ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କାଶ୍ମୀର (PoK) ର ରାୱଲକୋଟ୍‌ରେ ଏକ ଅତ୍ୟନ୍ତ ଅମାନୁଷିକ ଘଟଣା ସାମ୍ନାକୁ ଆସିଛି। ନିଜର ମୌଳିକ ଅଧିକାର ପାଇଁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଥିବା ହଜାର ହଜାର ନିରୀହ ନାଗରିକଙ୍କ ଉପରେ ପାକିସ୍ତାନୀ ସେନା ଏବଂ ରେଞ୍ଜର୍ସ ଅତର୍କିତ ଗୁଳିମାଡ଼ କରିଛନ୍ତି। ଏହି ବର୍ବରକାଣ୍ଡ ଯୋଗୁଁ ସମଗ୍ର ଅଞ୍ଚଳରେ ଭୟ ଓ ଆକ୍ରୋଶର ପରିବେଶ ସୃଷ୍ଟି ହୋଇଛି।

ରାୱଲକୋଟ୍‌ର ଇଦ୍‌ଗାହ ମୈଦାନରେ ପ୍ରାୟ ୬୦,୦୦୦ ରୁ ୭୦,୦୦୦ ସାଧାରଣ ଲୋକ ଏକାଠି ହୋଇ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ କରୁଥିଲେ। ଏହି ଭିଡ଼ ମଧ୍ୟରେ ବହୁ ସଂଖ୍ୟାରେ ମହିଳା, ଶିଶୁ ଏବଂ ବୃଦ୍ଧ ମଧ୍ୟ ସାମିଲ ଥିଲେ। ସେମାନଙ୍କର ଦାବି ଅତି ସାଧାରଣ । ସ୍ୱଳ୍ପ ମୂଲ୍ୟରେ ଅଟା ଏବଂ ଚାଉଳ ଯୋଗାଣ, ଶସ୍ତା ବିଦ୍ୟୁତ, ବଞ୍ଚିବା ପାଇଁ ଅନ୍ୟାନ୍ୟ ମୌଳିକ ସୁବିଧା ଓ ରାଜନୈତିକ ଅଧିକାର ପାଇଁ ସେମାନେ ଦାବି କରୁଛନ୍ତି।

କୌଣସି ପୂର୍ବ ଚେତାବନୀ ବିନା ପାକିସ୍ତାନୀ ସୁରକ୍ଷା ବଳ ହଠାତ୍ ଏହି ଭିଡ଼ ଉପରେ ଏକେ-୪୭ (AK-47) ରାଇଫଲ୍‌ ସାହାଯ୍ୟରେ ଆଖିବୁଜା ଗୁଳିମାଡ଼ କରିଥିଲା । ଭୟରେ ପ୍ରଦର୍ଶନକାରୀ ଦୌଡ଼ିଥିଲେ । ଏହି ଗୁଳିମାଡ଼ରେ ରାୱଲକୋଟରୁ ଛାତିଥରା ଚିତ୍ର ସାମ୍ନାକୁ ଆସିଛି। ଚାରିଆଡ଼େ ରକ୍ତରଞ୍ଜିତ ରାସ୍ତା, ଏବଂ ନିଜ ପ୍ରିୟଜନଙ୍କୁ ଖୋଜୁଥିବା ପରିବାରର ଆର୍ତ୍ତନାଦ ଶୁଣିବାକୁ ମିଳିଛି। କେବଳ ଏହି ଗୋଟିଏ ଘଟଣାରେ ୧୬ ଜଣ ପ୍ରଦର୍ଶନକାରୀ ପ୍ରାଣ ହରାଇଛନ୍ତି ଏବଂ ୩୭ ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି।

ଗତ ଶୁକ୍ରବାର ଠାରୁ ଚାଲିଥିବା ଏହି ଜନ ଆନ୍ଦୋଳନକୁ ଦମନ କରିବା ପାଇଁ ସେନା ପକ୍ଷରୁ କରାଯାଇଥିବା ବିଭିନ୍ନ କାର୍ଯ୍ୟାନୁଷ୍ଠାନରେ ଏପର୍ଯ୍ୟନ୍ତ ୫୩ ଜଣ ନିରୀହ ନାଗରିକ ଜୀବନ ହରାଇଲେଣି। ସେନାର ଏହି କ୍ରୁରତା ବିରୋଧରେ ସମଗ୍ର PoK ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଭିନ୍ନ ସ୍ଥାନରେ ସମ୍ପୂର୍ଣ୍ଣ ବଜାର ବନ୍ଦ ରହିବା ସହ ବଡ଼ ଧରଣର ବିକ୍ଷୋଭ ଶୋଭାଯାତ୍ରା କରାଯାଉଛି। ହିଂସାର ଶିକାର ହୋଇଥିବା ପରିବାର ପାଇଁ ଲୋକେ ନ୍ୟାୟ ଦାବି କରୁଛନ୍ତି।

ସେନା ବିରୋଧରେ ଆନ୍ଦୋଳନକାରୀମାନେ "ୟେ ଜୋ ଦେହସତଗର୍ଦୀ ହୈ, ଇସକେ ପିଛେ ବର୍ଦ୍ଦି ହୈ" (ଅର୍ଥାତ୍- ଏହି ଯେଉଁ ଆତଙ୍କବାଦ ଚାଲିଛି, ତାହା ପଛରେ ସେନାର ହାତ ରହିଛି।) ନାରା ଦେଉଛନ୍ତି । ଏତେ ବଡ଼ ରକ୍ତାକ୍ତ ସଂଘର୍ଷ ଏବଂ ନରସଂହାର ପରେ ମଧ୍ୟ ପ୍ରଦର୍ଶନକାରୀମାନେ ପଛକୁ ହଟିବାକୁ ପ୍ରସ୍ତୁତ ନାହାନ୍ତି। ଲୋକେ ନିଜର ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ସଂକଳ୍ପ କରିଛନ୍ତି।

ଆନ୍ଦୋଳନର ପ୍ରମୁଖ ନେତା ସର୍ଦ୍ଦାର ଅମାନ ଖାନ ଜନସାଧାରଣଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ, ଏହି ସଂଗ୍ରାମ ଏବେ ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି। ଯେତେ ଜୀବନ ଗଲେ ମଧ୍ୟ ସମ୍ମାନଜନକ ଭାବରେ ବଞ୍ଚିବାର ଏହି ଲଢ଼େଇ ବନ୍ଦ ହେବ ନାହିଁ। ବର୍ତ୍ତମାନ ସ୍ଥାନୀୟ ଡାକ୍ତରଖାନାଗୁଡ଼ିକରେ ଆହତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଶୋକାକୁଳ ପରିବେଶ ମଧ୍ୟରେ ମୃତକଙ୍କ ଅନ୍ତିମ ସଂସ୍କାର କରାଯାଉଛି।