ସମ୍ବଲପୁର ୨୯।୩: ସମ୍ବଲପୁରର ସୁଜାତା ଭୂୟାଁ । ସେ ଜଣେ ସଫଳ ମହିଳା ଉଦ୍ୟୋଗୀ । ଯିଏ ହୀରାକୁଦ ଜଳଭଣ୍ଡାରରେ କେଜ୍ କଲ୍‌ଚର ମାଧ୍ୟମରେ ମାଛ ଚାଷ କରି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି । ତାଙ୍କର ଏହି କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 'ମନ୍ କି ବାତ୍' କାର୍ଯ୍ୟକ୍ରମରେ ପ୍ରଶଂସା କରିଛନ୍ତି । ସେହିପରି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଗୋପପୁର ଗାଁର ଓମ୍ ପ୍ରକାଶ ରଥଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀଙ୍କ 'ମନ୍ କି ବାତ୍‌'ରେ ସମ୍ବଲପୁରର ସଫଳ ମହିଳା ମତ୍ସ୍ୟଚାଷୀ । ହାଣ୍ଡିଶାଳରୁ ଦୁନିଆ ଜିତିବାର ସ୍ବପ୍ନକୁ ଏବେ ସାକାର କରିଛନ୍ତି । ସମ୍ବଲପୁର ମୋଦିପଡ଼ା ଏଲ୍‌ଆଇସି କଲୋନୀର ସିକନ୍ଦର ଭୂୟାଁଙ୍କ ସ୍ତ୍ରୀ ସୁଜାତା ଭୂୟାଁ ଜଣେ ଗୃହିଣୀ । ସେ ହୀରାକୁଦର ନୀଳ ଜଳରାଶିରେ ମାଛ ଚାଷ କରି ସଫଳ ହୋଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ହୀରାକୁଦ ଜଳଭଣ୍ଡାରରେ କେଜ୍ କଲ୍‌ଚର ମାଧ୍ୟମରେ ମାଛ ଚାଷ କରିଥିବା ବେଳେ ସେ ୧୫ଜଣଙ୍କୁ ରୋଜଗାର ମଧ୍ୟ ଦେଇଛନ୍ତି । ୩ଟି କେଜ୍ ବା ଯନ୍ତାରେ ସେ ୫୪ଲକ୍ଷ ଟଙ୍କା ନିବେଶ କରିବା ସହ ବର୍ଷକୁ ଗୋଟିଏ ଯନ୍ତାରୁ ୨୫ ଟନ୍ ମାଛ ଉତ୍ପାଦନ କରିପାରୁଛନ୍ତି । ତାଙ୍କ ଯନ୍ତାରୁ ଉତ୍ପାଦିତ ହେଉଥିବା ମାଛ ସବୁ ରାୟପୁର, ବିଜୟଓ୍ବାଡା ଓ କଲିକତା ସମେତ ବିଭିନ୍ନ ରାଜ୍ୟକୁ ରପ୍ତାନୀ ହେଉଛି ।

Also Read:- Bear Attack: ଶୌଚ ହେବାକୁ ଯାଇଥିଲେ, ଭାଲୁ ହାବୁଡ଼ରେ ପଡ଼ି ୩ ଗୁରୁତର

ସେହିଭଳି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଗୋପପୁର ଗାଁର ଯୁକ୍ତ ୩ ପ୍ରଥମ ବର୍ଷ କଳା ଛାତ୍ର ଓମ୍ ପ୍ରକାଶ ରଥଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ତାଙ୍କ 'ମନ୍‌ କି ବାତ୍' କାର୍ଯ୍ୟକ୍ରମରେ ପ୍ରଶଂସା କରିଛନ୍ତି । ଏହି ଛାତ୍ର ଜଣକ ମହିଳା ସଶକ୍ତିକରଣ ଏବଂ ଛାତ୍ରୀ ମାନଙ୍କ ଆଓ୍ବାରନେସ୍‌ ନେଇ କାମ କରୁଥିବାରୁ ପ୍ରଧାନମନ୍ତ୍ରୀଙ୍କ ନଜରକୁ ଆସିଥିଲେ । ମହିଳାଙ୍କ ଉନ୍ନତିକରଣ ପାଇଁ ପ୍ରୋତ୍ସାହନ ବିଷୟରେ ସର୍ବ ଭାରତୀୟ ସ୍ତରର ପ୍ରତିଯୋଗିତାରେ ଓମ୍ ଦେଇଥିବା ମତାମତ ପ୍ରଶଂସିତ ହୋଇପାରିଥିଲା । ସେଥିପାଇଁ ପ୍ରଧାନମନ୍ତ୍ରୀ ତାଙ୍କୁ 'ମନ୍‌ କି ବାତ୍' କାର୍ଯ୍ୟକ୍ରମରେ ପ୍ରଶଂସା କରିଛନ୍ତି । ଓମ୍‌ଙ୍କ ପୈତୃକ ଗାଁ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ୍ ଗୋପପୁର ଗାଁରେ । ସେ କେନ୍ଦ୍ରାପଡ଼ାର ହୃଦାନନ୍ଦ ସ୍ମାରକୀ ମହାବିଦ୍ୟାଳୟ ଚାନ୍ଦୋଳରେ ପଢ଼ନ୍ତି । ପ୍ରଧାନମନ୍ତ୍ରୀଙ୍କ 'ମନ୍‌ କି ବାତ୍‌' କାର୍ଯ୍ୟକ୍ରମରେ ସ୍ଥାନ ପାଇଥିବାରୁ ଏଥିପାଇଁ ତାଙ୍କ ନିକଟକୁ ସବୁ ମହଲରୁ ପ୍ରଶଂସାର ସୂଅ ଛୁଟୁଛି ।