ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଦେଶ ଗସ୍ତ ବାବଦରେ ଚଳିତ ବର୍ଷ ଜୁଲାଇ ମାସ ପର୍ଯ୍ୟନ୍ତ ପ୍ରାୟ ୭୫ କୋଟି ଟଙ୍କା (୭୪,୫୮,୯୩,୭୯୭ ଟଙ୍କା) ଖର୍ଚ୍ଚ ହୋଇଛି। ସେହିପରି ୨୦୨୧ ମସିହାରୁ ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତ ପାଇଁ ମୋଟ ୫୫୭.୫୧ କୋଟି ଟଙ୍କା ବ୍ୟୟ କରାଯାଇଛି। ଗୁରୁବାର ରାଜ୍ୟସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏହି ତଥ୍ୟ ପ୍ରଦାନ କରାଯାଇଛି।

ଆମ୍ ଆଦ୍‌ମୀ ପାର୍ଟି (AAP) ସାଂସଦ ସଞ୍ଜୟ ସିଂହ ଏବଂ ସିପିଆଇ ସାଂସଦ ଭି. ସିବଦାସନଙ୍କ ଦ୍ୱାରା ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଏହି ବିବରଣୀ ଉପସ୍ଥାପନ କରିଛନ୍ତି। ଜୁଲାଇ ମାସ ସୁଦ୍ଧା ପ୍ରଧାନମନ୍ତ୍ରୀ ମୋଟ ୧୩ଟି ଦେଶ ଗସ୍ତ କରିଛନ୍ତି। ସେଗୁଡ଼ିକ ହେଲା— ମାଲେସିଆ, ଇସ୍ରାଏଲ୍, ୟୁଏଇ, ନେଦରଲ୍ୟାଣ୍ଡ, ସ୍ୱିଡେନ, ନରୱେ, ଇଟାଲୀ, ଫ୍ରାନ୍ସ, ସ୍ଲୋଭାକିଆ, ସେସେଲ୍ସ, ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ।

ମେ’ ମାସରେ ହୋଇଥିବା ନରୱେ ଗସ୍ତରେ ସର୍ବାଧିକ ₹୧୭,୪୬,୫୦,୩୯୦ ବ୍ୟୟ ହୋଇଥିବା ବେଳେ ଫେବୃଆରୀ ମାସର ଇସ୍ରାଏଲ ଗସ୍ତ ପାଇଁ ₹୧୧,୯୨,୨୫,୯୩୮ ଖର୍ଚ୍ଚ ହୋଇଛି। ଗତବର୍ଷ ଫେବୃଆରୀ ମାସରେ ପ୍ରଧାନମନ୍ତ୍ରୀଙ୍କ ଫ୍ରାନ୍ସ ଗସ୍ତ ପାଇଁ ସର୍ବାଧିକ ₹୨୫,୫୯,୮୨,୯୦୨ ବ୍ୟୟ ହୋଇଥିଲା।

ତୁଳନାତ୍ମକ ସୂଚନା ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପୂର୍ବତନ କଂଗ୍ରେସ ନେତୃତ୍ୱାଧୀନ ସରକାର ସମୟରେ ହୋଇଥିବା କେତେକ ଗସ୍ତର ଖର୍ଚ୍ଚ ମଧ୍ୟ ଦର୍ଶାଇଛି । 
ଗସ୍ତ କରାଯାଇଥିବା ଦେଶ (ବର୍ଷ)    ମୋଟ ବ୍ୟୟ (ଟଙ୍କାରେ)
ଆମେରିକା (୨୦୧୧)            ₹୧୦,୭୪,୨୭,୩୬୩
ରୁଷ (୨୦୧୩)                    ₹୯,୯୫,୭୬,୮୯୦
ଫ୍ରାନ୍ସ (୨୦୧୧)                  ₹୮,୩୩,୪୯,୪୬୩
ଜର୍ମାନୀ (୨୦୧୩)                  ₹୬,୦୨,୨୩,୪୮୪

ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତର କାର୍ଯ୍ୟସୂଚୀରେ ମୁଖ୍ୟତଃ ଦ୍ୱିପାକ୍ଷିକ ବୈଠକ, ଭାରତୀୟ ପ୍ରବାସୀମାନଙ୍କ ସହ ସାକ୍ଷାତକାର, ଅନ୍ତର୍ଜାତୀୟ ଶିଖର ସମ୍ମିଳନୀରେ ଅଂଶଗ୍ରହଣ, ସ୍ମାରକୀ ପରିଦର୍ଶନ ଏବଂ ରାଜକୀୟ ନିମନ୍ତ୍ରଣ ରହିଥାଏ। ପ୍ରଧାନମନ୍ତ୍ରୀ ଭାରତୀୟ ବାୟୁସେନା ଦ୍ୱାରା ପରିଚାଳିତ ବିଶେଷ ବିମାନ ‘ଏୟାର ଇଣ୍ଡିଆ ୱାନ୍’ (ବୋଇଂ ୭୭୭-୩୦୦ଇଆର୍) ଯୋଗେ ଯାତ୍ରା କରନ୍ତି। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO), ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଏବଂ ଏସପିଜି (SPG) ସୁରକ୍ଷା ବାହିନୀ ତାଙ୍କ ସହ ଯାତ୍ରା କରିଥାନ୍ତି।