ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ସୀମା ବିବାଦ ଏବଂ 'ଅପରେସନ୍ ସିନ୍ଦୂର' ପରବର୍ତ୍ତୀ ସମୟରେ ଭୂ-ରାଜନୈତିକ ସ୍ଥିତି ସାମାନ୍ୟ ଶାନ୍ତ ପଡ଼ିଥିବା ମନେ ହେଉଥିଲେ ମଧ୍ୟ, ପରଦା ପଛରେ ଏକ ଭୟଙ୍କର 'ସ୍ପେସ୍ ୱାର' (ମହାକାଶ ଯୁଦ୍ଧ) ଆରମ୍ଭ ହୋଇଛି। ଗତ ୧୬ ମାସ ମଧ୍ୟରେ ପାକିସ୍ତାନ ନିଜର ମହାକାଶ କ୍ଷମତାରେ ଯେଉଁ ଦ୍ରୁତ ପରିବର୍ତ୍ତନ ଆଣିଛି, ତାହା ଭାରତ ପାଇଁ ଚିନ୍ତାର ବିଷୟ ପାଲଟିଛି।

ଭୂମିରେ ଯୁଦ୍ଧ ବନ୍ଦ ହୋଇଯାଇଥିଲେ ବି ଆକାଶ ମାର୍ଗରୁ ଷଡ଼ଯନ୍ତ୍ର ଜାରି ରଖିଛି ପାକିସ୍ତାନ। ଚୀନ୍ ସମର୍ଥନରେ ଏହାର ମହାକାଶ-ଭିତ୍ତିକ ପର୍ଯ୍ୟବେକ୍ଷଣ କ୍ଷମତାକୁ ଦ୍ରୁତ ଗତିରେ ବିସ୍ତାର କରିଛି, ମାତ୍ର ୧୬ ମାସରେ ୬ ପୃଥିବୀ-ପର୍ଯ୍ୟବେକ୍ଷଣ ଉପଗ୍ରହ ଉତକ୍ଷେପଣ କରି ପାକିସ୍ତାନ ଭାରତ ଭୂମି ଉପରେ ନଜର ରଖିବା ପାଇଁ ମାହାକାଶରୁ ସାଟେଲାଇଟ ଜାଲ ବୁଣି ଦେଇଛି।

୧୯୬୧ ମସିହାରେ ପାକିସ୍ତାନର ମହାକାଶ ଏବଂ ଉପର ବାୟୁମଣ୍ଡଳ ଗବେଷଣା କମିଶନ (SUPARCO) ପ୍ରତିଷ୍ଠା ହେବା ପରଠାରୁ, ଗତ କିଛି ଦଶନ୍ଧି ଧରି କେବଳ କିଛି ଉପଗ୍ରହ ଉତ୍ କ୍ଷେପଣ କରିଥିଲା। ହେଲେ ଜାନୁଆରୀ ୨୦୨୫ ରୁ ଏପ୍ରିଲ ୨୦୨୬ ମଧ୍ୟରେ, ଏହା ୬ଟି ନୂଆ ପୃଥିବୀ-ପର୍ଯ୍ୟବେକ୍ଷଣ ଉପଗ୍ରହ ସ୍ଥାପିତ କରିଛି। ଯେଉଁଥିରେ ଅପ୍ଟିକାଲ୍ ଇମେଜିଂ, ହାଇପରସ୍ପେକ୍ଟ୍ରାଲ୍ ଏବଂ ରିମୋଟ୍-ସେନ୍ସିଂ ପ୍ଲାଟଫର୍ମ ଆଦି ରହିଛି। ଏହା ସାଧାରଣ ନୁହେଁ, ବରଂ ଏକ ସୁଚିନ୍ତିତ ରଣନୀତିର ଅଂଶ ହେଇପାରେ। ବଡ଼ କଥା ହେଲା ଏହିସବୁ ଉତ୍କ୍ଷେପଣ ପହଲଗାମ ଆତଙ୍କୀ ଆକ୍ରମଣ ଓ ଭାରତର ଅପରେସନ ସିନ୍ଦୂର ପୂର୍ବରୁ ଉତ୍କ୍ଷେପଣ କରିଥିଲା ପାକିସ୍ତାନ।

Also Read- Iran war@ 100: ଯୁଦ୍ଧକୁ ବିତିଲାଣି ୧୦୦ ଦିନ; କେତେ କ୍ଷତି ସହିଲାଣି ଇରାନ ?

ଆଉ ସବୁଠାରୁ ବଡ଼ କଥା ହେଲା ପାକିସ୍ତାନର ଏହି ମିଶନଗୁଡ଼ିକ ପଛରେ ଚୀନର ସମ୍ପୂର୍ଣ୍ଣ ସହଯୋଗ ରହିଛି। ଚୀନ ନିଜର ରକେଟ୍ ଟେକ୍ନୋଲୋଜୀ, ସାଟେଲାଇଟ ଡିଜାଇନ୍, ଡାଟା-ଶେୟାରିଂ ଏବଂ ସମ୍ପର୍କିତ ତାଲିମ ପ୍ରଦାନ କରି ପାକିସ୍ତାନକୁ ଏକ 'ସ୍ପେସ୍ ପାୱାର' ଭାବେ ଗଢ଼ି ତୋଳୁଛି।

ପାକିସ୍ତାନର ନୂତନ ଉପଗ୍ରହଗୁଡ଼ିକ (ଯଥା: PRSC-EO2 ଓ EO3) କେବଳ ଫଟୋ ଉଠାଉ ନାହାଁନ୍ତି, ସେଗୁଡ଼ିକରେ ହାଇପରସ୍ପେକ୍ଟ୍ରାଲ ସେନ୍ସର ଓ AI-ଆଧାରିତ ପ୍ରୋସେସିଂ ରହିଛି। ଏହାଦ୍ୱାରା ସେମାନେ ଛଦ୍ମବେଶୀ ସାମରିକ ଉପକରଣ (camouflaged objects) ଏବଂ ବସ୍ତୁଗୁଡ଼ିକୁ ସହଜରେ ଚିହ୍ନଟ କରିପାରିବେ।

ବିଶେଷଜ୍ଞଙ୍କ ମତରେ, ଏପ୍ରିଲ ୨୦୨୬ରେ ଲଞ୍ଚ ହୋଇଥିବା PRSC-EO3 ଉପଗ୍ରହର କକ୍ଷପଥକୁ ସ୍ୱତନ୍ତ୍ର ଭାବେ ଦକ୍ଷିଣ ଏସିଆ ଉପରେ ନଜର ରଖିବା ପାଇଁ ସେଟ୍ କରାଯାଇଛି। ଏହାଦ୍ୱାରା ଭାରତର ସୀମାନ୍ତ ଅଞ୍ଚଳ ଓ ଜମ୍ମୁ-କାଶ୍ମୀର ଉପରେ ଦିନକୁ ଏକାଧିକ ଥର ନଜର ରଖିବା ସମ୍ଭବ ହେଉଛି।

ଭାରତ ପାଇଁ ଚିନ୍ତାର ବିଷୟ

ପାକିସ୍ତାନ ଏବେ ମହାକାଶରେ ଏକ 'କନଷ୍ଟଲେସନ୍' (ଉପଗ୍ରହର ଜାଲ) ପ୍ରସ୍ତୁତ କରିସାରିଛି, ଯାହା ଦ୍ୱାରା ସେମାନେ ଭାରତୀୟ ସେନାର ପଦକ୍ଷେପ, ଭିତ୍ତିଭୂମି ବିକାଶ ଏବଂ ସାମରିକ ଗତିବିଧିକୁ ରିଅଲ-ଟାଇମରେ ମନିଟର କରିପାରିବେ। ଏହି ସିଷ୍ଟମ ଚୀନର 'ୟାଓଗାନ୍' (Yaogan) ଏବଂ 'ଗାଓଫେନ୍' (Gaofen) ସିରିଜ୍ ସହ ଯୋଡ଼ି ହୋଇଗଲେ, ଭାରତ ପାଇଁ ସୁରକ୍ଷା ଚ୍ୟାଲେଞ୍ଜ୍ ବଢ଼ିଯିବ। ସେପଟେ ସବୁଠାରୁ ବଡ଼ କଥା ହେଲା ଭାରତର ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଗତ ଦୁଇ ବର୍ଷ ହେଲା କିଛି ଗୁରୁତ୍ୱପୂର୍ଣ୍ଣ ମିଶନରେ ବୈଷୟିକ ଅସଫଳତାର ସମ୍ମୁଖୀନ ହୋଇଛି। ଏହି ସମୟରେ ପାକିସ୍ତାନର ଏଭଳି ଦ୍ରୁତ ଅଗ୍ରଗତି ପ୍ରତିରକ୍ଷା ଯୋଜନାକାରୀଙ୍କ ପାଇଁ ଚିନ୍ତାର ବିଷୟ ନିଶ୍ଚୟ।

Also Read- India-Kuwait: ପଶ୍ଚିମ ଏସିଆ ସଙ୍କଟ ମଧ୍ୟରେ କୁଏତ ଆମୀରଙ୍କ ସହ ଫୋନ୍ରେ କଥା ହେଲେ ପିଏମ ମୋଦୀ

ପୂର୍ବତନ ନୌସେନା ଅଧିକାରୀ ରିଅର୍ ଆଡମିରାଲ ସୁଧୀର ପିଲ୍ଲାଇଙ୍କ ମତରେ, ଏହା କେବଳ ସାଧାରଣ ଉପଗ୍ରହ ନୁହେଁ, ବରଂ ଏକ ସୁଗଠିତ ସାମରିକ ଗୁଇନ୍ଦା ବ୍ୟବସ୍ଥା। ଭବିଷ୍ୟତର ଯୁଦ୍ଧ କେବଳ ଜମିରେ ନୁହେଁ, ମହାକାଶରୁ ମିଳୁଥିବା ସୂଚନା ଉପରେ ନିର୍ଭର କରିବ ବୋଲି ସେ କହିଛନ୍ତି।