ନୂଆଦିଲ୍ଲୀ: ଟି-୨୦ ଓ ଦିନିକିଆ ସିରିଜ୍ ପରେ ଏବେ ଟେଷ୍ଟ ମୁକାବିଲା। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ନଭେମ୍ବର ୧୯ ତାରିଖ, ଗୁରୁବାରଠାରୁ ଆରମ୍ଭ ହେବ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ର ପ୍ରଥମ ମ୍ୟାଚ୍। ନ୍ୟୁଜିଲାଣ୍ଡର ୱେଲିଂଟନ୍ ସ୍ଥିତ ବେସିନ୍ ରିଜର୍ଭ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ। ତେବେ ନ୍ୟୁଜିଲାଣ୍ଡରେ ମ୍ୟାଚ୍ ହେଉଥିବାରୁ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କୁ ଖେଳ ଦେଖିବା ପାଇଁ ଭୋର ସକାଳୁ ଉଠିବାକୁ ପଡ଼ିବ। ଟିକିଏ ଡେରିରେ ଉଠିଲେ ଗୋଟିଏ କିମ୍ବା ଦୁଇଟି ସେସନ୍ ନୁହେଁ, ପୂରା ଦିନର ଖେଳ ମିସ୍ ହୋଇପାରେ।

ନ୍ୟୁଜିଲାଣ୍ଡର ସମୟ ଭାରତଠାରୁ ୭ ଘଣ୍ଟା ୩୦ ମିନିଟ୍ ଆଗୁଆ। ସେଠାକାର ସ୍ଥାନୀୟ ସମୟ ଅନୁସାରେ ପ୍ରତିଦିନ ସକାଳ ୧୧ଟାରୁ ଖେଳ ଆରମ୍ଭ ହେବ। ଭାରତୀୟ ସମୟ ଅନୁସାରେ ଏହା ସକାଳ ୩ଟା ୩୦ ମିନିଟରେ ଆରମ୍ଭ ହେବ। ତେଣୁ ଟସ୍ ଠାରୁ ମ୍ୟାଚର ଆରମ୍ଭ ଦେଖିବାକୁ ଚାହୁଁଥିଲେ ଦର୍ଶକଙ୍କୁ ଭୋର୍ ପ୍ରାୟ ୩ଟାରୁ ଉଠିବାକୁ ହେବ।

ଭାରତୀୟ ସମୟ ଅନୁସାରେ ପ୍ରଥମ ସେସନ୍ ସକାଳ ୩ଟା ୩୦ରୁ ୫ଟା ୩୦ ପର୍ଯ୍ୟନ୍ତ ଚାଲିବ। ଏହାପରେ ୪୦ ମିନିଟର ଲଞ୍ଚ୍ ବ୍ରେକ୍ ରହିବ। ଦ୍ୱିତୀୟ ସେସନ୍ ସକାଳ ୬ଟା ୧୦ରୁ ୮ଟା ୧୦ ପର୍ଯ୍ୟନ୍ତ ଖେଳାଯିବ। ଏହାପରେ ୨୦ ମିନିଟର ଟି ବ୍ରେକ୍ ରହିବ। ଶେଷ ସେସନ୍ ସକାଳ ୮ଟା ୩୦ରୁ ଆରମ୍ଭ ହୋଇ ୧୦ଟା ୩୦ ପର୍ଯ୍ୟନ୍ତ ଚାଲିବ।

Also Read: IPL ମିନି ନିଲାମି ପୂର୍ବରୁ କେଉଁ ଦଳର ଖାତାରେ କେତେ ଟଙ୍କା ? କିଏ ରହିଲେ ଏବଂ କିଏ ପଡିଲେ ବାଦ୍ ?

ଅର୍ଥାତ୍ ଭାରତୀୟ ସମୟ ଅନୁସାରେ ସକାଳ ୩ଟା ୩୦ରୁ ଆରମ୍ଭ ହେଉଥିବା ଦୈନିକ ଖେଳ ସକାଳ ପ୍ରାୟ ୧୦ଟା ୩୦ ସୁଦ୍ଧା ଶେଷ ହେବ। ଯେଉଁ ଦର୍ଶକ ସକାଳ ୧୦ଟା ପାଖାପାଖି ଉଠନ୍ତି, ସେମାନେ ପୂରା ଦିନର ଖେଳ ହରାଇବାର ସମ୍ଭାବନା ରହିଛି। ତେଣୁ ମ୍ୟାଚ ପ୍ରତ୍ୟେକ ରୋମାଞ୍ଚକର ମୁହୂର୍ତ୍ତ ଦେଖିବାକୁ ହେଲେ କ୍ରିକେଟ୍ ପ୍ରେମୀଙ୍କୁ ନିଦ ସହ ସାଲିସ୍ କରିବାକୁ ପଡ଼ିବ।

ଏହା ପୂର୍ବରୁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ଦିନିକିଆ ମ୍ୟାଚ୍ଗୁଡ଼ିକ ସକାଳ ୭ଟା ୩୦ରୁ ଆରମ୍ଭ ହେଉଥିଲା। କିନ୍ତୁ ଟେଷ୍ଟ ମ୍ୟାଚ୍ର ସମୟ ଭାରତୀୟ ଦର୍ଶକଙ୍କ ପାଇଁ ଆହୁରି ଚ୍ୟାଲେଞ୍ଜିଂ ହେବାକୁ ଯାଉଛି। ଏବେ ଦେଖିବାକୁ ରହିଲା, ଏହି ସିରିଜ୍ରେ ଭାରତୀୟ ଦଳ କିପରି ପ୍ରଦର୍ଶନ କରୁଛି ଏବଂ ପ୍ରଶଂସକଙ୍କୁ କେତେ ରୋମାଞ୍ଚ ଦେଉଛି।