ନୂଆଦିଲ୍ଲୀ: ଏଚଡିଏଫସି ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଶଶିଧର ଜଗଦୀଶନ ଅକ୍ଚୋବର ମାସରେ ତାଙ୍କ ପଦବୀରୁ ଅବ୍ୟହତୀ ନେବେ। ଏହାର କାରଣ ହେଉଛି ତାଙ୍କର ବର୍ତ୍ତମାନ କାର୍ଯ୍ୟକାଳ ସମାପ୍ତ ହେବା ପରେ ପୁନର୍ନିଯୁକ୍ତି ଲାଗି ବିଚାର କରିବାକୁ ବ୍ୟାଙ୍କ ମନା କରିଦେଇଛି। ରେଗୁଲେଟରୀ ଫାଇଲିଂରେ ବ୍ୟାଙ୍କ ଏହି ସୂଚନା ଦେଇଛି। ଜଗଦୀଶନ ଅକ୍ଟୋବର ୨୬ ତାରିଖରେ ଚାକିରିରୁ ଅବସର ଗ୍ରହଣ କରିବେ। ଅନ୍ୟପଟେ ଏଚଡିଏଫସି ବ୍ୟାଙ୍କ ବୋର୍ଡ ଜଗଦୀଶନଙ୍କ ଉତ୍ତରାଧିକାରୀ ଚୟନ ଓ ନିଯୁକ୍ତି ପ୍ରକ୍ରିୟାକୁ ଠିକ୍ ସମୟରେ ଚୂଡ଼ାନ୍ତ କରିବାକୁ ନିଷ୍ପତ୍ତି ନେଇଛି।

ଫାଇଲିଂରେ କୁହାଯାଇଛି ଯେ ବୋର୍ଡ ତାଙ୍କ ସମର୍ପଣ, ନେତୃତ୍ୱ, ବ୍ୟାଙ୍କର ବୃଦ୍ଧି ଓ ସ୍ଥିରତାରେ ଯୋଗଦାନକୁ ଉଚ୍ଚ ପ୍ରଶଂସା କରୁଛି। ନିକଟରେ ଜଗଦୀଶନଙ୍କ ଉପରେ ମହାରାଷ୍ଟ୍ର ସଡ଼କ ବିକାଶ ନିଗମ (ଏମଏସଆରଡିସି) ମାମଲାରେ ୧ ଲକ୍ଷ ଟଙ୍କାର ଜରିମନା ନିର୍ଦ୍ଦେଶ ଦିଆଯାଇଥିଲା। ଏହା ଛଡା ବ୍ୟାଙ୍କର ସେୟାର ଗତକିଛି ମାସ ହେଲା ଖରାପ ପ୍ରଦର୍ଶନ କରୁଛି। ଗତ ମାର୍ଚ୍ଚ ମାସରେ ବ୍ୟାଙ୍କର ଅଣକାର୍ଯ୍ୟକାରୀ ଚେୟାରମ୍ୟାନ ଅତନୁ ଚକ୍ରବର୍ତ୍ତୀ ନୈତିକ ଓ ପ୍ରଶାସନିକ ଚିନ୍ତା ଯୋଗୁ ଇସ୍ତଫା ଦେଇଥିଲେ।