କୋଲକାତା: ଦେଶର ତୈଳଓ ଗ୍ୟାସ କ୍ଷେତ୍ର ଲାଗି ପଶ୍ଚିମବଙ୍ଗରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ ଶନିବାର କହିଛନ୍ତି ଯେ ବେଙ୍ଗଲ ବେସିନର ଅଶୋକନଗରରେ ଅଏଲ ଆଣ୍ଡ ନାଚୁରାଲ ଗ୍ୟାସ୍ କର୍ପୋରେସନ (ଓଏନଜିସି)ର ପ୍ରଥମ ବ୍ୟବସାୟୀକ ହାଇଡ୍ରୋ କାର୍ବନ ସନ୍ଧାନ ଏବେ ଉତ୍ପାଦନ ଦିଗରେ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ପାର କରିଛି। ଏଠାରୁ ଉତ୍ପାଦିତ ଅଶୋଧିତ ତୈଳର ପ୍ରଥମ କନସାଇନମେଣ୍ଟ ରିଫାଇନାରୀକୁ ପଠାଇବା ଆରମ୍ଭ ହୋଇଛି।

ଏହି ଖବର ଏପରି ସମୟରେ ଆସୁଛି ଯେତେବେଳେ ଆମେରିକା ଓ ଇରାନ ମଧ୍ୟରେ ଜାରି ଯୁଦ୍ଧ ଯୋଗୁ ବିଶ୍ୱର ଅଶୋଧିତ ତୈଳ ଓ ଏନର୍ଜୀ କ୍ଷେତ୍ର ଉପରକୁ ବିପଦର ବାଦଲ ଘୋଟି ଆସିଛି। ଏପରି ସମୟରେ ପଶ୍ଚିମବଙ୍ଗରୁ ଅଶୋଧିତ ତୈଳର ବ୍ୟବସାୟୀକ ଉତ୍ପାଦନକୁ ଭାରତ ଲାଗି ଏକ ପଜେଟିଭ ଖବର ଭାବେ ଦେଖା ଯାଉଛି। ଭାରତ ଧିରେ ଧିରେ ଅଶୋଧିତ ତୈଳରେ ଆତ୍ମନିର୍ଭର ହେବାକୁ ବଡ ପଦକ୍ଷେପ ନେଇଛି। ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ପୁରୀଙ୍କ ଅନୁସାରେ ଅଶୋକନଗର ଫିଲ୍ଡରେ ଡେଭଲପମେଣ୍ଟ ୱେଲ୍ ଏଏସ-୧ଜେଡର ଡ୍ରିଲିଂ ଗତ ମେ ମାସରେ ଆରମ୍ଭ ହୋଇଥିଲା। ଏହାର ୩ ମାସ ପରେ ଓଏନଜିସି ସଫଳତା ପୂର୍ବକ ଏଥିରୁ ହାଲୁକା ତଥା ଉଚ୍ଚମାନର ଅଶୋଧିତ ତୈଳ ପ୍ରବାହର କ୍ଷମତା ସ୍ଥାପିତ କରିଛି।

ହରଦୀପ ସିଂହ ପୁରୀ ଏହି ଉପଲବ୍ଧିର ସୂଚନା ସୋସିଆଲ ମିଡିଆ ଏକ୍ସ ରେ ସେୟାର କରିଛନ୍ତି। ସେ କହିଛନ୍ତି ଯେ ଏହି ଅନୁସନ୍ଧାନ ଭାରତର ଘରୋଇ ହାଇଡ୍ରୋକାର୍ବନ କ୍ଷମତାକୁ ବଢାଇବା ସହ ଦେଶକୁ ଉର୍ଜା ସୁରକ୍ଷା କ୍ଷେତ୍ରରେ ମଜଭୁତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଦୀର୍ଘ ସମୟରୁ ଚାଲିଥିବା ଅନୁସନ୍ଧାନ ଓ ବିକାଶ ଗତିବିଦ୍ଧି ପରେ ଏହି ପ୍ରକଳ୍ପ ଏବେ ବାସ୍ତବିକ୍ ଉତ୍ପାଦନ ଆଡକୁ ବଢୁଛି। ଅଶୋକନଗର ଅୟେଲ ଫିଲ୍ଡରୁ ଉତ୍ପାଦିତ ଅଶୋଧିତ ତୈଳର ପ୍ରଥମ ଟ୍ରିପ୍ ରିଫାଇନାରୀକୁ ପଠାଇ ଦିଆଯାଇଛି। ଏହାକୁ ଇଣ୍ଡିଆନ ଅଏଲ କର୍ପୋରେସନ (ଆଇଓସିଏଲ)ର ହଳଦିଆ ରିଫାଇନାରୀକୁ ପହଞ୍ଚାଯିବ। ଏହି ଅବସରରେ ଅଶୋକ ନଗର ବିଧାୟକ ସମୟ ହୀରା ଏବଂ ଓଏନଜିସି ନିର୍ଦ୍ଦେଶକ (ଏକ୍ସପ୍ଲୋରେସନ) ମଧ୍ୟ ଉପସ୍ଥିତ ଥିଲେ।

ଅଶୋଧିତ ତୈଳର ଏହି ପ୍ରଥମ କନସାଇନମେଣ୍ଟ ଏଥି ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯେ ଏହା କେବଳ ଅନୁସନ୍ଧାନ ସଫଳ ହେବାର ସଂକେତ ନୁହେଁ ବରଂ ବେଙ୍ଗଲ ବେସିନରେ ବ୍ୟବସାୟୀକ ସ୍ତରର ଉତ୍ପୁାଦନ ସମ୍ଭାବନାକୁ ମଧ୍ୟ ମଜଭୁତ କରୁଛି। ଅଶୋକନଗରରେ ଏହି ଅନୁସନ୍ଧାନ ଭାରତର ହାଇଡ୍ରୋକାର୍ବନ ମାନଚିତ୍ରରେ ପଶ୍ଚିମବଙ୍ଗକୁ ସ୍ଥାନିତ କରିଛି। କୁହାଯାଉଛି ଏହି ବିକାଶ ପରେ ପଶ୍ଚିମବଙ୍ଗ ବେସିନରେ ତୈଳ ଓ ଗ୍ୟାସ୍ ଅନୁସନ୍ଧାନ ତଥା ଉତ୍ପାଦନ ସମ୍ପର୍କିତ ଗତିବିଦ୍ଧିରେ ପ୍ରଗତି ଆସିବ। ଭାରତ ନିଜ ଇନ୍ଧନ ଆବଶ୍ୟକତା ପୂରଣ ପାଇଁ ବିଦେଶରୁ ଅଶୋଧିତ ତୈଳ ଆମଦାନୀ ଉପରେ ନିର୍ଭରଶୀଳ। ଏଥିରେ ଦେଶ ଭିତରେ ନୂଆ ତୈଳ ଓ ଗ୍ୟାସ୍ ଉତ୍ସର ସନ୍ଧାନ ଏବଂ ଏହାର ବ୍ୟବସାୟୀକ ଉପଯୋଗ ବିଦେଶ ନିର୍ଭରଶୀଳତା ହ୍ରାସ କରିବ।