ନୂଆଦିଲ୍ଲୀ: ଛୋଟିଏ ଦେଶ ଭିଏତନାମ ଏବେ କମାଲ କରୁଛି। ଚୀନ ଓ ଭାରତକୁ ପଛରେ ପକାଇ ଆମେରିକା ସହ ଜବରଦସ୍ତ ବ୍ୟବସାୟ କରୁଛି। ୨୦୨୬ର ପ୍ରଥମ ୬ ମାସରେ ଆମେରିକା ସହ ଭିଏତନାମର ଟ୍ରେଡ୍ ସରପ୍ଲସ(ବାଣିଜ୍ୟ ଆଧିକ୍ୟ) ପ୍ରାୟ ୧୧୪ ବିଲିୟନ୍ ଡଲାରରେ ପହଞ୍ଚିଛି। ଯାହା ଭିଏତନାମ ଓ ଅନ୍ୟ ପଡ଼ୋଶୀ ଦେଶମାନଙ୍କ ପାଇଁ ଏକ ବଡ଼ ମାଇଲଖୁଣ୍ଟ। କାରଣ ବିଶ୍ୱର ସମସ୍ତ ଦେଶ ତୁଳନାରେ ଆମେରିକା ସହ ଭିଏତନାମର ଟ୍ରେଡ୍ ସର୍ପ୍ଲସ୍ ସର୍ବାଧିକ ହୋଇଛି।ସରଳ ଭାଷାରେ କହିବାକୁ ଗଲେ ଭିଏତନାମ ଆମେରିକାକୁ ଅଧିକ ଜିନିଷ ବିକ୍ରି କରିଛି କମ ଆମଦାନୀ କରିଛି। ତେଣୁ ଜବରଦସ୍ତ ଡଲାର ଆୟ କରିଛି ଏହି ଛୋଟ ଦେଶ। ୱାଲ୍ ଷ୍ଟ୍ରିଟ୍ ଜର୍ନାଲ୍ର ତଥ୍ୟକୁ ଆଧାର କରି ଟାଇମ୍ସ ଅଫ୍ ଇଣ୍ଡିଆ ଏହି ରିପୋର୍ଟ ପ୍ରକାଶ କରିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ବିଶ୍ୱର ଫ୍ୟାକ୍ଟ୍ରି କୁହାଯାଉଥିବା ଚୀନ ବି ଭିଏତନାମ ଠାରୁ ପଛରେ ପଡ଼ିଯାଇଛି। ଆମେରିକା ସହ ଟ୍ରେଡ଼୍ ସରପ୍ଲସ ଥିବା ଦେଶ ତାଲିକାରେ ଭିଏତନାମ ଆଗରେ ରହିଥିବା ବେଳେ ତା ପଛକୁ ଚୀନ୍ ମେକ୍ସିକୋ ଓ ତାଇୱାନ୍ ରହିଛନ୍ତି।

ଚୀନ୍ ଓ ମେକ୍ସିକୋକୁ ପଛରେ ପକାଇଲା ଭିଏତନାମ

୨୦୨୫ରେ ଆମେରିକା ସହ ଟ୍ରେଡ୍ ସରପ୍ଲସ୍ରେ ଭିଏତନାମ ତୃତୀୟ ସ୍ଥାନରେ ଥିଲା। ସେତେବେଳେ ଚୀନ୍ର ଟ୍ରେଡ୍ ସରପ୍ଲସ୍ ପ୍ରାୟ ୨୦୨ ବିଲିୟନ୍ ଡଲାର ଏବଂ ମେକ୍ସିକୋର ପ୍ରାୟ ୧୯୭ ବିଲିୟନ୍ ଡଲାର ଥିଲା। କିନ୍ତୁ ୨୦୨୬ର ପ୍ରଥମ ୬ ମାସର ତଥ୍ୟ ଭିଏତନାମର ଦ୍ରୁତ ରପ୍ତାନି ବୃଦ୍ଧିକୁ ସ୍ପଷ୍ଟ କରିଛି।ପ୍ରାୟ ୧୦ କୋଟି ଜନସଂଖ୍ୟାର ଦେଶ ଭିଏତନାମର ଅର୍ଥନୀତି ପ୍ରାୟ ୫୦୦ ବିଲିୟନ୍ ଡଲାର। ଏହା ତୁଳନାରେ ଚୀନ୍ର ଜନସଂଖ୍ୟା ପ୍ରାୟ ୧୪ ଗୁଣ ଏବଂ ଅର୍ଥନୀତି ପ୍ରାୟ ୨୦ ଟ୍ରିଲିୟନ୍ ଡଲାର। ତଥାପି ଆମେରିକାକୁ ରପ୍ତାନି କ୍ଷେତ୍ରରେ ଭିଏତନାମର ଅଭୂତପୂର୍ବ ଗତି ଏବେ ଚର୍ଚ୍ଚାରେ।୨୦୨୬ର ପ୍ରଥମ ୬ ମାସରେ ଆମେରିକାର ଭିଏତନାମରୁ ଆମଦାନି ବର୍ଷକୁ ବର୍ଷ ପ୍ରାୟ ୪୦% ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ଚୀନ୍ରୁ ଆମେରିକାର ଆମଦାନି ୧୬୮ ବିଲିୟନ୍ ଡଲାରରୁ ହ୍ରାସ ପାଇ ପ୍ରାୟ ୧୨୯ ବିଲିୟନ୍ ଡଲାର ହୋଇଛି।

୧୯୮୦ ଦଶକରୁ ସୁଧାର ଆଣିବା ଆରମ୍ଭ କରିଥିଲା ଭିଏତନାମ

ବିଶେଷଜ୍ଞଙ୍କ ମତରେ ଭିଏତନାମର ଏହି ରପ୍ତାନି ସଫଳତା କେବଳ ସାମ୍ପ୍ରତିକ ଶୁଳ୍କ ନୀତିର ପରିଣାମ ନୁହେଁ। ଏହା ପଛରେ ରହିଛି ଦଶନ୍ଧି ଧରି ଚାଲିଥିବା ଅର୍ଥନୈତିକ ସଂସ୍କାର। ୧୯୮୦ ଦଶକରେ ଭିଏତନାମ ‘ଡୋଇ ମୋଇ’(Doi Moi) ସଂସ୍କାର ଆରମ୍ଭ କରିଥିଲା। ଏହା ମାଧ୍ୟମରେ ଦେଶ କେନ୍ଦ୍ରୀଭୂତ ଅର୍ଥନୀତିରୁ ଧୀରେଧୀରେ ମୁକ୍ତ ବଜାର ଓ ବିଶ୍ୱ ବାଣିଜ୍ୟ ଦିଗକୁ ଅଗ୍ରସର ହୋଇଥିଲା।

Also Read- ରିଫାଇନାରୀକୁ ଗଲା ପଶ୍ଚିମବଙ୍ଗରୁ ଉତ୍ପାଦିତ ପ୍ରଥମ ଅଶୋଧିତ ତୈଳ, ଇନ୍ଧନ କ୍ଷେତ୍ରରେ ଆତ୍ମନିର୍ଭର ହେବ କି ଭାରତ?

୧୯୯୪ରେ ଆମେରିକା ଭିଏତନାମ ଉପରୁ ବାଣିଜ୍ୟିକ ପ୍ରତିବନ୍ଧ ହଟାଇଥିଲା ଏବଂ ୧୯୯୫ରେ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ୱାଭାବିକ ହୋଇଥିଲା। ୨୦୦୧ରେ ଲାଗୁ ହୋଇଥିବା ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି ପରେ ଦୁଇ ଦେଶର ବାଣିଜ୍ୟ ଆହୁରି ବଢ଼ିଥିଲା। ୧୯୯୫ରେ ଦୁଇ ଦେଶ ମଧ୍ୟରେ ମାତ୍ର ୪୫୧ ନିୟୁତ ଡଲାରର ବାଣିଜ୍ୟ ହେଉଥିବା ବେଳେ ୨୦୨୩ ସୁଦ୍ଧା ଏହା ପ୍ରାୟ ୧୨୪ ବିଲିୟନ୍ ଡଲାରରେ ପହଞ୍ଚିଥିଲା।

ଚାଇନା ପ୍ଲସ୍ ୱାନ୍ ରଣନୀତିର ବଡ଼ ଲାଭ

ଚୀନ୍ରେ ଉତ୍ପାଦନ ଖର୍ଚ୍ଚ ବଢ଼ିବା ଏବଂ ଆମେରିକା-ଚୀନ୍ ବାଣିଜ୍ୟିକ ତିକ୍ତତା ବୃଦ୍ଧି ପାଇବା ପରେ ଅନେକ ବହୁରାଷ୍ଟ୍ରୀୟ କମ୍ପାନୀ ‘ଚାଇନା ପ୍ଲସ୍ ୱାନ୍’ ରଣନୀତି ଆପଣାଇଥିଲେ। ଅର୍ଥାତ୍ ଚୀନ୍ ବାହାରେ ଆଉ ଏକ ଦେଶରେ ଉତ୍ପାଦନ କେନ୍ଦ୍ର ସ୍ଥାପନ କରିବା ଥିଲା ଏହା ରଣନୀତିର ମୁଖ୍ୟ ଲକ୍ଷ୍ୟ। ଏହି ପରିବର୍ତ୍ତନରେ ଭାରତ ବି ସୁଯୋଗ ଅପେକ୍ଷାରେ ଥିଲା। ହେଲେ ସେହି ତୁଳନାରେ ଭିଏତନାମ ଅଧିକ କମ୍ପାନୀକୁ ଆକର୍ଷିତ କରିଥିଲା। ଏହି ପରିବର୍ତ୍ତନରୁ ଭିଏତନାମ ସବୁଠାରୁ ବଡ଼ ଲାଭ ପାଇଥିଲା।

ଚୀନ୍ର ନିକଟତା, ଏସିଆର ଉତ୍ପାଦନ ଯୋଗାଣ ଶୃଙ୍ଖଳ ସହ ଗଭୀର ସମ୍ପର୍କ, ତୁଳନାତ୍ମକ ଭାବେ କମ୍ ଶ୍ରମ ଖର୍ଚ୍ଚ ଏବଂ ଭଲ ଭିତ୍ତିଭୂମି ଭିଏତନାମକୁ ବିଦେଶୀ ନିବେଶ ପାଇଁ ଆକର୍ଷଣୀୟ କରିଛି। ସାମସଙ୍ଗ, ଇଣ୍ଟେଲ ଓ ଫକ୍ସକନ ଭଳି କମ୍ପାନୀ ଭିଏତନାମରେ ନିଜର ଉତ୍ପାଦନ କାର୍ଯ୍ୟକଳାପ ବଢ଼ାଇଥିବା ବେଳେ ଆପଲ, ନାଇକ ଓ ଲୁଲୁଲେମନ ଭଳି କମ୍ପାନୀ ମଧ୍ୟ ଭିଏତନାମକୁ ପ୍ରଡକ୍ସନ ହବ୍ କରିଛନ୍ତି।

ୱାଲ୍ ଷ୍ଟ୍ରିଟ୍ ଜର୍ନାଲର ତଥ୍ୟ ଅନୁସାରେ, ଭିଏତନାମରୁ ଆମେରିକାକୁ ହେଉଥିବା ରପ୍ତାନିର ପ୍ରାୟ ୬୦% ଯନ୍ତ୍ରପାତି, ଇଲେକ୍ଟ୍ରୋନିକ୍ସ କିମ୍ବା ଘରୋଇ ଉପକରଣ ଶ୍ରେଣୀର। ୨୦୨୬ ଜୁନ୍ ସୁଦ୍ଧା ଚୀନ୍ର ଆମେରିକାକୁ ରପ୍ତାନି ଉପରେ ପ୍ରଭାବୀ ଶୁଳ୍କ ହାର ପ୍ରାୟ ୨୩.୨% ଥିବା ବେଳେ ଭିଏତନାମ ପାଇଁ ଏହା ୬.୫% ଥିଲା। ଏହି ଶୁଳ୍କ ତଫାତ୍ ମଧ୍ୟ ଆମେରିକୀୟ ବଜାର ପାଇଁ ଭିଏତନାମକୁ ଅଧିକ ଆକର୍ଷଣୀୟ କରିଛି।

ଏହାର ଏକ ଉଦାହରଣ ହେଉଛି ମିଆମିସ୍ଥିତ ଟିଓଭି ଫର୍ଣ୍ଣିଚର। କମ୍ପାନୀଟି ୨୦୨୪ରେ ନିଜର ସୋର୍ସିଂର ୬୦% ଚୀନ୍ ଏବଂ ୨୫% ଭିଏତନାମରୁ କରୁଥିଲା। ବର୍ତ୍ତମାନ ଏହି ଅନୁପାତ ପ୍ରାୟ ଓଲଟି ଯାଇଛି। ଚୀନ୍ରୁ ୨୫% ଏବଂ ଭିଏତନାମରୁ ୬୦% ହୋଇଯାଇଛି। ଶୁଳ୍କ ନୀତି ଏହି ପରିବର୍ତ୍ତନର ଏକ ପ୍ରମୁଖ କାରଣ ବୋଲି କମ୍ପାନୀ କହିଛି।

ଭାରତଠାରୁ ମଧ୍ୟ ଆଗରେ ଭିଏତନାମ

ଆମେରିକା ସହ ବାଣିଜ୍ୟରେ ଭିଏତନାମର ଅଗ୍ରଗତିକୁ ଭାରତ ସହ ତୁଳନା କରାଯାଇଛି। ଭାରତର ଜନସଂଖ୍ୟା ଭିଏତନାମଠାରୁ ପ୍ରାୟ ୧୪ ଗୁଣ ଅଧିକ ହୋଇଥିଲେ ମଧ୍ୟ ଆମେରିକା ସହ ଭାରତର ପଣ୍ୟ ବାଣିଜ୍ୟ ଅଧିକ୍ୟ (ମାର୍ଚ୍ଚାଣ୍ଡାଇଜ୍ ଟ୍ରେଡ୍ ସରପ୍ଲିସ) ପ୍ରାୟ ୫୮.୪ ବିଲିୟନ୍ ଡଲାର, ଯାହା ଭିଏତନାମର ୧୧୪ ବିଲିୟନ୍ ଡଲାରଠାରୁ ଯଥେଷ୍ଟ କମ୍।

ତେବେ ଭାରତ ଓ ଭିଏତନାମର ଅର୍ଥନୈତିକ ଗଠନ ଭିନ୍ନ। ଭାରତର ବିଶାଳ ଘରୋଇ ବଜାର ଏବଂ ସେବା କ୍ଷେତ୍ର ଥିବାରୁ କେବଳ ପଣ୍ୟ ବାଣିଜ୍ୟ ତଥ୍ୟ ଦୁଇ ଦେଶର ସମ୍ପୂର୍ଣ୍ଣ ଆମେରିକା ସହ ଅର୍ଥନୈତିକ ସମ୍ପର୍କକୁ ଦର୍ଶାଏ ନାହିଁ। ତଥାପି ରପ୍ତାନିମୁଖୀ ଉତ୍ପାଦନ ଏବଂ ବିଶ୍ୱ ଯୋଗାଣ ଶୃଙ୍ଖଳରେ ବିଦେଶୀ ନିବେଶକୁ ଯୋଡ଼ିବାରେ ଭିଏତନାମ ଭାରତଠାରୁ ଆଗରେ ରହିଛି।

Also Read- ଭେନେଜୁଏଲା ତେଲ ଏବେ ଆମେରିକାର ! ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଘୋଷଣା

ଶ୍ରମ ବଜାର ଓ ଉତ୍ପାଦନରେ ଭାରତ ପାଇଁ ଚ୍ୟାଲେଞ୍ଜ୍

ବିଶ୍ୱ ବ୍ୟାଙ୍କ ତଥ୍ୟକୁ ଉଦ୍ଧୃତ କରି ରିପୋର୍ଟରେ କୁହାଯାଇଛି ଯେ ଭିଏତନାମର ଶ୍ରମଶକ୍ତି ଅଂଶଗ୍ରହଣ ହାର ପ୍ରାୟ ୭୩%, ଯେତେବେଳେ ଭାରତରେ ଏହା ୫୬.୪%। ଭାରତରେ ଏବେ ମଧ୍ୟ ପ୍ରାୟ ୪୫% ନିଯୁକ୍ତି କୃଷି କ୍ଷେତ୍ରରେ ରହିଛି। ଅନ୍ୟପକ୍ଷରେ ଭିଏତନାମରେ କୃଷି କ୍ଷେତ୍ରର ନିଯୁକ୍ତି ଅଂଶ ୨୦୦୦ ମସିହାର ୬୫%ରୁ ହ୍ରାସ ପାଇ ୨୦୨୫ରେ ପ୍ରାୟ ୨୫% ହୋଇଛି।ଭିତ୍ତିଭୂମି, ଶ୍ରମ ବଜାର ନିୟମ, ଅନୁପାଳନ ଆବଶ୍ୟକତା ଏବଂ ବିଶ୍ୱ ଭାଲ୍ୟୁ ଚେନ୍ରେ ଅଧିକ ଗଭୀର ଭାବେ ସାମିଲ ହେବା ଆଦି କ୍ଷେତ୍ରରେ ଭାରତକୁ ଆହୁରି ସୁଧାର କରିବା ଆବଶ୍ୟକ ବୋଲି ବିଶ୍ୱ ବ୍ୟାଙ୍କର ତଥ୍ୟକୁ ଆଧାର କରି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ମୋଟାମୋଟି କହିବାକୁ ଗଲେ ଯେଉଁ ଭିଏତନାମ ଦିନେ ଆମେରିକା ସହ ଯୁଦ୍ଧରେ ଥିଲା, ସେହି ଦେଶ ଆଜି ଆମେରିକାର ଅନ୍ୟତମ ବଡ଼ ବାଣିଜ୍ୟିକ ଭାଗୀଦାରରେ ପରିଣତ ହୋଇଛି। ଦୀର୍ଘମିଆଦୀ ଅର୍ଥନୈତିକ ସଂସ୍କାର, ବିଦେଶୀ ନିବେଶ, ରପ୍ତାନିମୁଖୀ ଉତ୍ପାଦନ ଏବଂ ଚୀନ୍ର ବିକଳ୍ପ ଭାବେ ବିଶ୍ୱ ଯୋଗାଣ ଶୃଙ୍ଖଳରେ ଭିଏତନାମର ବଢ଼ୁଥିବା ଭୂମିକା ଏହି ପରିବର୍ତ୍ତନର ପ୍ରମୁଖ ଆଧାର ହୋଇଛି।

ଟ୍ରେଡ୍ ସର୍ପ୍ଲସ୍ (Trade Surplus) କ’ଣ?

ସରଳ ଭାଷାରେ କହିଲେ, କୌଣସି ଦେଶ ଅନ୍ୟ ଦେଶକୁ ଯେତେ ମୂଲ୍ୟର ସାମଗ୍ରୀ ବିକ୍ରି କରେ, ସେହି ଦେଶରୁ ଯେତେ ମୂଲ୍ୟର ସାମଗ୍ରୀ କିଣେ ତା’ଠାରୁ ଯଦି ବିକ୍ରିର ପରିମାଣ ଅଧିକ ହୁଏ, ତାହାକୁ ଟ୍ରେଡ୍ ସର୍ପ୍ଲସ୍ ବା ବାଣିଜ୍ୟ ଅଧିକ୍ୟ କୁହାଯାଏ।

ଉଦାହରଣ - ଭିଏତନାମ ଯଦି ଆମେରିକାକୁ ୧୫୦ ଡଲାରର ସାମଗ୍ରୀ ରପ୍ତାନି କଲା ଏବଂ ଆମେରିକାରୁ ୫୦ ଡଲାରର ସାମଗ୍ରୀ ଆମଦାନି କଲା, ତେବେ ଭିଏତନାମର ବାଣିଜ୍ୟ ଅଧିକ୍ୟ ହେବ ୧୫୦ - ୫୦ = ୧୦୦ ଡଲାର। ଅର୍ଥାତ୍, ଭିଏତନାମର ୧୦୦ ଡଲାର ଟ୍ରେଡ୍ ସର୍ପ୍ଲସ୍ ରହିବ। ଆମେରିକାକୁ ଅଧିକ ସାମଗ୍ରୀ ବିକ୍ରି କରିବାର ଅର୍ଥ ହେଉଛି ଭିଏତନାମର ରପ୍ତାନିକାରୀ କମ୍ପାନୀଗୁଡ଼ିକ ଅଧିକ ଆୟ କରୁଛନ୍ତି ଏବଂ ଦେଶକୁ ଅଧିକ ବିଦେଶୀ ମୁଦ୍ରା ଆସୁଛି। ଏହାଦ୍ୱାରା ଭିଏତନାମର ବିଦେଶୀ ମୁଦ୍ରା ବଢ଼ିବ, ଅର୍ଥନୀତି ମଜବୁତ ହେବ, ନିଯୁ୍କ୍ତି ସୃଷ୍ଟି ହେବ ଓ ଦେଶର ଆମଦାନୀ ଖର୍ଚ୍ଚ ସହଜରେ ପୂରଣ କରିହେବ। ଅନ୍ୟପକ୍ଷରେ, ଯଦି କୌଣସି ଦେଶ ରପ୍ତାନିଠାରୁ ଅଧିକ ଆମଦାନି କରେ, ତାହାକୁ ଟ୍ରେଡ୍ ଡେଫିସିଟ୍ (Trade Deficit) ବା ବାଣିଜ୍ୟ ନିଅଣ୍ଟ କୁହାଯାଏ। ଏହା ଦେଶର ଅର୍ଥନୀତି ପାଇଁ ଆଦୌ ଭଲ ନୁହେଁ।