ଇସ୍ଲାମାବାଦ: ଯେଉଁ ବୈଶ୍ୱିକ ଆର୍ଥିକ ସଂସ୍ଥା ସହାୟତାରେ ପାକିସ୍ତାନ ନିଜ ଅର୍ଥନୀତି ଚଳଉଛି ଆଗକୁ ସେ ସେହି ସଂସ୍ଥାର ଅଧ୍ୟକ୍ଷତା କରିବ। ପାକିସ୍ତାନକୁ ୨୦୨୭ ମସିହା ନିମନ୍ତେ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମଏଫ) ଓ ବିଶ୍ୱବ୍ୟାଙ୍କ ସମୂହ (ଡବ୍ଲୁବିଜି) ବୋର୍ଡ ଅଫ ଗଭର୍ଣ୍ଣର୍ସର ଆଗାମୀ ଅଧ୍ୟକ୍ଷ ନାମିତ କରାଯାଇଛି। ପାକିସ୍ତାନ ଆର୍ଥିକ ବ୍ୟାପାର ମନ୍ତ୍ରାଳୟ ଶୁକ୍ରବାର ଏହି ସୂଚନା ଦେଇଛି। ୧୯୫୩ ମସିହା ପରେ ପାକିସ୍ତାନ ଦ୍ୱିତୀୟବାର ଏହି ପଦବୀ ପ୍ରାପ୍ତ କରିବାକୁ ଯାଉଛି।

ବ୍ୟାଙ୍କକରେ ଅନୁଷ୍ଠିତ ହେଉଥିବା ୨୦୨୬ଆଇଏମଏଫ-ୱାର୍ଲଡ ବ୍ୟାଙ୍କ ବାର୍ଷିକ ବୈଠକର ପୂର୍ଣ୍ଣ ଅଧିବେଶନରେ ପାକିସ୍ତାନ ଆର୍ଥିକ ବ୍ୟାପାର ମନ୍ତ୍ରୀ ଅହଦ ଖାନ ଚୀମାଙ୍କୁ ଔପଚାରିକ ରୂପେ ଆଗାମୀ ଅଧ୍ୟକ୍ଷ ଘୋଷଣା କରାଯାଇଛି। ଚୀମା ବିଶ୍ୱବ୍ୟାଙ୍କରେ ପାକିସ୍ତାନର ଗଭର୍ଣ୍ଣର ଦାୟିତ୍ୱ ମଧ୍ୟ ତୁଲାନ୍ତି। ପାକିସ୍ତାନ ସରକାର ଏହାକୁ ଐତିହାସିକ ଉପଲବ୍ଧି ବୋଲି କହିଛନ୍ତି। ମନ୍ତ୍ରାଳୟ ଅନୁସାରେ ଏହି ଅଧ୍ୟକ୍ଷତାରୁ ପାକିସ୍ତାନକୁ ବୈଶ୍ୱିକ ଅର୍ଥ ବ୍ୟବସ୍ଥା ଓ ବିକାଶ ସମ୍ପର୍କିତ ଚର୍ଚ୍ଚାରେ ଯୋଗ ଦେବାକୁ ସୁଯୋଗ ମିଳିବ, ଏହା ସହ ସଦସ୍ୟ ଦେଶଙ୍କ ମଧ୍ୟରେ ରଚନାତ୍ମକ ଆଲୋଚନାକୁ ପ୍ରୋତ୍ସାହିତ କରିବାର ଅବସର ମଧ୍ୟ ମିଳିବ।

ଏହି ଘଟଣାକ୍ରମ ଏଥି ପାଇଁ ମଧ୍ୟ ଆକର୍ଷଣୀୟ ଯେ ପାକିସ୍ତାନ ନିଜ ଅର୍ଥ ବ୍ୟବସ୍ଥା ଚଳାଇବା ପାଇଁ ଆଇଏମଏଫଙ୍କ ଉପରେ ନିର୍ଭର। ଦେଶ ଆଇଏମଏଫର ୭ ବିଲିୟନ ଡଲାରର ଏକ୍ସଟେଣ୍ଡେଡ୍ ଫଣ୍ଡ ଫ୍ୟାସେଲିଟି (ଇଏଫଏଫ) କାର୍ଯ୍ୟକ୍ରମରେ ଋଣ ନେଉଛି। ଏହାର ଉଦ୍ଦେଶ୍ୟ ହେଉଛି ପୈଠ ସନ୍ତୁଳନର ଆବଶ୍ୟକତା ପୂରଣ କରିବା ଓ ଆର୍ଥିକ ସଂସ୍କାରକୁ ସମର୍ଥନ କରିବା। ସରଳ ଶବ୍ଦରେ ବିଦେଶୀ ପୈଠ ଓ ବୈଦେଶିକ ମୁଦ୍ରାର ଆବଶ୍ୟକତା ପୁରଣ କରିବା ଲାଗି ପାକିସ୍ତାନକୁ ଆଏମଏଫର ସହାୟତା ଆବଶ୍ୟକ। ଏହା ଛଡା ପାକିସ୍ତାନ ୧.୪ ବିଲିୟନ ଡଲାରର ରେଜିଲାନ୍ସ ଆଣ୍ଡ ସଷ୍ଟେନେବିଲିଟି ଫାସେଲିଟି (ଆରଏସଏଫ)ରେ ମଧ୍ୟ ସହାୟତା ନେଉଛି।

ଏହି କାର୍ଯ୍ୟକ୍ରମରେ ଜଳବାୟୁ ପରିବର୍ତ୍ତନ ବିପଦର ମୁକାବିଲା ଓ ଅର୍ଥ ବ୍ୟବସ୍ଥାକୁ ଦୀର୍ଘକାଳୀନ ଭିତ୍ତିରେ ମଜଭୁତ କରିବ । ଉଭୟ ଋଣ କାର୍ଯ୍ୟକ୍ରମର ତାଜା ସମୀକ୍ଷାରେ ଆଇଏମଏଫ କର୍ମଚାରୀ ଓ ପାକିସ୍ତାନୀ ଅଧିକାରୀଙ୍କ ମଧ୍ୟରେ ସହମତି ହୋଇ ସାରିଛି। ଏହା ପରେ ପାକିସ୍ତାନକୁ ପାଖାପାଖି ୧.୨ ବିଲିନ ଡଲାର ମିଳିବ ବୋଲି ଆଶା କରାଯାଉଛି। ତେବେ ଏଥି ପାଇଁ ଆଇଏମଏଫର କାର୍ଯ୍ୟକାରୀ ବୋର୍ଡର ମଞ୍ଜୁରୀ ଜରୁରି ହେବ।

ବ୍ୟାଙ୍କକରେ ୧୨ରୁ ୧୮ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବାକୁ ଥିବା ବାର୍ଷିକ ବୈଠକରେ ୧୯୧ ଦେଶଙ୍କ ୧୫ ହଜାରରୁ ଅଧିକ ପ୍ରତିନିଧି ଯୋଗ ଦେଇଛନ୍ତି। ଏଠାରେ ବୈଶ୍ୱିକ ଅର୍ଥ ବ୍ୟବସ୍ଥା, ବିକାଶ ଓ ଆର୍ଥିକ ସ୍ଥିରତା ଭଳି ପ୍ରସଙ୍ଗରେ ଚର୍ଚ୍ଚା ହେଉଛି। ତେବେ ଏଠାରେ ଗୋଟିଏ କଥା ବୁଝିବା ଜରୁରି ଯେ ପାକିସ୍ତାନକୁ ବୋର୍ଡର ଅଧ୍ୟକ୍ଷତା ମିଳିବାର ଅର୍ଥ ଏହା ନୁହେଁ ଯେ ଆଇଏମଏଫ ଓ ବିଶ୍ୱବ୍ୟାଙ୍କ ଟ୍ରେଜରୀର ଚାବି ପାକିସ୍ତାନ ହାତକୁ ଚାଲି ଯାଇଛି। ଏହି ପଦବୀ ଯୋଗୁ ବୈଶ୍ୱିକ ଆର୍ଥିକ ଚର୍ଚ୍ଚାମାନଙ୍କରେ ପାକିସ୍ତାନକୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହର ସୁଯୋଗ ମିଳିବ ନିଶ୍ଚିତ, ହେଲେ ଦେଶର ଋଣ, ପୈଠ ସନ୍ତୁଳନ, ଆର୍ଥିକ ସୁଧାର ଆହ୍ୱାନ ପୂର୍ବବତ ରହିବ।