିଟିଛି। ତେବେ ଉଜବେକିସ୍ତାନ ରାଷ୍ଟ୍ରପତିଙ୍କର ଏଭଳି ଭବ୍ୟ ସ୍ୱାଗତ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ମଧ୍ୟ ଏସୀୟ ଦେଶ ସହିତ ଭାରତର ରଣନୈତିକ ସହଭାଗୀତାକୁ ଆହୁରି ମଜବୁତ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଉଜବେକିସ୍ତାନର ତାସକେଣ୍ଟରେ ଏକ ସରକାରୀ ଗସ୍ତରେ ପହଞ୍ଚିଛନ୍ତି। ଉଜବେକିସ୍ତାନରେ ଏହା ତାଙ୍କର ଚତୁର୍ଥ ଗସ୍ତ ବୋଲି ମୋଦୀ କହିଛନ୍ତି। ଏହି ଗସ୍ତ ଦୁଇ ଦେଶର ଦ୍ୱିପାକ୍ଷିକ ସମ୍ପର୍କର ଗଭୀରତା ଏବଂ ଏଥିରେ ବଢ଼ୁଥିବା ଗତିକୁ ପ୍ରତିଫଳିତ କରୁଛି ବୋଲି ସେ କହିଛନ୍ତି। ରାଷ୍ଟ୍ରପତି ମିର୍ଜିୟୋଏଭଙ୍କ ଦ୍ୱାରା ଦିଆଯାଇଥିବା ସ୍ୱତନ୍ତ୍ର ସ୍ୱାଗତ ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ମିର୍ଜିୟୋଏଭଙ୍କ ସହ ଆଲୋଚନା

ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଉଜବେକିସ୍ତାନ ରାଷ୍ଟ୍ରପତି ଶାଭକାତ୍ ମିର୍ଜିୟୋଏଭଙ୍କ ସହ ପ୍ରତିନିଧିସ୍ତରୀୟ ଆଲୋଚନା କରିବେ। ଦୁଇ ନେତା ଭାରତ-ଉଜବେକିସ୍ତାନ ସହଯୋଗର ବିଭିନ୍ନ ଦିଗର ସମୀକ୍ଷା କରିବେ। ବିଶେଷ କରି ବାଣିଜ୍ୟ ଓ ନିବେଶ, ପ୍ରତିରକ୍ଷା, ଡିଜିଟାଲ୍‌ କଲେକ୍ସନ, ଶକ୍ତି, ଶିକ୍ଷା ଏବଂ ଲୋକଙ୍କ ମଧ୍ୟରେ ସମ୍ପର୍କ ଭଳି ପ୍ରମୁଖ କ୍ଷେତ୍ରରେ ସହଯୋଗ ନେଇ ଆଲୋଚନା ହେବ। ଭବିଷ୍ୟତରେ ଦୁଇ ଦେଶ ମଧ୍ୟରେ ସହଯୋଗକୁ ଆହୁରି ବଢ଼ାଇବା ନେଇ ମଧ୍ୟ ଏକ ରୋଡମ୍ୟାପ୍‌ ପ୍ରସ୍ତୁତ ହେବାର ଆଶା ରହିଛି। ମୋଦୀ ‘ଏକ୍ସ’ରେ ଏକ ପୋଷ୍ଟ କରି କହିଛନ୍ତି ଯେ ତାସକେଣ୍ଟରେ ତାଙ୍କୁ ରାଷ୍ଟ୍ରପତି ମିର୍ଜିୟୋଏଭଙ୍କ ଦ୍ୱାରା ଭବ୍ୟ ସ୍ୱାଗତ କରାଯାଇଛି। ଏହି ସ୍ୱତନ୍ତ୍ର ସ୍ୱାଗତ ପାଇଁ ସେ ମିର୍ଜିୟୋଏଭଙ୍କୁ କୃତଜ୍ଞତା ଜଣାଇଛନ୍ତି।

ଦୁଇ ଦେଶ ଗସ୍ତରେ ମୋଦୀ

ଶନିବାର ନୂଆଦିଲ୍ଲୀରୁ ମୋଦୀ ଦୁଇ ଦେଶ ଗସ୍ତରେ ବାହାରିଥିଲେ। ପ୍ରଥମେ ସେ ଉଜବେକିସ୍ତାନ ଯାଇଛନ୍ତି। ଏହାପରେ ସେ କିର୍ଗିଜ୍‌ ରିପବ୍ଲିକ୍‌ର ରାଜଧାନୀ ବିଶକେକ୍‌ ଯାଇ ଶାଂଘାଇ ସହଯୋଗ ସଂଗଠନ (SCO) ସମ୍ମିଳନୀରେ ଯୋଗଦେବେ। ଅଗଷ୍ଟ ୨୯ରୁ ୩୦ ପର୍ଯ୍ୟନ୍ତ ମୋଦୀ ଉଜବେକିସ୍ତାନରେ ରହିବେ। ଏହାପରେ ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ବିଶକେକ୍‌ରେ ହେବାକୁ ଥିବା ୨୬ତମ SCO ସମ୍ମିଳନୀରେ ଯୋଗଦେବେ। ଏଥରର SCO ସମ୍ମିଳନୀ ସଂଗଠନର ୨୫ ବର୍ଷ ପୂର୍ତ୍ତି ପରିପ୍ରେକ୍ଷୀରେ ମଧ୍ୟ ଗୁରୁତ୍ୱ ବହନ କରୁଛି।

ସମ୍ମିଳନୀ ଅବସରରେ ମୋଦୀ କିର୍ଗିଜ୍‌ ରାଷ୍ଟ୍ରପତି ଜାପାରୋଭଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ଏଥିସହ ଅନ୍ୟ SCO ସଦସ୍ୟ ଦେଶର ନେତାମାନଙ୍କ ସହ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ମୋଦୀ ଏସସିଓ ସମ୍ମିଳନୀକୁ ସମ୍ବୋଧିତ କରି ଭାରତର ପ୍ରାଥମିକତା ସୁରକ୍ଷା, ସଂଯୋଗ ଓ ସୁଯୋଗ ବିଷୟରେ ନିଜ ମତ ରଖିବେ। ସମ୍ମିଳନୀ ଅବସରରେ ସେ ଏକାଧିକ ଏସସିଓ ନେତାଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବାର ମଧ୍ୟ ସମ୍ଭାବନା ରହିଛି। ଏହା ସହିତ ମୋଦୀ ଷଷ୍ଠ ୱାର୍ଲ୍ଡ ନୋମାଡ୍‌ ଗେମ୍ସର ଉଦ୍‌ଘାଟନୀ ସମାରୋହରେ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

SCO ରେ ଭାରତର ପ୍ରାଥମିକତା ‘ସୁରକ୍ଷା, ସଂଯୋଗ ଓ ସୁଯୋଗ’

ଗସ୍ତ ପୂର୍ବରୁ ନିଜ ବିଦାୟ ବାର୍ତ୍ତାରେ ମୋଦୀ କହିଥିଲେ ଯେ ଏସସିଓରେ ଭାରତ ‘ସୁରକ୍ଷା, ସଂଯୋଗ ଓ ସୁଯୋଗ’ ଉପରେ ଆଧାରିତ ନିଜ ଦୃଷ୍ଟିକୋଣକୁ ଆଗକୁ ବଢ଼ାଇବ। ସେ କହିଛନ୍ତି ଯେ ୨୦୧୭ରୁ ଭାରତ ଏସସିଓର ଜଣେ ସକ୍ରିୟ ଏବଂ ଗଠନମୂଳକ ସଦସ୍ୟ ଭାବେ କାର୍ଯ୍ୟ କରିଆସୁଛି। ଆଞ୍ଚଳିକ ସୁରକ୍ଷା ଓ ସହଯୋଗକୁ ଆହୁରି ମଜବୁତ କରିବା ସହ ଆତଙ୍କବାଦ, ବିଚ୍ଛିନ୍ନତାବାଦ ଏବଂ ଉଗ୍ରବାଦରୁ ମୁକ୍ତ ଏକ ଅଞ୍ଚଳ ପାଇଁ ଭାରତ ଅନ୍ୟ ସଦସ୍ୟ ଦେଶଗୁଡ଼ିକ ସହ କାମ କରିବ।

‘ବିକଶିତ ଭାରତ’ ଓ ‘ୟାଙ୍ଗି ଉଜବେକିସ୍ତାନ’ ଉପରେ ଫୋକସ୍‌

ଉଜବେକିସ୍ତାନ ଗସ୍ତ ସମ୍ପର୍କରେ ମୋଦୀ କହିଛନ୍ତି ଯେ ରାଷ୍ଟ୍ରପତି ମିର୍ଜିୟୋଏଭଙ୍କ ନିମନ୍ତ୍ରଣରେ ହେଉଥିବା ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ଗଭୀର କରିବାର ସୁଯୋଗ ଦେବ। ଏଥିସହ ଭାରତର ‘ବିକଶିତ ଭାରତ’ ଏବଂ ଉଜବେକିସ୍ତାନର ‘ୟାଙ୍ଗି ଉଜବେକିସ୍ତାନ’ ଭଳି ସାମୂହିକ ଭିଜନ୍‌କୁ ଆଗକୁ ବଢ଼ାଇବା ନେଇ ମଧ୍ୟ ଦୁଇ ଦେଶ ମଧ୍ୟରେ ଆଲୋଚନା ହେବ।

ଶାସ୍ତ୍ରୀ ସ୍ମାରକ ଓ ମହାତ୍ମା ଗାନ୍ଧୀ କେନ୍ଦ୍ର ଯିବେ ମୋଦୀ

ତାସକେଣ୍ଟରେ ରହଣି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଲାଲ ବାହାଦୁର ଶାସ୍ତ୍ରୀ ସ୍ମାରକ ପରିଦର୍ଶନ କରିବେ। ଏଥିସହ ତାସକେଣ୍ଟ ଷ୍ଟେଟ୍‌ ୟୁନିଭର୍ସିଟି ଅଫ୍‌ ଓରିଏଣ୍ଟାଲ୍‌ ଷ୍ଟଡିଜ୍‌ରେ ଥିବା ମହାତ୍ମା ଗାନ୍ଧୀ କେନ୍ଦ୍ର ମଧ୍ୟ ପରିଦର୍ଶନ କରିବେ। ଏହି କାର୍ଯ୍ୟକ୍ରମ ଦୁଇ ଦେଶର ଐତିହାସିକ, ସାଂସ୍କୃତିକ ଏବଂ ଲୋକ-ଲୋକ ସମ୍ପର୍କର ଗୁରୁତ୍ୱକୁ ଉଜାଗର କରିବ।