ପାଟନା: ରାଜନୀତିକୁ ଆସୁଥିବା ମହିଳାଙ୍କୁ କମ୍ପ୍ରମାଇଜ୍ କରିବାକୁ ପଡ଼େ । ମହିଳାଙ୍କ ଉପରେ ଏଭଳି ଅପମାନଜନକ ଟିପ୍ପଣୀ କରି ଫସିଛନ୍ତି ବିହାର ପୂର୍ନିୟାର ବାହୁବଳୀ ସାଂସଦ ପପୁ ଯାଦବ । ବିହାର ମହିଳା କମିଶନ ତାଙ୍କୁ ନୋଟିସ୍ କରିଛନ୍ତି । ମହିଳାଙ୍କ ଉପରେ ଅଶୋଭନୀୟ ଟିପ୍ପଣୀ ସଂପର୍କରେ ପପୁ ଯାଦବଙ୍କୁ ଜବାବ ମାଗିଛନ୍ତି ମହିଳା ଆୟୋଗ ।

ନୋଟିସ ଜାରି କଲେ ମହିଳା କମିଶନ୍‌

ପପୁ ଯାଦବ ମହିଳାମାନଙ୍କ ରାଜନୀତିରେ ପ୍ରବେଶ କରିବା ସମ୍ପର୍କରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ ଯେ, ରାଜନୀତିରେ ପ୍ରବେଶ କରୁଥିବା ଅଧିକାଂଶ ମହିଳାଙ୍କୁ ଆପୋଷ ବୁଝାମଣା କରିବାକୁ ପଡ଼ିଥାଏ। ଏହି ବୟାନ ହଇଚଇ ସୃଷ୍ଟି କରିଥିଲା। ଅନେକ ନେତା ପପୁ ଯାଦବଙ୍କ ବୟାନକୁ ନିନ୍ଦା କରିଥିଲେ। ବିହାର ମହିଳା କମିଶନ ମଧ୍ୟ ଏହି ବୟାନ ସମ୍ପର୍କରେ ଏକ ନୋଟିସ ଜାରି କରିଛନ୍ତି। ମହିଳା କମିଶନ ତାଙ୍କ ନୋଟିସରେ ଲେଖିଛନ୍ତି ଯେ, ଏହି ବୟାନ ମହିଳାଙ୍କ ଆତ୍ମସମ୍ମାନ ଏବଂ ସାମାଜିକ ପ୍ରତିଷ୍ଠାକୁ ଆଘାତ ଦେଇଛି । କମିଶନ ତିନି ଦିନ ମଧ୍ୟରେ ପପୁ ଯାଦବଙ୍କଠାରୁ ଜବାବ ମାଗିଛନ୍ତି। ଯଦି ସେ ଉତ୍ତର ନ ଦିଅନ୍ତି, ତେବେ କମିଶନ ଲୋକସଭା ବାଚସ୍ପତିଙ୍କଠାରୁ ତାଙ୍କ ସଦସ୍ୟତା ରଦ୍ଦ କରିବାକୁ ଦାବି କରିବେ। ମହିଳା କମିଶନର ଏକ ପ୍ରତିନିଧି ଦଳ ଏହି ପ୍ରସଙ୍ଗରେ ଓମ୍ ବିର୍ଲାଙ୍କୁ ଭେଟିବେ।

ବିଜେପି ମୁଖପାତ୍ରଙ୍କ ପ୍ରତିକ୍ରିୟା

ପପୁ ଯାଦବଙ୍କ ମନ୍ତବ୍ୟ ଉପରେ ବିଜେପି ମୁଖପାତ୍ର ଶହଜାଦ ପୁନାୱାଲା କହିଛନ୍ତି, ‘ଏହା ଏକ ଲଜ୍ଜାଜନକ ମନ୍ତବ୍ୟ । ଯେତେବେଳେ ସମଗ୍ର ଦେଶ 'ମହିଳା ଶକ୍ତି'କୁ ପ୍ରୋତ୍ସାହିତ କରୁଛି, ସେତେବେଳେ କଂଗ୍ରେସ ସମର୍ଥିତ ସାଂସଦମାନେ କ'ଣ କହୁଛନ୍ତି ଦେଖନ୍ତୁ। ଏହା ସେମାନଙ୍କର ମାନସିକତା। ସେମାନେ କିପରି ମହିଳାଙ୍କୁ ଦୋଷ ଦେଉଛନ୍ତି ’।

ପୂର୍ବରୁ ପପୁ ଯାଦବ ମହିଳା ସଂରକ୍ଷଣ ବିଲକୁ ବିରୋଧ କରିବା ସମୟରେ ସରକାରଙ୍କୁ ଟାର୍ଗେଟ କରିଥିଲେ। ସେ କହିଥିଲେ ଯେ, କଂଗ୍ରେସ ଏବଂ ସମସ୍ତ ବିରୋଧୀ ନେତା ଦେଶର ଗଣତନ୍ତ୍ରକୁ ରକ୍ଷା କରିଛନ୍ତି । ସମ୍ବିଧାନକୁ ସୁରକ୍ଷିତ ରଖିଛନ୍ତି ଏବଂ ଗରିବ, ସାଧାରଣ ବର୍ଗର ମହିଳା ଏବଂ ଏସସି, ଏସଟି ଏବଂ ଓବିସି ମହିଳାଙ୍କ ଅଂଶଗ୍ରହଣକୁ ସୁନିଶ୍ଚିତ କରିଛନ୍ତି। ଏହି ଲୋକମାନେ(ବିଜେପି) ଏହାକୁ ସବୁଦିନ ପାଇଁ ସମାପ୍ତ କରିବାକୁ ଚାହୁଁଥିଲେ। ବିରୋଧୀ ଦଳ ସେମାନଙ୍କର ରାଜନୈତିକ ସ୍ୱାଧୀନତାକୁ ରକ୍ଷା କରିଛନ୍ତି।