ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନା ୧୭ ଦିନିଆ ନୋଟାମ ଜାରି କରିବା ପରେ ପାକିସ୍ତାନରେ ହଇଚଇ ସୃଷ୍ଟି ହୋଇଛି। ପାକିସ୍ତାନ ନିଜ ସୀମା ଅଞ୍ଚଳରେ ସୁରକ୍ଷା ଓ ନିରୀକ୍ଷଣ ବଢ଼ାଇଥିବା ମିଡିଆରେ ରିପୋର୍ଟ ପ୍ରକାଶ ପାଇଛି।ଫଳରେ ଭାରତ-ପାକିସ୍ତାନ ସୀମାରେ ପୁଣିଥରେ ସାମରିକ ଗତିବିଧି ବଢ଼ିବାର ଆଶଙ୍କା ଦେଖାଦେଇଛି। ଭାରତୀୟ ବାୟୁସେନା (IAF) ସେପ୍ଟେମ୍ବର ୨୧ରୁ ଅକ୍ଟୋବର ୭ ପର୍ଯ୍ୟନ୍ତ ୧୭ ଦିନିଆ ସାମରିକ ଅଭ୍ୟାସ ପାଇଁ ବିଭିନ୍ନ ଅଞ୍ଚଳର ଆକାଶପଥରେ ପ୍ରତିବନ୍ଧକ ଜାରି କରିଛି। ଏହାକୁ ଦେଖି ପାକିସ୍ତାନ ଛାନିଆ ହୋଇଛି।

ଭାରତର ଏହି ଆକାଶପଥ ସମ୍ପର୍କିତ ନୋଟିସ୍ ପରେ ପାକିସ୍ତାନୀ ସାମରିକ ପ୍ରତିଷ୍ଠାନରେ ଚିନ୍ତା ବଢ଼ିଛି। ପାକିସ୍ତାନର ବରିଷ୍ଠ ପ୍ରତିରକ୍ଷା ଅଧିକାରୀମାନେ ଜରୁରୀ ବୈଠକ ଡାକିଥିବା ଏବଂ ଏହି ପ୍ରସଙ୍ଗ ଇସଲାମାବାଦର Chief of Defence Forcesଙ୍କ ନଜରକୁ ମଧ୍ୟ ନିଆଯାଇଥିବା ରିପୋର୍ଟରେ କୁହାଯାଇଛି।

NOTAM କ’ଣ?

IAF ପକ୍ଷରୁ ଜାରି ହୋଇଥିବା ଏହି ନୋଟିସକୁ NOTAM (Notice to Airmen) କୁହାଯାଏ। ବିମାନ ଚଳାଚଳ କରୁଥିବା ସଂସ୍ଥା, ପାଇଲଟ୍ ଏବଂ ଅନ୍ୟ ସମ୍ପୃକ୍ତ ପକ୍ଷଙ୍କୁ ଅସ୍ଥାୟୀ ଆକାଶପଥ ପ୍ରତିବନ୍ଧକ, ପରିବର୍ତ୍ତନ କିମ୍ବା ସମ୍ଭାବ୍ୟ ବିପଦ ସମ୍ପର୍କରେ ସୂଚନା ଦେବା ପାଇଁ NOTAM ଜାରି କରାଯାଏ। ସାମରିକ ଅଭ୍ୟାସ, ଅସ୍ତ୍ର ପରୀକ୍ଷଣ କିମ୍ବା ଅନ୍ୟ ସାମରିକ କାର୍ଯ୍ୟକଳାପ ସମୟରେ ଆକାଶପଥର କିଛି ଅଂଶକୁ ଅସ୍ଥାୟୀ ଭାବେ ସଂରକ୍ଷିତ ବା ସୀମିତ କରାଯାଇଥାଏ। ଏହି ସମୟରେ ବିମାନ ଚଳାଚଳକୁ ନେଇ ସତର୍କତା ଅବଲମ୍ବନ କରାଯାଏ।

ଭାରତର NOTAM ଜାରି ପରେ ପାକିସ୍ତାନ ସୀମା ଅଞ୍ଚଳରେ ନିରୀକ୍ଷଣ ବଢ଼ା ଯାଇଛି। ବରିଷ୍ଠ ପାକିସ୍ତାନୀ ପ୍ରତିରକ୍ଷା ଅଧିକାରୀ ପାକିସ୍ତାନୀ ସେନା ଭାରତୀୟ ବାୟୁସେନାର ଗତିବିଧି ଉପରେ ନଜର ରଖାଯାଉଛି ବୋଲି କହିଛନ୍ତି। ଅଭ୍ୟାସ ଚାଲିଥିବା ସମୟରେ ସୀମା ଅଞ୍ଚଳରେ ପାକିସ୍ତାନୀ ବାହିନୀକୁ ହାଇ ଆଲର୍ଟରେ ରଖାଯାଇଥିବା ମଧ୍ୟ ମିଡିଆ ରିପୋର୍ଟରେ ଦାବି କରାଯାଇଛି।

Also read- ଆମେରିକା ରାଷ୍ଟ୍ରଦୂତଙ୍କ ବଡ ବୟାନ, କହିଲେ ଟ୍ରମ୍ପଙ୍କ ଲିଷ୍ଟରେ ସବୁଠୁ ଉପରେ ମୋଦି! ଜି-୨୦ରେ ହୋଇପାରେ ବଡ଼....

କେଉଁ ଅଞ୍ଚଳରେ ହେବ ସାମରିକ ଅଭ୍ୟାସ?

ଭାରତର NOTAM ଅନୁସାରେ, ସେପ୍ଟେମ୍ବର ୨୧ରୁ ଅକ୍ଟୋବର ୭ ମଧ୍ୟରେ ସାମରିକ କାର୍ଯ୍ୟକଳାପ ପାଇଁ ରାଜସ୍ଥାନର ବିଭିନ୍ନ ଅଞ୍ଚଳର ଆକାଶପଥର ବଡ଼ ଅଂଶକୁ ଅସ୍ଥାୟୀ ଭାବେ ସୀମିତ କରାଯିବ।

ଏହି ଅଞ୍ଚଳ ମଧ୍ୟରେ ଜୈସଲମେର, ବାରମେର, ଫାଲୋଦି ଏବଂ ଯୋଧପୁର ସେକ୍ଟର ରହିଛି। ଏହା ସହିତ ନାଲ, ବିକାନେର ନିକଟବର୍ତ୍ତୀ ଆକାଶପଥ ମଧ୍ୟ ପ୍ରଭାବିତ ହେବ। ସାମରିକ କାର୍ଯ୍ୟକଳାପ ପାଇଁ ସଂରକ୍ଷିତ ଆକାଶପଥ ପ୍ରାୟ ୪୦,୦୦୦ ଫୁଟ୍ ଉଚ୍ଚତା ପର୍ଯ୍ୟନ୍ତ ରହିବାର ରିପୋର୍ଟ ଆସିଛି। ଏହା ମଧ୍ୟରୁ ଗୋଟିଏ ନିର୍ଦ୍ଧାରିତ ଅଞ୍ଚଳ ପାକିସ୍ତାନ ସୀମାଠାରୁ ପ୍ରାୟ ୨୦ କିଲୋମିଟର ଦୂରରେ ଥିବା କୁହାଯାଉଛି।

Tarang Shakti 2026 ସହ ରହିଛି ସମ୍ପର୍କ?

ସେପ୍ଟେମ୍ବର ୨୧ରୁ ଅକ୍ଟୋବର ୭ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସାମରିକ ଅଭ୍ୟାସର ସମୟସୀମା Tarang Shakti 2026 ସହ ପାଖାପାଖି ରହିଛି। ରିପୋର୍ଟ ଅନୁସାରେ, ବହୁରାଷ୍ଟ୍ରୀୟ ବାୟୁସେନା ଅଭ୍ୟାସ Tarang Shakti 2026 ଯୋଧପୁରରେ ସେପ୍ଟେମ୍ବର ୨୬ରୁ ଅକ୍ଟୋବର ୧୨ ପର୍ଯ୍ୟନ୍ତ ଆୟୋଜିତ ହେବ। ଏଥିରେ ଅନେକ ଦେଶର ବାୟୁସେନା ଅଂଶଗ୍ରହଣ କରିବାର ସମ୍ଭାବନା ରହିଛି। ଏହି ଅଭ୍ୟାସ ଜରିଆରେ ଉନ୍ନତ ବାୟୁଯୁଦ୍ଧ କୌଶଳ, ଅପରେସନାଲ୍ ଟ୍ରେନିଂ ଏବଂ ବିଭିନ୍ନ ଦେଶର ବାୟୁସେନା ମଧ୍ୟରେ ସମନ୍ୱୟ ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯିବ।

ଦୁଇଟି ସାମରିକ ଅଭ୍ୟାସର ସମୟ ପାଖାପାଖି ଥିବାରୁ ସେପ୍ଟେମ୍ବର ଶେଷ ଏବଂ ଅକ୍ଟୋବର ଆରମ୍ଭରେ ଭାରତ-ପାକିସ୍ତାନ ସୀମା ନିକଟରେ ସାମରିକ ବିମାନର ଗତିବିଧି ଅଧିକ ରହିପାରେ। ଏଭଳି ଅଭ୍ୟାସ ମାଧ୍ୟମରେ ଭାରତୀୟ ବାୟୁସେନା ନିଜର ଅପରେସନାଲ୍ ପ୍ରୋସିଜର୍, ବିଭିନ୍ନ ୟୁନିଟ୍ର ସମନ୍ୱୟ, ମୁତୟନ ରଣନୀତି ଏବଂ ଯବାନ ଓ ଯୁଦ୍ଧ ବିମାନର ପ୍ରସ୍ତୁତିକୁ ବାସ୍ତବସମ୍ମତ ପରିସ୍ଥିତିରେ ପରୀକ୍ଷା କରିପାରିବ।