ନୂଆଦିଲ୍ଲୀ ୩୦।୦୮; ବକ୍ସ ଅଫିସ ଧମାଲ କରୁଛି ଫିଲ୍ମ ‘ହନୁମାନ ଅଂଶ’। ମାତ୍ର ୨ କୋଟି ଟଙ୍କା ବଜେଟ୍ରେ ତିଆରି ହୋଇଥିବା ଏହି ଫିଲ୍ମ ଏବେ ୨୭ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ କରିଛି । ଆରମ୍ଭରେ ଫିଲ୍ମଟି ଫ୍ଲପ୍ ହେବ ବୋଲି ଲାଗୁଥିବା ବେଳେ ତୃତୀୟ ସପ୍ତାହରୁ ହଠାତ୍ ବଦଳିଗଲା ଏହାର ଭାଗ୍ୟ । ଅଗଷ୍ଟ ୭ ତାରିଖରେ ସିନେମା ହଲ୍କୁ ଆସିଥିଲା ‘ହନୁମାନ ଅଂଶ’।

ରିଲିଜ୍ ପୂର୍ବରୁ ଫିଲ୍ମର କୌଣସି ବଡ଼ ପ୍ରମୋସନ୍ କିମ୍ବା ବିଶେଷ ଚର୍ଚ୍ଚା ନଥିଲା। ଏପରିକି ପ୍ରଥମ ଦିନରେ ଫିଲ୍ମଟି ମାତ୍ର ପ୍ରାୟ ୧୦ ଲକ୍ଷ ଟଙ୍କା ଆୟ କରିଥିଲା । ପ୍ରଥମ ଦୁଇ ସପ୍ତାହରେ ଫିଲ୍ମର ମୋଟ କଲେକ୍ସନ୍ ଥିଲା ପ୍ରାୟ ୧ କୋଟି ୪୮ ଲକ୍ଷ ଟଙ୍କା । କିନ୍ତୁ ତୃତୀୟ ସପ୍ତାହରେ ଫିଲ୍ମର ବକ୍ସ ଅଫିସ୍ କଲେକ୍ସନ୍ରେ ଜବରଦସ୍ତ ବୃଦ୍ଧି ଦେଖିବାକୁ ମିଳିଲା। ତୃତୀୟ ସପ୍ତାହରେ ଫିଲ୍ମଟି ପ୍ରାୟ ୧୦ କୋଟି ୪୦ ଲକ୍ଷ ଟଙ୍କା ଆୟ କରିଥିଲା । ଚତୁର୍ଥ ସପ୍ତାହର ଶୁକ୍ରବାରରେ ୬ କୋଟି ୨୫ ଲକ୍ଷ ଏବଂ ଶନିବାରରେ ୯ କୋଟି ୨୫ ଲକ୍ଷ ଟଙ୍କା ବ୍ୟବସାୟ କରିଥିବା ରିପୋର୍ଟରେ କୁହାଯାଇଛି। ଫଳରେ ୨୩ ଦିନରେ ଭାରତରେ ଫିଲ୍ମର ମୋଟ କଲେକ୍ସନ୍ ୨୭ କୋଟି ୩୮ ଲକ୍ଷ ଟଙ୍କାରେ ପହଞ୍ଚିଛି ।

ଫିଲ୍ମର କାହାଣୀ ନୀମ କରୋଲି ବାବାଙ୍କ ଜୀବନ ଉପରେ ଆଧାରିତ। ଫିଲ୍ମରେ ମହାରାଜଜୀଙ୍କ ଚରିତ୍ରରେ ଶୋଭିନାଭ ସତ୍ୟା ଅଭିନୟ କରିଛନ୍ତି। ଏହାର ନିର୍ଦ୍ଦେଶନା ଦେଇଛନ୍ତି ବିଶାଳ ଚତୁର୍ବେଦୀ। ତେବେ ମାତ୍ର ୨ କୋଟି ଟଙ୍କାରେ ତିଆରି ହୋଇ ୨୭ କୋଟିରୁ ଅଧିକ ବ୍ୟବସାୟ କରିବା ପରେ ‘ହନୁମାନ ଅଂଶ’ ଏବେ ବକ୍ସ ଅଫିସ୍ରେ ସୁପରହିଟ୍ରୁ ବ୍ଲକବଷ୍ଟର ଆଡ଼କୁ ଯାଉଥିବା ଚର୍ଚ୍ଚା ହେଉଛି।