ନର୍ଥସାଇପ୍ରସ: ଭୂମଧ୍ୟ ସାଗରର ଉତ୍ତର ସାଇପ୍ରସ ଉପକୂଳରେ ରବିବାର ମଧ୍ୟାହ୍ନରେ ଏକ ଯାତ୍ରୀବାହୀ ଫେରି ବୁଡିଯାଇଛି। ଦୁର୍ଘଟଣାଗ୍ରସ୍ତ ଫେରିରେ ପାଖାପାଖି ୨୭୦ ଜଣ ଯାତ୍ରୀ ଥିଲେ। ଏହି ଦୁର୍ଘଟଣା ଫେରି ପୋର୍ଟରୁ ବାହାରିବାର ମାତ୍ର କିଛି ସମୟ ପରେ ହୋଇଛି। ଅଧିକାରୀଙ୍କ ଅନୁସାରେ ଫେରି ଓଲଟି ପଡିବା ସୂଚନା ମିଳିବାମାତ୍ରେ ବଡ଼ ଧରଣର ଉଦ୍ଧାର ଅଭିଯାନ ହାତକୁ ନିଆଯାଇଛି। ଏହି ଫେରିଟି ଉତ୍ତର ସାଇପ୍ରସର କ୍ୟାରେନିୟା(ଗିରନେ) ପୋର୍ଟରୁ ତୁର୍କିୟେ ମାର୍ସିନ ପ୍ରାନ୍ତର ତାସୁକୁ ପୋର୍ଟକୁ ଯାଉଥିଲା। ଏହି ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮୯ ଜଣ ନିଖୋଜ ଥିବା ପ୍ରାରମ୍ଭିକ ରିପୋର୍ଟରେ କୁହାଯାଇଛି

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଉପକୂଳରୁ ପାଖାପାଖି ୪ ମାଇଲ ଦୂରରେ ଫେରିରେ ପାଣି ପଶିବା ଆରମ୍ଭ କରିଥିଲା। ଏଣୁ ଫେରି ଅନିୟନ୍ତ୍ରିତ ହୋଇ ଓଲଟି ପଡିଥିଲା। ଉତ୍ତରସାଇପ୍ରସ ପରିବହନ ମନ୍ତ୍ରୀ ଏରହାନ ଅରିକଲି କହିଛନ୍ତି ଯେ ଏ ପର୍ଯ୍ୟନ୍ତ ଫେରିରେ ଥିବା ୧୦୦ ଜଣ ଯାତ୍ରୀଙ୍କୁ ଉଦ୍ଧାର କରି ଉପକୂଳକୁ ଅଣାଯାଇଛି। ତେବେ ଫେରିରେ ପାଣି ଭରିବାର ସଠିକ କାରଣ ଜଣାପଡି ନାହିଁ। ଘଟଣାସ୍ଥଳରେ ଆମ୍ବୁଲାନ୍ସ, କୋଷ୍ଟଗାର୍ଡ ଓ ଉଦ୍ଧାରକାରୀ ଦଳଙ୍କୁ ମୁତୟନ କରାଯାଇଛି। ସୋସିଆଲ ମିଡିଆରେ ଆସୁଥିବା ଚିତ୍ରରେ ଅନେକ ଯାତ୍ରୀଙ୍କୁ ଲାଇଫ ଜ୍ୟାକେଟ ପିନ୍ଧି ପାଣିରେ ଭାସୁଥିବାର ଦେଖାଯାଇଛି।

ଅନ୍ୟଏକ ଘଟଣାରେ ଉତ୍ତର ଆଫ୍ରିକୀୟ ଦେଶ ଟ୍ୟୁନିସିୟାର ଦକ୍ଷିଣ ଉପକୂଳରେ ଏକ ପ୍ରବାସୀଙ୍କ ନୌକା ଓଲଟି ପଡିଛି। ଟ୍ୟୁନିସିୟା ନ୍ୟାସନାଲ ଗାର୍ଡ ଅନୁସାରେ ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ନିଖୋଜ ଅଛନ୍ତି। ତେବେ ଜଣକୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଦୁର୍ଘଟଣାଗ୍ରସ୍ତ ନୌକାରେ ଅନୁନ୍ୟ ୧୫ ଜଣ ଯାତ୍ରୀ ଥିଲେ। ସେମାନେ ଜାରାଜିସରୁ ବେନ ଗୁଏରଡେନ ସହରକୁ ଯାଉଥିଲେ।