ନୂଆଦିଲ୍ଲୀ: ଶେଖ ହାସିନା ବାଂଲାଦେଶ ଫେରିବା ପୂର୍ବରୁ ପୁଣିଥରେ ହିଂସା ଆରମ୍ଭ ହୋଇଛି। ହାସିନାଙ୍କ ଦଳ ଆୱାମୀ ଲିଗର ସମର୍ଥକମାନେ ବାଂଲାଦେଶର ପୂର୍ବତନ ଅନ୍ତରୀଣ ସରକାର ମୁଖ୍ୟ ପରାମର୍ଶଦାତା ଥିବା ମହମ୍ମଦ ୟୁନୁସଙ୍କ ଘର ଜାଳି ଦେଇଛନ୍ତି। ଗତକାଲି ରାତି ପ୍ରାୟ ୧୧.୩୦ ମିନିଟ ସମୟରେ ଆନ୍ଦୋଳନକାରୀମାନେ ଚଟ୍ଟୋଗ୍ରାମ ସ୍ଥିତ ୟୁନୁସଙ୍କ ପୈତୃକ ଘରକୁ ନିଆଁ ଲଗାଇ ଜାଳି ଦେଇଥିବା ଖବର ପ୍ରକାଶ ପାଇଛି।

ୟୁନୁସ ସରକାର ଥିବା ବେଳେ ହାସିନାଙ୍କ ଦଳ ଆୱାମୀ ଲିଗକୁ ବ୍ୟାନ କରାଯାଇଥିଲା। ଏହାକୁ ବିରୋଧ କରି ହାସିନାଙ୍କ ସମର୍ଥକମାନେ ଏଭଳି ତୁମୁଳକାଣ୍ଡ ଘଟାଇଛନ୍ତି। ସେପଟେ ବର୍ତ୍ତମାନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଥିବା ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି(ବିଏନପି) ମୁଖ୍ୟ ତାରିକ ରହମାନ ଏହି ହିଂସାକୁ ନିନ୍ଦା କରିଛନ୍ତି। ଏବଂ ରାଜନୈତିକ ଦିଗରେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ସେ ଦଳୀୟ କର୍ମୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ବାଂଲାଦେଶର ଖବରକଗାଜ ‘ପ୍ରଥମ ଆଲୋ’ର ରିପୋର୍ଟ ଅନୁସାରେ, ଚଟ୍ଟୋଗ୍ରାମର ପଞ୍ଚଲାଇଶ୍ ଅଞ୍ଚଳରେ ଥିବା ୟୁନୁସଙ୍କ ଘରର ତଳ ମହଲାର ପରିତ୍ୟକ୍ତ ଘରେ ନିଆଁ ଲଗାଇ ଦିଆଯାଇଥିଲା। ରାତି ପ୍ରାୟ ସାଢ଼େ ୧୧ଟା ସମୟରେ କିଛି ଅଜ୍ଞାତ ବ୍ୟକ୍ତି ନିଆଁ ଲଗାଇ ଦେଇଥିଲେ। ଫଳରେ ସେହି ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ପୋଲିସ କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

Also Read- ଆର୍ଥିକ ବର୍ଷ ୨୦୨୭ରେ ସୁନା ଆମଦାନୀ ୪୦ ବିଲିଅନ ଡଲାରକୁ ହ୍ରାସ ହେବ ! ଟ୍ୟାକ୍ସ ଯୋଗୁ ବିଦେଶରୁ ସୁନା କିଣା କମିଲା

ପଞ୍ଚଲାଇଶ୍ ଥାନା ଅଧିକାରୀ ମୋଜାମ୍ମେଲ ହକ୍ ମିଡିଆକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ନିମ୍ନ ମହଲାରେ କେହି ରହୁ ନଥିଲେ। ୟୁନୁସଙ୍କ ଦୁଇ ଭାଇ ସେହି ବିଲ୍ଡିଂର ଦ୍ୱିତୀୟ ଓ ତୃତୀୟ ମହଲାରେ ପରିବାର ସହ ରହୁଥିଲେ। ତେବେ ଘଟଣାରେ ସମସ୍ତେ ସୁରକ୍ଷିତ ଅଛନ୍ତି। କାହାର କୌଣସି ସମସ୍ୟା ହୋଇ ନାହିଁ ବୋଲି ସେ କହିଛନ୍ତି। ଏଥିସହିତ ଘଟଣାରେ ପୁଲିସ ତଦନ୍ତ ଜାରି ରହିଛି। ଯେଉଁମାନେ ଏଥିରେ ଅଭିଯୁକ୍ତ ସାବ୍ୟସ୍ତ ହେବେ ସେମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡେଲିଷ୍ଟାର ରିପୋର୍ଟ କରିଛି।