ଭୁବନେଶ୍ବର ୧।୨: କେନ୍ଦ୍ରୀୟ ବଜେଟ୍ ଦିଶାହୀନ, ଦୃଷ୍ଟିହୀନ, ନୀତିହୀନ। ଯୁବକ, ଚାଷୀ, ଗରିବ, ମଧ୍ୟବିତ୍ତଙ୍କ ପାଇଁ ବଜେଟ୍‌ରେ କିଛି ନାହିଁ। ନୀତି ସଂପନ୍ନ ବଜେଟ୍ ହେବା କଥା କିନ୍ତୁ ହୋଇନି ବୋଲି   କହିଲେ ପିସିସି ସଭାପତି ଭକ୍ତ ଚରଣ ଦାସ ।

ଗତ ବଜେଟ୍‌ର ଲକ୍ଷେ କୋଟି ଟଙ୍କା ଖର୍ଚ୍ଚ କରିପାରି ନାହାନ୍ତି । ଋଣ ଭାର ୧୯୦ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ଏବେ ପୁଣି ୧୭.୨ ଲକ୍ଷ କୋଟି ଟଙ୍କାର ଋଣ ନେବେ । ୧୨ ବର୍ଷରେ ଏମିତି କ’ଣ କଲେ ଋଣ ଭାର କାହିଁକି ବଢ଼ିଲା ବୋଲି ପ୍ରଶ୍ନ କରିଛି କଂଗ୍ରେସ । ପୁଞ୍ଜିପତିଙ୍କ ପାଇଁ ଏ ବଜେଟ୍ । ସାଧାରଣ ଲୋକଙ୍କ ପାଇଁ ବଜେଟ୍ ନୁହେଁ । ପ୍ରଦେଶ କଂଗ୍ରେସ ଏହାକୁ ସମ୍ପୂର୍ଣ୍ଣ ନିନ୍ଦା କରୁଛି ବୋଲି କହିଛନ୍ତି ପିସିସି ସଭାପତି ଭକ୍ତ ଦାସ।

ଗତ ୧୨ ବର୍ଷ ହେଲା ଯୁବପିଢି ହତାଶ ହେଇଛନ୍ତି। ଏବେ ବି ବଜେଟରେ ଯୁବପିଢିଙ୍କ ପାଇଁ କିଛି ନାହିଁ। ନିଯୁକ୍ତି ପାଇଁ କିଛି ବ୍ୟବସ୍ଥା ହୋଇନି। ରେଲୱେ ଫ୍ରେଟ ଜରିଆରେ ଓଡ଼ିଶା କେନ୍ଦ୍ର ସରକାରଙ୍କୁ ଅନେକ ରାଜସ୍ୱ ଦେଉଛି। ହେଲେ ସେହି ଅନୁସାରେ ଓଡ଼ିଶାକୁ କିଛି ମିଳିନି। ଓଡ଼ିଶାବାସୀ ହତାଶ, ନିରାଶ ଓ ପ୍ରତାରଣା ପାଇଛନ୍ତି। ପୂର୍ବତଟ ଫ୍ରେଟ କରିଡର ଘୋଷଣା କରାଯାଇଛି। କାହା ସ୍ଵାର୍ଥରେ ହୋଇଛି। ୩୪ଟି କୋଇଲା ଖାଦାନ ମାଇନିଂ ଲିଜ୍ ଦିଆଯାଇଛି। ଫ୍ରେଟ କରିଡ଼ରରେ ଜନସାଧାରଣଙ୍କ ସୁବିଧା ହେବନି। ଅଦାନୀ, ଅମ୍ବାନୀଙ୍କର କୋଇଲା, କଞ୍ଚା ମାଲ ଯିବାକୁ ଏ ବ୍ୟବସ୍ଥା ହୋଇଛି ବୋଲି କଂଗ୍ରେସ କହିଛି।

ଓଡ଼ିଶାବାସୀଙ୍କ ପାଇଁ ବଜେଟ୍ ପ୍ରତାରଣା। ଓଡ଼ିଶା ଲୋକଙ୍କୁ ଧୋକା। ସରକାରଙ୍କୁ ଯାହା ଗ୍ରାଣ୍ଟ ଦେବା କଥା ସେଥିରେ ମଧ୍ୟ ପତନ ହୋଇଛି। ମାଗଣା ବିଜୁଳି କଥା କହିଥିଲେ। ଅନ୍ତତଃ ସେନେଇ ବଜେଟରେ ବ୍ୟବସ୍ଥା ରହିବା କଥା। ଯାହା ହୋଇନି ବୋଲି ଭକ୍ତ ଚରଣ ଦାସ କହିଛନ୍ତି ।