ନୂଆଦିଲ୍ଲୀ: ହିଜବୁଲ୍ଲା ସହିତ ଶାନ୍ତି ଚୁକ୍ତିକୁ ୨୪ ଘଣ୍ଟା ମଧ୍ୟ ବିତିନାହିଁ,ଏହା ମଧ୍ୟରେ ଇସ୍ରାଏଲ୍ ପୁଣି ଥରେ ଲେବାନନର ବିଭିନ୍ନ ଅଞ୍ଚଳରେ ଏୟାରଷ୍ଟ୍ରାଇକ୍ କରିଛି। ଏହି ଆକ୍ରମଣରେ ଦୁଇ ଶିଶୁଙ୍କ ସମେତ ୭ ଜଣ ପ୍ରାଣ ହରାଇଛନ୍ତି । ଇସ୍ରାଏଲର ଏହି ଜିଦ୍ ଏବଂ ଆକ୍ରମଣାତ୍ମକ ମନୋଭାବ ଯୋଗୁଁ ଆମେରିକା ଓ ଇରାନ ମଧ୍ୟରେ ହେବାକୁ ଥିବା ସ୍ଥାୟୀ ଶାନ୍ତି ଚୁକ୍ତିକୁ ନେଇ ଆଶଙ୍କା ବୃଦ୍ଧି ପାଇଛି ।

ଲେବାନନର ଜାତୀୟ ଗଣମାଧ୍ୟମ ଅନୁଯାୟୀ,ଇସ୍ରାଏଲ୍ ସେନାର ଏହି ଆକ୍ରମଣରେ ଦକ୍ଷିଣଲେବାନନର ସହର ନବାତିହ (Nabatieh)ଏବଂ ଏହାର ଆଖପାଖ ଗାଁଗୁଡ଼ିକ ବ୍ୟାପକ ଭାବେ ପ୍ରଭାବିତ ହୋଇଛି । ବୋମା ବିସ୍ଫୋରଣ ଯୋଗୁଁ ଭୁଶୁଡ଼ି ପଡ଼ିଥିବା କୋଠାବାଡ଼ିର ଆବର୍ଜନା ତଳୁ ୭ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଶାନ୍ତି ପ୍ରତିଷ୍ଠା ପାଇଁ ଆଲୋଚନା ଚାଲିଥିବା ବେଳେ ଇସ୍ରାଏଲର ଏଭଳି କାର୍ଯ୍ୟାନୁଷ୍ଠାନକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଆଶଙ୍କା ପ୍ରକାଶ ପାଇଛି।

ଚୁକ୍ତି ସତ୍ତ୍ୱେ ରକେଟ୍ ମାଡ଼

ଶୁକ୍ରବାର ଦିନ ଲେବାନନରେ ହୋଇଥିବା ଜୋରଦାର ଆକ୍ରମଣରେ ପ୍ରାୟ ୪୭ ଜଣ ସାଧାରଣ ନାଗରିକ ଏବଂ ୪ ଜଣ ଇସ୍ରାଏଲ ସୈନିକ ପ୍ରାଣ ହରାଇଥିଲେ। ଏହା ପରେ ମଧ୍ୟସ୍ଥିମାନେ ଉଭୟ ପକ୍ଷ ମଧ୍ୟରେ ଲଢ଼େଇ ରୋକିବାକୁ ଚେଷ୍ଟା କରିଥିଲେ।ଇସ୍ରାଏଲ ସେନାର ସୂଚନା ଅନୁସାରେ,ହିଜବୁଲ୍ଲା ପକ୍ଷରୁ ଇସ୍ରାଏଲ ସେନାକୁ ଟାର୍ଗେଟ୍ କରି ୫୦ରୁ ଅଧିକ ରକେଟ୍ ଓ ପ୍ରୋଜେକ୍ଟାଇଲ୍ ମାଡ଼ କରାଯାଇଥିଲା। ୱାଶିଂଟନରେ ଅବସ୍ଥାପିତ ଇସ୍ରାଏଲର ରାଷ୍ଟ୍ରଦୂତ ୟେଚିଏଲ୍ ଲିଟର୍'X' (ଟ୍ୱିଟର) ରେ ପ୍ରକାଶ କରିଛନ୍ତି ଯେ,ଯଦି ହିଜବୁଲ୍ଲା ଆକ୍ରମଣ ବନ୍ଦ କରେ ଏବଂ ସର୍ତ୍ତ ମାନେ,ତେବେ ଇସ୍ରାଏଲ୍ "ତୁରନ୍ତ ସିଜ୍ଫାୟାର୍" ପାଇଁ ପ୍ରସ୍ତୁତ ।

ହିଜବୁଲ୍ଲାର ପ୍ରତିକ୍ରିୟା

ହିଜବୁଲ୍ଲା ସଂଗଠନ ପକ୍ଷରୁ କୁହାଯାଇଛି ଯେ,ଯଦି ଇସ୍ରାଏଲ୍ ଯୁଦ୍ଧବିରତି ନିୟମ ପାଳନ କରିବ,ତେବେ ସେମାନେ ମଧ୍ୟ ଆକ୍ରମଣରୁ ବିରତ ରହିବେ। କିନ୍ତୁ ବାସ୍ତବରେ କୌଣସି ସିଜ୍ଫାୟାର୍ ଲାଗୁ ହୋଇଛି କି ନାହିଁ,ସେ ନେଇ ସେମାନେ ସ୍ପଷ୍ଟ କରିନାହାନ୍ତି।ଅନ୍ୟପକ୍ଷରେ କତାର,ଆମେରିକା (US)ଏବଂ ଇରାନ ମିଳିତ ଭାବରେ ଏହି ଦୁଇ ପକ୍ଷ ମଧ୍ୟରେ ଯୁଦ୍ଧ ରୋକିବା ପାଇଁ ଜୋରଦାର ପ୍ରୟାସ ଚଳାଇଛନ୍ତି ।

ଶୁକ୍ରବାର ଦିନ ଉଭୟ ପକ୍ଷ ମଧ୍ୟରେ ଯୁଦ୍ଧବିରତି ପୁନଃ ଲାଗୁ ହେବା ନେଇ ବଡ଼ ଆଶା ସୃଷ୍ଟି ହୋଇଥିଲା। କିନ୍ତୁ ଦକ୍ଷିଣ ଲେବାନନରେ ହିଂସା ବଢ଼ିବା ଯୋଗୁଁ ସ୍ୱିଜରଲ୍ୟାଣ୍ଡରେ ହେବାକୁ ଥିବା ଆମେରିକା ଏବଂ ଇରାନର ଅଧିକାରୀମାନଙ୍କ ମଧ୍ୟରେ ଆଲୋଚନାକୁ ବାତିଲ କରିବାକୁ ପଡ଼ିଛି।ସୂତ୍ର ଅନୁସାରେ,ଇରାନର ପ୍ରତିନିଧିମାନେ ସ୍ପଷ୍ଟ କରିଛନ୍ତି ଯେ ଲେବାନନରେ ସମ୍ପୂର୍ଣ୍ଣ ଭାବରେ ଲଢ଼େଇ ନଥମିବା ପର୍ଯ୍ୟନ୍ତ ସେମାନେ ଆଲୋଚନା ଟେବୁଲକୁ ଆସିବେ ନାହିଁ। ଏହି କାରଣରୁ ଆମେରିକାର ଉପରାଷ୍ଟ୍ରପତି ଜେଡି ଭେନ୍ସ (JD Vance)ମଧ୍ୟ ନିଜର ଗସ୍ତ ସ୍ଥଗିତ ରଖିଛନ୍ତି। ଇସ୍ରାଏଲର ଏହି ଜିଦ୍ ଯୋଗୁଁ ପଶ୍ଚିମ ଏସିଆରେ ଶାନ୍ତି ଫେରିବା ପ୍ରକ୍ରିୟା ପୁଣି ଥରେ ଅନିଶ୍ଚିତତା ଆଡ଼କୁଠେଲି ହୋଇଯାଇଛି।