ନୂଆଦିଲ୍ଲୀ, ୦୩/୦୬ : ଯେତେ ଯାହା ହେଲେ ବି ସୁଧୁରୁନି ପାକିସ୍ତାନ । ଦେଶକୁ ବାରମ୍ବାର ଅପ୍ରୀତିକର ପରିସ୍ଥିତିରେ ପକାଉଛି । ଅନ୍ତର୍ଜାତୀୟ ସ୍ତରରେ ବଦନାମ ମୁଣ୍ଡାଉଛି ଭାରତର ଏହି ପଡୋଶୀ ଦେଶ । ଏବେ ଜାପାନରେ ଏପରି କିଛି ଇସଲାମାବାଦ୍ କରିଛି, ଯାହା ପାକିସ୍ତାନୀଙ୍କ ମୁଣ୍ଡ ତଳକୁ କରି ଦେଇଛି ।

ଜାପାନରେ ବେଆଇନ ମସଜିଦ୍

ପାକିସ୍ତାନ ଜାପାନର ସୈତାମା ରାଜ୍ୟର କାବାଗୋଏ ସହରରେ ଏକ ମସଜିଦ ନିର୍ମାଣ କରି ବିବାଦରେ ଫସିଛି । ଏଠାରେ କିଛି ପାକିସ୍ତାନୀ ମସଜିଦ ନିର୍ମାଣ ଆରମ୍ଭ କରିଥିଲେ । ନିର୍ମାଣ ବେଳେ ଜାପାନରେ ଅବସ୍ଥାପିତ ପାକ୍ ରାଷ୍ଟ୍ରଦୂତ ଅବ୍ଦୁଲ ହମିଦ ମଧ୍ୟ ଉପସ୍ଥିତ ଥିଲେ । କିନ୍ତୁ ଏବେ ଏହି ମସଜିଦକୁ ଜାପାନ ସରକାର ଭାଙ୍ଗିବାକୁ ଯାଉଛନ୍ତି । ଏହାକୁ ବିନା ଅନୁମତିରେ ତିଆରି କରାଯାଇଥିବା ସ୍ଥାନୀୟ ପ୍ରଶାସନ କହିଛି ।

କୋବାଗୋଏ ପ୍ରଶାସନ କହିଛି ଯେ, ଯେଉଁଠି ମସଜିଦ ନିର୍ମାଣ କରାଯାଇଛି ତାହା ସହର ବିକାଶ ନିୟନ୍ତ୍ରଣ ପରିସୀମା ମଧ୍ୟରେ ଆସୁଛି । ଏସବୁ ଅଞ୍ଚଳରେ କୌଣସି ନିର୍ମାଣ ପାଇଁ ସ୍ୱତନ୍ତ୍ର ଅନୁମତିର ଆବଶ୍ୟକତା ରହିଛି । ବିନା ଅନୁମତିରେ କୌଣସି ପ୍ରକାର ନିର୍ମାଣ କାର୍ଯ୍ୟ ବେଆଇନ ଅଟେ ।

ପ୍ରଶାସନ ଆହୁରି କହିଛି ଯେ, ପାକିସ୍ତାନୀମାନେ ନିୟମ କାନୁନ ମାନି ନାହାଁନ୍ତି । ମନଇଚ୍ଛା ଅନୁମତି ନନେଇ ନିର୍ମାଣ କରିଛନ୍ତି । ଯାହା ଆଦୌ ଠିକ୍ ନୁହେଁ । ଯେଉଁମାନେ ଏହି ନିର୍ମାଣ କାର୍ଯ୍ୟରେ ସାମିଲ ହୋଇଛନ୍ତି ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏପରିକି ମସଜିଦକୁ ଭାଙ୍ଗିବା ପାଇଁ ଦାବି ହେଉଛି । ଯାହା ଉପରେ ବିଚାର କରାଯାଉଛି ।

ଏହି ବିବାଦ ପାକିସ୍ତାନ ଦୂତାବାସ ପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଛି । ମାମଲା ସାମ୍ନାକୁ ଆସିବା ପରେ ମସଜିଦ ନିର୍ମାଣରେ କୌଣସି ଭୂମିକା ନଥିବା ଦୂତାବାସ ପକ୍ଷରୁ କୁହାଯାଇଛି । ଏପରିକି ଏବାବଦରେ ସେମାନେ କିଛି ଜାଣି ନଥିବା ପ୍ରକାଶ କରିଛନ୍ତି ।

ଏହାପୂର୍ବରୁ ଜୁନ ୧ ତାରିଖରେ ପାକ୍ ଦୂତାବାସ ଜାପାନରେ ରହୁଥିବା ନାଗରିକଙ୍କୁ ନିୟମ କାନୁନ ମାନିବାକୁ ପରାମର୍ଶ ଦେଇଥିଲା । ଧାର୍ମିକ ସ୍ଥଳୀ ନିର୍ମାଣ ସମୟରେ ଅଧିକ ସଚେତନ ରହିବା ପାଇଁ କୁହାଯାଇଥିଲା । ସ୍ଥାନୀୟ ପ୍ରଶାସନ ଠାରୁ ଆବଶ୍ୟକୀୟ ଅନୁମତି ବିନା କୌଣସି କାର୍ଯ୍ୟ ନକରିବାକୁ ମଧ୍ୟ ପରାମର୍ଶ ଦିଆଯାଇଥିଲା ।